The Sunday Guardian
ଭୁବନେଶ୍ୱର : ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ପ୍ରଥମ ରାଉଣ୍ଡ୍ ସିଟ୍ ଆଲଟ୍ମେଣ୍ଟ ହୋଇଛି। ରାଜ୍ୟର ୧୧ଟି ମେଡିକାଲ କଲେଜରେ ମୋଟ ୧୫୫୩ ସିଟ୍ ରହିଛି। ସେଥିମଧ୍ୟରୁ ରାଜ୍ୟ କୋଟାରେ ୧୩୩୦ ସିଟ୍ରେ ନାମଲେଖା ଲାଗି ଓଜେଇଇ କାଉନସେଲିଂ କରୁଛି। ଏହି ରାଉଣ୍ଡରେ ମୋଟ ୧୨୭୯ ଜଣ ଛାତ୍ରଛାତ୍ରୀଙ୍କୁ ସିଟ୍ ବଣ୍ଟନ ହୋଇଛି। ୧୧ଟି କଲେଜ ମଧ୍ୟରୁ ୮ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜ ପାଇଁ ନାମଲେଖା ହେବ। ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ସହ ଆଲଟ୍ମେଣ୍ଟ ଲେଟର୍ ଡାଉନ୍ଲୋଡ୍ ପାଇଁ ଅପ୍ସନ୍ ଉପଲବ୍ଧ ରହିଛି। ଯେଉଁମାନେ ଏହି ରାଉଣ୍ଡରେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ନଭେମ୍ବର ୩୦ ପୂର୍ବାହ୍ନ ୧୧ଟାରୁ ଡିସେମ୍ବର ୨ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ନାମଲେଖା ଫି’ ଦାଖଲ ସହ ପ୍ରୋଭିଜନାଲ ନାମଲେଖା ଲେଟର୍ ଡାଉନ୍ଲୋଡ୍ କରିବେ।
ଡିସେମ୍ବର ୨ରେ ସର୍ବଭାରତୀୟସ୍ତରରେ ଅଲ୍ ଇଣ୍ଡିଆ କୋଟା(ଏଆଇକ୍ୟୁ)ରୁ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ଗୁଡ଼ିକ ଫେରିବା ପରେ ୩ ତାରିଖରେ ଖାଲି ସିଟ୍ ତାଲିକା ପ୍ରକାଶ ପାଇବ। ଏଥିଲାଗି ପୁଣିଥରେ କାଉନସେଲିଂ ହେବ। ଡିସେମ୍ବର ୪ ପୂର୍ବାହ୍ନ ୧୧ଟାରୁ ୫ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଦ୍ବିତୀୟ ରାଉଣ୍ଡ୍ ନାମ ପଞ୍ଜୀକରଣ ଓ ଅନ୍ଲାଇନ୍ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୬ ତାରିଖ ଅପରାହ୍ଣ ୩ଟାରେ ମେରିଟ୍ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ। ୬ ତାରିଖ ସନ୍ଧ୍ୟା ୭ଟାରୁ ୭ ତାରିଖ ରାତି ୧୧ଟା ୫୯ ମିନିଟ୍ ମଧ୍ୟରେ ନୂତନ ଭାବେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍ ଫିଲିଂ ଓ ଲକିଂ କରିପାରିବେ। ଡିସେମ୍ବର ୯ରେ ଦ୍ବିତୀୟ ରାଉଣ୍ଡ ଆଲଟମେଣ୍ଟ ସହ ଛାତ୍ରଛାତ୍ରୀ ଆଲଟ୍ମେଣ୍ଟ ଲେଟର ଡାଉନ୍ଲୋଡ୍ କରିପାରିବେ। ୧୦ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ ତାରିଖ ରାତି ୧୧ଟା ୫୯ ସୁଦ୍ଧା ସିଟ୍ ପାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ କରି ପ୍ରୋଭିଜନାଲ ଲେଟର୍ ଡାଉନ୍ଲୋଡ୍ କରିପାରିବେ। ଡିସେମ୍ବର ୧୫ରେ ସ୍ପଟ୍ ରାଉଣ୍ଡ୍ କାଉନସେଲିଂ ଅନୁଷ୍ଠିତ ହେବ।
Follow Us