MCL officer caught taking bribe Photograph: (sambad.in)
ସୁନ୍ଦରଗଡ଼: ଲାଞ୍ଚ ନେଲା ବେଳେ ଏମସିଏଲ ଅଧିକାରୀଙ୍କୁ ସିବିଆଇ ଟିମ୍ ଧରିଛି । ଏମସିଏଲ ଚିପ୍ ମ୍ୟାନେଜର ତଥା ଝୁପୁରଙ୍ଗା-ତୁମୁଲିଆ ପ୍ରୋଜେକ୍ଟର ଡିସଭର୍ସମେଣ୍ଟ ସେଲର ମୁଖ୍ୟ ଅଖିଲେଶ କୁମାର ବର୍ମାଙ୍କୁ ନଗଦ ଟଙ୍କା ସହ ସିବିଆଇର ଟିମ୍ ଧରିଛି ।
ଝୁପୁରଙ୍ଗାର ଜଣେ ବିସ୍ଥାପିତଙ୍କ ଠାରୁ ଘର ବାବଦର ଟଙ୍କା ରିଲିଜ୍ କରିବା ପାଇଁ ଅଖିଲେଶ ୩୦ ହଜାର ଟଙ୍କା ମାଗିଥିଲେ। ୧୦ ହଜାର ଟଙ୍କା ପୂର୍ବରୁ ନେଇସାରିଥିବା ବେଳେ ଗତକାଲି ବିଳମ୍ୱିତ ରାତିରେ ୨୦ ହଜାର ଟଙ୍କା ନେଉଥିଲେ ।
ଟଙ୍କା ନେଲା ବେଳକୁ ଛକି ବସିଥିବା ସିବିଆଇ ତାଙ୍କୁ ମାଡ଼ି ବସିଥିଲା। ତାଙ୍କୁ ଗିରଫ କରିବା ସହ ତାଙ୍କ ଅଫିସ ଓ ଏମସିଏଲ କ୍ବାଟରରେ ଚଢ଼ଉ କରି ରାତାରାତି ଭୁବନେଶ୍ୱର ନେଇଯାଇଥିବା ସୂଚନା ମିଳିଛି।
ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଏମ୍ସିଏଲ୍ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଏରିଆ ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମା ୨୦ ହଜାର ଟଙ୍କା ଲାଞ୍ଚ ମାଗିବା ଏବଂ ଏହାକୁ ନେଉଥିବା ବେଳେ ଗତକାଲି ଧରାପଡ଼ିଛନ୍ତି। ସେ ଜଣେ ବିସ୍ଥାପିତଙ୍କ ୧୧,୩୭,୫୯୫ ଟଙ୍କା ରିଲିଜ କରିବା ପାଇଁ ଏହି ଟଙ୍କା ନେଉଥିଲେ। ଚଢ଼ଉ ବେଳେ ଏହି ଲାଞ୍ଚ ଟଙ୍କା ଜବତ ହୋଇଛି। ଅଭିଯୁକ୍ତଙ୍କୁ ସିବିଆଇ କୋର୍ଟକୁ ଚାଲାଣ କରାଯାଇଛି। ସିବିଆଇ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
sundargarh | Crime cbi raid
Follow Us