ବାପମାଆ ଛେଉଣ୍ଡ ବାଳକର ଅଳି: ସାର୍‌ ମୁଁ ସ୍କୁଲ ଯିବି, ପାଠ ପଢ଼ିବି

Advertisment

ପାଠପଢ଼ା ଖର୍ଚ୍ଚ ବହନ କଲେ ବନପାଳ

ପାଠପଢ଼ା ଖର୍ଚ୍ଚ ବହନ କଲେ ବନପାଳ

ବାପମାଆ ଛେଉଣ୍ଡ ବାଳକର ଅଳି: ସାର୍‌ ମୁଁ ସ୍କୁଲ ଯିବି, ପାଠ ପଢ଼ିବି

ବିଶୋଇ: ସାର୍ ମୁଁ ସ୍କୁଲ ଯିବି। ଅନ୍ୟ ପିଲାଙ୍କ ଭଳି ପାଠ ପଢ଼ିବି, ବଡ଼ ମଣିଷ ହେବି। ମତେ ସାହାଯ୍ୟ କରନ୍ତୁ। ବାପାମାଆ ଛେଉଣ୍ଡ ଜଣେ ବାଳକର ପାଠପଢ଼ା ପ୍ରତି ଝୁଙ୍କ ଦେଖି ବିଜାତଳା ବ୍ଲକ ସରଗଡ଼ା ବନପାଳ ଜୀବନବଲ୍ଲଭ ପାତ୍ର ପିଲାଟିକୁ ସହଯୋଗର ହାତ ବଢ଼ାଇଛନ୍ତି।

ବିଜାତଳା ବ୍ଲକ ସରଗଡା ପଞ୍ଚାୟତ ଶିମିଳିପାଳ ପାଦଦେଶରେ ରହିଛି ଆଦିବାସୀବହୁଳ ସାରଣ୍ଡା ଗାଁ। ଏହି ଗାଁ’ର ସମାୟ ମୁଣ୍ଡାଙ୍କ ୭ ବର୍ଷର ପୁଅ ବିକାଶ। ଜନ୍ମ ହେବାର ୩ ମାସ ପରେ ମା’ ଛେଉଣ୍ଡ ହୋଇଗଲା ବିକାଶ। ବାପା ସମାୟ ଓ ୭୫ ବର୍ଷୀୟ ବୃଦ୍ଧ ଜେଜେବାପା ବିକାଶର ଲାଳନପାଳନ କରିବା ସହ ପ୍ରାରମ୍ଭିକ ଶିକ୍ଷା ପାଇଁ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ତାର ନାଁ ଲେଖାଇଥିଲେ। ହେଲେ ବିଧାତା ସହିଲାନି। ୩ ମାସ ତଳେ କାମଳ ରୋଗରେ ଆକ୍ରାନ୍ତ ହୋଇ ବାପା ସମାୟ ମଧ୍ୟ ଆରପାରିକୁ ଚାଲିଗଲେ।

ବାପାମାଆଙ୍କୁ ହରାଇବା ପରେ ବାଳୁତ ବୟସରେ ପାଠପଢ଼ାରେ ଡୋରି ବନ୍ଧାହେଲା। ଏବେ ପରିଣତ ବୟସରେ ଖଟିବାକୁ ମଙ୍ଗଲଙ୍କ ଦେହରେ ଆଉ ଜୁ’ ନାହିଁ। ରାସନ୍‌ କାର୍ଡରେ ମିଳୁଥିବା କେଇ କିଲୋ ଚାଉଳ ଓ ୫ ଶହ ଟଙ୍କା ଭତ୍ତାରେ ଚଳୁଛନ୍ତି। ତେବେ ନାତିର ପଢ଼ା ଜିଦ୍ ଆଗରେ ସବୁ ପ୍ରତିବନ୍ଧକ ହାର୍‌ ମାନିଛି। ଏଭଳି ପରିସ୍ଥିତିରେ ନାତିକୁ ଧରି ବୃଦ୍ଧ ମଙ୍ଗଳ ମୁୁଣ୍ଡା ସରଗଡ଼ା ବନାଞ୍ଚଳ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ପାଠ ପଢ଼ିବା ପାଇଁ ବନପାଳ ଜୀବନବଲ୍ଲଭ ପାତ୍ରଙ୍କ ନିକଟରେ କାନ୍ଦିକାନ୍ଦି ଗୁହାରି କରିଥିଲା ବିକାଶ। ଜଙ୍ଗଲ ସୁରକ୍ଷା ସହିତ ସ୍ଥାନୀୟ ଅଞ୍ଚଳରେ ଜଣେ ସମାଜସେବୀ ଭାବରେ ଜଣାଶୁଣା ଥିବା ବନପାଳ ଶ୍ରୀ ପାତ୍ର ବିକାଶକୁ କୋଳେଇ ନେବା ସହ ତାକୁ ପାଠ୍ୟ ଉପକରଣ ଓ ଜେଜେବାପାଙ୍କୁ ବସ୍ତ୍ର, ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପଢ଼ିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବା ସହିତ ବିକାଶକୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେ ପ୍ରଶାସନକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe