କରୋନା ରୋଗୀ ପିଛା ଦିନକୁ ସର୍ବାଧିକ ଖର୍ଚ୍ଚ ୧୮ ହଜାର, ହିସାବ ଦେଲେ ସରକାର

Advertisment
ଘରୋଇ କୋଭିଡ୍‌ ହସ୍ପିଟାଲ୍‌କୁ ଦିଆଯାଇଛି ୩୪୪ କୋଟି

Sambad English

ଭୁବନେଶ୍ୱର : ରାଜ୍ୟରେ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ କରୋନା ରୋଗୀ ପିଛା ଦିନକୁ ସର୍ବାଧିକ ୧୮ହଜାର ଟଙ୍କା ଖର୍ଚ ହେଉଛି। କୋଭିଡ ହସ୍ପିଟାଲ ବା ଡିସିଏଚ୍‌ରେ ଆଇସିୟୁ ସହ ଭେଣ୍ଟିଲେଟର୍‌ ଶଯ୍ୟା ପାଇଁ ୨ରୁ୫ ହଜାର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ ୧୩ ହଜାର ଟଙ୍କାକୁ ମିଶାଇ ଦିନକୁ ସମୁଦାୟ ୧୮ହଜାର ଟଙ୍କା ଖର୍ଚ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏ ବାବଦ ଖର୍ଚର ହିସାବ ଦିଆଯାଇଛି।

ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ଘରୋଇ ହସ୍ପିଟାଲ ସହ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ପାଇଁ ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି। ତେଣୁ ଏସବୁ ହସ୍ପିଟାଲକୁ କେଉଁ ଶଯ୍ୟା ବାବଦରେ କେତେ ଅର୍ଥ ଦିଆଯିବ, ସେ ସଂପର୍କରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର ଧାର୍ଯ୍ୟ ହିସାବ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମେଡିକାଲ କଲେଜର ଅଧ୍ୟକ୍ଷ, ସିଡିଏମ୍‌ଓ ଓ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉର‌କେଲାର କମିସନରଙ୍କୁ ଏ ବାବଦ ଚିଠି ଲେଖିଛନ୍ତି।

କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ପାଇଁ ଦିନକୁ ୧୨ଶହରୁ ୩ ହଜାର
ଭେଣ୍ଟିଲେଟର ଓ ଆଇସିୟୁ ଶଯ୍ୟା ପାଇଁ ଦିନକୁ ୨ରୁ ୫ ହଜାର

ରାଜ୍ୟରେ କରୋନା ରୋଗୀଙ୍କ ପାଇଁ କୋଭିଡ୍‌ ହସ୍ପିଟାଲ ବା ଡିସିଏଚ୍‌, କୋଭିଡ୍‌ ହେଲ୍‌ଥ ସେଣ୍ଟର୍‌ ବା ଡିସିଏଚ୍‌ସି ଓ କୋଭିଡ୍‌ କେୟାର ସେଣ୍ଟର ବା ସିସିସି କାର୍ଯ୍ୟକ୍ଷମ ହୋଇଛି। କୋଭିଡ୍‌ କେୟାର ସେଣ୍ଟର ପାଇଁ ଦୈନିକ ଶଯ୍ୟା ଦର ୧ହଜାର ଟଙ୍କା ରହିଥିବା ବେଳେ ଦୈନିକ ଆନୁଷଙ୍ଗିକ ଖର୍ଚ ମଧ୍ୟ ୧ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ସେହିପରି କୋଭିଡ ହେଲ୍‌ଥ ସେଣ୍ଟର ଓ କୋଭିଡ ହସ୍ପିଟାଲରେ ଶଯ୍ୟା ପାଇଁ ଦିନକୁ ୧୨ଶହ ଟଙ୍କାରୁ ୩ ହଜାର ଟଙ୍କା ରଖାଯାଇଥିବା ବେଳେ ଦୈନିକ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ ୧୭୫୦ ଟଙ୍କା ରହିଛି। ତେବେ କୋଭିଡ୍‌ ହସ୍ପିଟାଲରେ ଆଇସିୟୁ ଶଯ୍ୟା ଦର ଦିନକୁ ୨ରୁ୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଶଯ୍ୟା ବାଦ୍ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ ଦିନକୁ ୧୨ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର। ଏଥିରେ ବିଭିନ୍ନ ପରୀକ୍ଷା ପାଇଁ ୨ହଜାର, କଞ୍ଜ୍ୟୁମେବଲ ବାବଦ ୧ହଜାର, ପିପିଇ ୧୫ଶହ ଟଙ୍କା, ଔଷଧ ୭ହଜାର, ଲଣ୍ଡ୍ରି ୨ଶହ, ସାନିଟାଇଜର ୬୦ ଓ ଖାଦ୍ୟ ପାଇଁ୨୪୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହାବାଦ୍ ଭେଣ୍ଟିଲେଟର୍‌ରେ ଚିକିତ୍ସିତ ହେଉଥିବା ରୋଗୀ ପାଇଁ ଶଯ୍ୟା ଦର ୨ରୁ୫ ହଜାର ଟଙ୍କା ରଖାଯାଇଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ ୧୩ହଜାର ଟଙ୍କା ରହିଛି। ଏଥିରେ ଡାକ୍ତର(ଅନ୍-କଲ) ୧ହଜାର, ପରୀକ୍ଷା ୨ହଜାର, ପିପିଇ ୧୫ଶହ, ଔଷଧ ୭ ହଜାର, ଲଣ୍ଡ୍ରି ୭ଶହ, ସାନିଟାଇଜର ୬୦ ଓ ଖାଦ୍ୟ ବାବଦ ୨୪୦ ଟଙ୍କା ଧାର୍ଯ୍ୟ ହୋଇଛି। ତେଣୁ ଭେଣ୍ଟିଲେଟର୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ସରକାର ଦିନକୁ ୧୮ ହଜାର ଟଙ୍କା ଲେଖାଏଁ ଖର୍ଚ କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି।

ତେବେ ରାଜ୍ୟ ସରକାର ଏସବୁ ହସ୍ପିଟାଲରେ କିଭିଳି ଚିକିତ୍ସା ଦିଆଯାଉଛି, ତାହାର ତଦାରଖ କରିବା ଲାଗି ଏକ ଟିମ୍ ଗଠନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ଟିମ୍ ପିପିଇ ପିନ୍ଧି ଏସବୁ ସ୍ବାସ୍ଥ୍ୟାନୁଷ୍ଠାନରେ ଚିକିତ୍ସାକୁ ତଦାରଖ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସମୁଦାୟ ୩୫ଟି କୋଭିଡ୍‌ ହସ୍ପିଟାଲରେ ୫୫୭୭ ଶଯ୍ୟା ଓ ‌୧୭୮ କୋଭିଡ୍‌ କେୟାର ସେଣ୍ଟରରେ ୨୧ହଜାର ୫୯ଟି ଶଯ୍ୟା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe