ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ବିଧାନସଭା ଅଚଳ

Advertisment

ପୂର୍ବାହ୍ନରେ ଗୃହ କାର୍ଯ୍ୟ ହୋଇପାରିଲାନି, ଅଭିଯୋଗ ସତ୍ୟ ଆଧାରିତ ନୁହେଁ: ମନ୍ତ୍ରୀ

ପୂର୍ବାହ୍ନରେ ଗୃହ କାର୍ଯ୍ୟ ହୋଇପାରିଲାନି, ଅଭିଯୋଗ ସତ୍ୟ ଆଧାରିତ ନୁହେଁ: ମନ୍ତ୍ରୀ

ପାରିତ ହେଲା ବ୍ୟୟମଞ୍ଜୁରି ବିଲ୍: ୬ ଦିନ ଆଗରୁ ବଜେଟ୍‌ ଅଧିବେଶନ ଶେଷ

Telegraph India

ଭୁବନେଶ୍ବର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଖବରକୁ ନେଇ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିରୋଧୀ ଦଳର ବିଧାୟକମାନେ ସୋମବାର ଦିନ ବିଧାନସଭାରେ ଏହି ଅଭିଯୋଗ ଆଣି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

ବିଜେପି ଏବଂ କଂଗ୍ରେସର ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ। ସେମାନେ କହିଥିଲେ ଯେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଯାଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେଉଛି। ଏଥିପାଇଁ ସରକାରଙ୍କୁ ଦାୟୀ କରିବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହର ମଧ୍ୟଭାଗକୁ ଯାଇଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ଲାଗି ବାଚସ୍ପତି ବିରୋଧୀଙ୍କୁ ଅନୁରୋଧ କରିଥିଲେ। ହେଲେ ବିରୋଧୀ ବାଚସ୍ପତିଙ୍କ ଅନୁରୋଧ ନଶୁଣି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ପୂର୍ବାହ୍ନରେ ମାତ୍ର ୧୧ ମିନିଟ୍‌ରେ ଗୃହ କାର୍ଯ୍ୟ ସୀମିତ ରହିଲା। ୧୦ଟା ୪୧ରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଥିଲେ।

publive-image

ଅପରାହ୍ନରେ ଯୋଜନା ଓ ସଂଯୋଜନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାରୁ ବିରୋଧୀ ପୁଣି ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରାୟ ୨୫ ମିନିଟ୍‌ ଆଲୋଚନା ପରେ ଅପରାହ୍ନ ୪ଟା ୨୬ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ବାଚସ୍ପତି ଗଣଶିକ୍ଷା ମନ୍ତ୍ରୀଙ୍କୁ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଗୃହରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀ ସମୀର ରଞ୍ଜନ ଦା‌ଶ କହିଥିଲେ, ‘ଦଶମ ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସତ୍ୟ ଉପରେ ଆଧାରିତ ନୁହେଁ। ଆଜି ପର୍ଯ୍ୟନ୍ତ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ଏପ୍ରିଲ ୩ରୁ ୧୫ତାରିଖ ପର୍ଯ୍ୟନ୍ତ ଖାତାଦେଖା ସୁରୁଖୁରୁରେ ଚାଲିବ।’ ମନ୍ତ୍ରୀଙ୍କ ବିବୃତି ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା।

ସୋମବାର ପୂର୍ବାହ୍ନରେ ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଣିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ‌ଶେଷରେ ବାଚସ୍ପତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ପରେ ଗୃହରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe