ମାଟ୍ରିକ୍‌ରେ ଆଶାତୀତ ସଫଳତା; ଯୁକ୍ତଦୁଇ ପାଇଁ ଅଡ଼ୁଆ

ମାର୍କ ଥାଇ ବି ମିଳିବନି ମନପସନ୍ଦର ମହାବିଦ୍ୟାଳୟ!

ମାଟ୍ରିକ୍‌ରେ ଆଶାତୀତ ସଫଳତା; ଯୁକ୍ତଦୁଇ ପାଇଁ ଅଡ଼ୁଆ

DNA India

ବାଲେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ଚଳିତ ବର୍ଷ ବାଲେଶ୍ବର ଜିଲ୍ଲାରୁ ୨୯୯୨୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏଥର ଜିଲ୍ଲାରେ ପାସ୍‌ହାର ରହିଛି ୯୦.୬୯ ପ୍ରତିଶତ ରହିଥିବା ବେଳେ ୮୦ ପ୍ରତିଶତ, ଅର୍ଥାତ୍‌; ୨୩୪୭୩ ଜଣରୁ ଅଧିକ ପିଲା ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍‌ କରିଛନ୍ତି। ଖାଲି ଏତିକି ନୁହେଁ, କେବଳ ଏ-୧ ଗ୍ରେଡ୍‌ (୯୦ ପ୍ରତିଶତରୁ ଊର୍ଦ୍ଧ୍ବ)ରେ ୧୫୦୩ ଜଣ ଛାତ୍ରୀଛାତ୍ରୀ ପାସ୍‌ କରିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତି ଏପରି ଉପୁଜିଛି ଯେ ଜିଲ୍ଲାରେ ଥିବା ପ୍ରମୁଖ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଯୁକ୍ତଦୁଇ କଲେଜଗୁଡ଼ିକରେ ଆବଶ୍ୟକ ସଂଖ୍ୟାରେ ସିଟ୍‌ ନଥିବାରୁ ଏଥର ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ସେଠାରେ ନାମଲେଖାରୁ ବାଦ୍‌ ପଡ଼ିବେ ଏବଂ ବେସରକାରୀ ତଥା ଘରୋଇ ଯୁକ୍ତଦୁଇ କଲେଜରେ ନାମ ଲେଖାଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେବେ।

ମିଳିଥିବା ସୂଚନା ଅନୁସାରେ; ବାଲେଶ୍ବର ଜିଲ୍ଲାରେ କେବଳ ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ୧୫୦୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବାହାନଗା ବ୍ଲକ୍‌ରେ ୨୫ ଜଣ, ବାଲିଆପାଳ ବ୍ଲକ୍‌ରେ ୨୯୨ ଜଣ, ବସ୍ତା ବ୍ଲକ୍‌ରେ ୨୭ ଜଣ, ଜଳେଶ୍ବର ବ୍ଲକ୍‌ରେ ୨୧୫ ଜଣ, ନୀଳଗିରି ବ୍ଲକ୍‌ରେ ୨୯ ଜଣ, ଔପଦା ବ୍ଲକ୍‌ରେ ୧୪୪ ଜଣ, ଭୋଗରାଇ ବ୍ଲକ୍‌ରେ ୨୬୧ ଜଣ, ରେମୁଣା ବ୍ଲକ୍‌ରେ ୧୨୩ ଜଣ, ଖଇରା ବ୍ଲକ୍‌ରେ ୧୯୫ ଜଣ, ସୋର ବ୍ଲକ୍‌ରେ ୬୧ ଜଣ, ସଦର ବ୍ଲକ୍‌ରେ ୯୨ ଜଣ ଏବଂ ସିମୁଳିଆ ବ୍ଲକ୍‌ରେ ୧୯ ଜଣ ଅଛନ୍ତି। ଏହା ବ‌ାଦ୍‌ ୬୦ ପ୍ରତିଶତରୁ ଉପରକୁ ବି-୧ ଏବଂ ବି-୨ ଗ୍ରେଡ୍‌ ଅର୍ଥାତ୍‌ ପ୍ରଥମ ଶ୍ରେଣୀରେ ଯେଉଁମାନେ ପାସ୍‌ କରିଛନ୍ତି, ସେମାନଙ୍କୁ ଏଥିରେ ମିଶାଇଲେ ୨୩୪୭୩ ଜଣ ଛାତ୍ରଛାତ୍ରୀ ହେବେ। ତେବେ ଜିଲ୍ଲାରେ ଯୁକ୍ତଦୁଇ ନାମଲେଖା ପାଇଁ ଫକୀରମୋହନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ କେକେଏସ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଦୁଇଟି ସରକାରୀ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ସାରା ଜିଲ୍ଲାରେ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ରହିଛି ୬୭ଟି। ଏହି ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପଢ଼ିବା ପାଇଁ ମାତ୍ର ୫୦୦୦ ସିଟ୍‌ ରହିଥିବା ବେଳେ ବାଣିଜ୍ୟରେ ୧୫୦୦ ସିଟ୍‌, କଳାରେ ୧୨୦୦୦ ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ୩୦୦ଟି ସିଟ୍‌ ରହିଛି।

ତେବେ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ବିଶେଷ କରି ଲକ୍ଷ୍ୟ ରହିଥାଏ ‌ବାଲେଶ୍ବର ସଦର ମହକୁମାରେ ଥିବା ଏଫ୍‌ଏମ୍‌, କେକେଏସ୍‌ କିମ୍ବା ସୋର ସ୍ଥିତ ୟୁଏନ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ନାମ ଲେଖାଇବା ପାଇଁ। କାରଣ ଏହି ୩ଟି ଅନୁଷ୍ଠାନରେ ପାଠପଢ଼ା ଜିଲ୍ଲାର ଅନ୍ୟ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ଉନ୍ନତମାନର। ତେଣୁ ଛାତ୍ରଛାତ୍ରୀମାନେ ଏହି କଲେଜକୁ ଅଧିକ ପସନ୍ଦ କରି ଆସୁଥିବା ବେଳେ ଏଥର ଆଶାତୀତ ମେଧାବୀ ଛାତ୍ରଛାତ୍ରୀଙ୍କ ପାସ୍‌ କରିଥିବା ‌ଯୋଗୁ କେବଳ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କୁ ନେଇ ଯଦି ନାମ ଲେଖାଯିବ ତା’ହେଲେ ମଧ୍ୟ ହଜାର ହଜାର ମେଧାବୀ କେବଳ ଏହି ଜିଲ୍ଲାରୁ ବାଦ୍‌ ପଡ଼ିବେ।

ଏଥିସହ ଅନ୍ୟ ସବୁ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ପଢ଼ିବା ପାଇଁ ମଧ୍ୟ ସିଟ୍‌ର ଅଭାବ ଦେଖାଦେବ ବୋଲି ଏବେଠାରୁ ଜଳଜଳ ଦିଶିଲାଣି। ଫଳରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ପିଲାମାନେ ଯାଇ ଅଧିକ ଟଙ୍କା ଖର୍ଚ୍ଚ କରି ନାମ ଲେଖାଇବାକୁ ବାଧ୍ୟ ହେବେ। ସେପଟେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ କମ୍‌ ଟଙ୍କାରେ ସରକାରୀ ଯୁକ୍ତଦୁଇ ବିଜ୍ଞାନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଯେଉଁ ଆଶା ରଖିଥିଲେ, ତାହା ନିଶ୍ଚିତ ଭାବେ ଆଶାରେ ରହିଯିବ। ତେଣୁ ସରକାର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉପୁଜିଥିବା ଏହି ସମସ୍ୟାର କୌଣସି ବିକଳ୍ପ ବ୍ୟବସ୍ଥା କରିବାକୁ ଅଭିଭାବକମାନେ ଦାବି ଜଣାଇଛନ୍ତି।

ଏନେଇ ବାରିପଦା ସ୍ଥିତ ସିଏଚ୍‌ଏସ୍‌ଇ ଜୋନ୍‌ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରି ଜୟଦେବ ପରମାଣିକଙ୍କୁ ପଚାରିବାରୁ ସେ କହିଥିଲେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଆଶାତୀତ ସଫଳତା ଉଭୟ ସରକାରୀ ଓ ‌ବେସରକାରୀ ଯୁକ୍ତଦୁଇ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଅସୁବିଧା ସୃଷ୍ଟି କରିପାରେ। ଏପରିକି ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ପସନ୍ଦର ଶିକ୍ଷାରେ ନାମ ଲେଖାଇବାରୁ ବଞ୍ଚିତ ହୋଇପାରନ୍ତି। ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଯଦିଓ ସିଟ୍‌ ସଂଖ୍ୟା ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି, କିନ୍ତୁ ସମଗ୍ର ରାଜ୍ୟରେ ଏହି ସମାନ ସ୍ଥିତି ଉପୁଜିଥିବାରୁ ଏଦିଗରେ ନିଶ୍ଚିତ ସରକାର କୌଣସି ବିକଳ୍ପ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe