ଭବାନୀପାଟଣାରେ ମେଡିକାଲ କଲେଜକୁ ମିଳିଲା ଅନୁମୋଦନ, ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ପାଠପଢ଼ା

Advertisment
ଭବାନୀପାଟଣାରେ ମେଡିକାଲ କଲେଜକୁ ମିଳିଲା ଅନୁମୋଦନ, ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ବର/ଭବାନୀପାଟଣା: ଓଡ଼ିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାଠାରେ ମେଡିକାଲ କଲେଜ ଖୋଲିବା ନେଇ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ (ନ୍ୟାସନାଲ୍ ମେଡିକାଲ୍ କମିସନ୍) ଅନୁମୋଦନ ଦେଇଛନ୍ତି। ଏଠାରେ ଖୋଲାଯିବାକୁ ଥିବା ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌ ପାଇଁ ଏନ୍‌ଏମ୍‌ସି ଅନୁମୋଦନ ଦେଇଥିବା ଜଣାଯାଇଛି। ଏ ନେଇ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ମେଡିକାଲ କଲେଜ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ଆରମ୍ଭ ହେବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି।

ଏ ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ ଏହି ଅନୁଷ୍ଠାନ ରାଜ୍ୟବାସୀଙ୍କର ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂରଣ କରିବ। ୨୦୨୩-୨୪ ଶିକ୍ଷାବର୍ଷଠାରୁ ଏଠାରେ ୧୦୦ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀ ପାଠପଢ଼ା ଆରମ୍ଭ କରିବେ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ କଟକରେ ଏସ୍‌ସିବି, ସମ୍ବଲପୁରରେ ବୁର୍ଲା ମେଡିକାଲ କଲେଜ, ବ୍ରହ୍ମପୁରରେ ଏମ୍‌କେସିଜି, ବାଲେଶ୍ବରରେ ଫକୀରମୋହନ ମେଡିକାଲ କଲେଜ, ବାରିପଦାରେ ରଘୁନାଥ ମୁର୍ମୁ ମେଡିକାଲ କଲେଜ, କୋରାପୁଟରେ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ, ବଲାଙ୍ଗୀରରେ ଭୀମଭୋଇ ମେଡିକାଲ କଲେଜ ରହିଛି। ଏତଦ୍‌ ବ୍ୟତୀତ ଗତବର୍ଷ କେନ୍ଦୁଝର ଓ ସୁନ୍ଦରଗଡ଼ରେ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହୋଇଥିଲା ବେଳେ ଏବେ ଭବାନୀପାଟଣାରେ ମେଡିକାଲ କଲେଜକୁ ଏନ୍‌ଏମ୍‌ସିର ଅନୁମୋଦନ ମିଳିବା ‌ପରେ ମେଡିକାଲ ପାଠ ପଢ଼ିବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକଙ୍କ ମନରେ ନୂଆ ଆଶା ସଂଚାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe