image source-sambad english
ଭୁବନେଶ୍ବର : ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା ଘୁଞ୍ଚିବ ନାହିଁ। ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ନ୍ତୁ ନାହିଁ, କି ଉଡ଼ାକଥାରେ ବିଶ୍ବାସ କରନ୍ତୁ ନାହିଁ। ପରୀକ୍ଷାର ସୁପରିଚାଳନା ଓ ଛାତ୍ରଛାତ୍ରୀଙ୍କୁ କରୋନା କବଳରୁ ସୁରକ୍ଷା ଦେବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ। କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା କରାଯିବ। ତେଣୁ ହାତରେ ଆଉ କମ୍ ସମୟ ରହିଥିବାରୁ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବା ନେଇ କିଛି ଦିନ ହେଲା ଚର୍ଚ୍ଚା ଚାଲିଥିଲା। ଏମିତିକି ପରୀକ୍ଷା ତାରିଖ ଘୁଞ୍ଚାଇବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ କରିଥିଲେ। ତେବେ ମନ୍ତ୍ରୀ ଶ୍ରୀ ଦାଶ ଏ ସମ୍ପର୍କରେ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଥିବାରୁ ପରୀକ୍ଷା ହେବ କି ନାହିଁ, ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ତେବେ ଶ୍ରୀ ଦାଶ କହିଛନ୍ତି ଯେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବେ ବନ୍ଦ ରହିଛି। ତେଣୁ ପରୀକ୍ଷା କଥା ଚିନ୍ତା କରାଯାଇନାହିଁ। ଏନେଇ ସରକାରୀସ୍ତରରେ ଆଲୋଚନା କରାଯାଉଛି। ଗତକାଲିଠାରୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ବନ୍ଦ ରହିଛି। ଏହି ନିର୍ଦ୍ଦେଶନାମା ଏପ୍ରିଲ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦୁଇ ଶ୍ରେଣୀର ପିଲାମାନେ ଯଦି ହଷ୍ଟେଲ୍ କିମ୍ବା ଆବାସିକ ବିଦ୍ୟାଳୟରେ ରହୁଥିବେ, ତାହା ହେଲେ ସେମାନେ ତୁରନ୍ତ ଘରକୁ ଫେରିଯାଆନ୍ତୁ। ତେବେ ସ୍କୁଲ କର୍ତ୍ତୃପକ୍ଷ ଚାହିଲେ ଅନଲାଇନ୍ କ୍ଲାସ୍ କରିପାରିବେ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଏପ୍ରିଲ ୨୫ପର୍ଯ୍ୟନ୍ତ ଜାରି ରହିବ।
Follow Us