(representational immage) Sambad English
ବଲାଙ୍ଗୀର/ ବରଗଡ଼: ବଲାଙ୍ଗୀରରେ ଶନିବାର ମାଟ୍ରିକ୍ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଆଉ ମାତ୍ର ଗୋଟିଏ ବିଷୟର ପରୀକ୍ଷା ବାକି ଥିବା ବେଳେ, ଶନିବାର ସାମାଜିକ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ସକାଳ ୬ଟାରୁ ବଲାଙ୍ଗୀର ଜିଲ୍ଲାର ମୋବାଇଲରୁ ମୋବାଇଲକୁ ଘୂରିବୁଲୁଥିଲା ସେଟ୍ ‘ବି’ ସବ୍ଜେକ୍ଟିଭ୍ ପ୍ରଶ୍ନପତ୍ର। ୧୦ ଟାରେ ପରୀକ୍ଷା ସରିବା ପରେ ପରୀକ୍ଷାର୍ଥୀମାନେ ଭାଇରାଲ୍ ପ୍ରଶ୍ନପତ୍ରକୁ ଦେଖିବା ପରେ ସେହି ପ୍ରଶ୍ନପତ୍ରର ପରୀକ୍ଷା ଦେଇଥିବା ସ୍ପଷ୍ଟ କରିଥିଲେ।
ମାଟ୍ରିକ ସବ୍ଜେକ୍ଟିଭ ପ୍ରଶ୍ନପତ୍ର, ଉତ୍ତର ଖାତା ସହିତ ଲାଗିକି ଥାଏ। ତେଣୁ ତାହା କୌଣସି ପ୍ରକାରେ ବାହାରକୁ ଆସିବା କଥା ନୁହଁ। ଏପରିକି ପରୀକ୍ଷାର୍ଥୀ ପରୀକ୍ଷା ଦେବା ପରେ ମଧ୍ୟ ସବ୍ଜେକ୍ଟିଭ ପ୍ରଶ୍ନପତ୍ର ଦିଆଯାଏନାହିଁ। କେବଳ ଅବ୍ଜେକ୍ଟିଭ ପ୍ରଶ୍ନପତ୍ର ପିଲା ଆଣିକି ଆସିଥାଆନ୍ତି। ତେଣୁ ସବ୍ଜେକ୍ଟିଭ ପ୍ରଶ୍ନପତ୍ର ବାହାରକୁ ଆସିବା ଅର୍ଥ ହେଉଛି ଭାଇରାଲ୍। କିନ୍ତୁ କିଏ କେଉଁଠୁ ଭାଇରାଲ କରିଛି ଜଣାପଡୁନାହିଁ। ସେପଟେ ପାଠପଢ଼ି କଠିନ ପରିଶ୍ରମ କରି ପରୀକ୍ଷା ଦେଉଥିବା ମେଧାବୀ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାଇରାଲ ପ୍ରଶ୍ନପତ୍ରର ତଦନ୍ତ କରିବା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ଦାବି କରିଛନ୍ତି।
ସେହିପରି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର କିଛି ସ୍କୁଲ୍ରେ ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିଛି। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ଦୋକାନରେ ଶହଶହ ଉତ୍ତର ଖାତା ଜେରକ୍ସ ଚାଲିଛି। ଫଳରେ ପିଲାମାନେ କେନ୍ଦ୍ରକୁ ପରୀକ୍ଷା ପାଇଁ ଯିବା ପୂର୍ବରୁ ଜେରକ୍ସ ଦୋକାନରେ ଭିଡ଼ ଜମାଉଛନ୍ତି। ସିସିଟିଭି ଫୁଟେଜ୍ରେ ଏହି ଦୃଶ୍ୟ କଏଦ୍ ହୋଇଛି। ଯାହା କ୍ରମଶଃ ଭାଇରାଲ୍ ହେବାକୁ ଲାଗିଛି। ତେବେ ଏନେଇ ବିଧିବଦ୍ଧ ଭାବେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅନ୍ୟପକ୍ଷରେ ଶନିବାର ପ୍ରଶ୍ନପତ୍ରରେ ବ୍ୟାପକ ବିଭ୍ରାଟ ପରିଲକ୍ଷିତ ହୋଇଛି। କିଛି ପାକେଟ୍ରେ ‘ଏ’ ସେଟ୍ ଉଲ୍ଲେଖ ଥିବାବେଳେ ସେଥିରୁ ପୁଣି ‘ବି’ ସେଟ୍ ପ୍ରଶ୍ନପତ୍ର ବାହାରିଛି।
Follow Us