ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଏନ୍ଏଚ୍ଆର୍ସିର ତିନିଜଣିଆ ଟିମ୍ ପହଞ୍ଚି ଆଜିଠୁ ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳବାର ରାତିରେ ବଲାଙ୍ଗୀର ପହଞ୍ଚିଥିବା ଟିମ୍ ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀରରେ ରହି ତଦନ୍ତ କରିବେ।
ବୁଧବାର ପ୍ରଥମ ଦିନରେ ଏନ୍ଏଚ୍ଆର୍ସି ଟିମ୍ରେ ଆସିଥିବା ବିମଳଜିତ ଉପ୍ପାଳ, ଚନ୍ଦ୍ରଶେଖର, ମାଧବାନନ୍ଦ ରାଉତ ମେଡିକାଲ କଲେଜ ଭିତରେ ତନାଘନା କରିଛନ୍ତି। ତିନିଜଣିଆ ଟିମ୍ ପ୍ରଥମେ ଡାକ୍ତରୀଛାତ୍ର ନିଶାନ୍ତ ମୃତ୍ୟୁବରଣ କରିଥିବା ବଏଜ ହଷ୍ଟେଲର ଉପର ମହଲାକୁ ଯାଇ ତଦନ୍ତ କରିଥିଲେ। ତାପରେ ଛାତ ଉପରୁ ନିଶାନ୍ତର ଶବ ପଡ଼ିଥିବା ସ୍ଥାନରେ ପହଞ୍ଚି ତଦନ୍ତ କରିଥିଲେ। ଏପରିକି କଲେଜ ଭିତରେ ଥିବା କାଉନସିଲ ହଲ୍ ଭିତରେ ଜେରା ଆରମ୍ଭ କରିଥିଲେ ତିନିଜଣିଆ ଟିମ୍। ଆଜି ପ୍ରଥମ ଦିନରେ ହଷ୍ଟେଲରେ ନିଶାନ୍ତଙ୍କ ମୃତ୍ୟୁ ଦିନ ଡ୍ୟୁଟିରେ ଥିବା ସୁଇପର, ସୁରକ୍ଷାକର୍ମୀ ଏବଂ ଆଣ୍ଟିରାଗିଂ ସ୍କ୍ବାଡର କର୍ମଚାରୀମାନଙ୍କୁ ଜେରା କରାଯାଇଥିବା ଜଣାପଡ଼ିଛି। ଦିନ ତମାମ ତନାଘନା କରିଛନ୍ତି ଟିମ୍ ସଦସ୍ୟ। ଗୁରୁବାର ବିଭିନ୍ନ ବିଭାଗର ଏଚ୍ଓଡି, କର୍ମଚାରୀ ଓ ମେଡିକାଲ ଛାତ୍ରମାନଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି। ଗତ ଏପ୍ରିଲ୨୨ ତାରିଖ ଦିନ ମେଡିକାଲ କଲେଜର ପ୍ରଥମବର୍ଷ ଛାତ୍ର ନିଶାନ୍ତ କୁମାରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ନିଶାନ୍ତଙ୍କ ବାପା ରାଗିଂ ଯୋଗୁ ପୁଅର ମୃତ୍ୟୁ ହୋଇଥିବା ନେଇ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
/sambad/media/post_attachments/wp-content/uploads/2022/06/6-26.jpg)
ଘଟଣାକୁ ନେଇ ନିଶାନ୍ତଙ୍କ ବାପା ଏନ୍ଏଚ୍ଆର୍ସିର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। ତାପରେ ଏନ୍ଏଚ୍ଆର୍ସିର ତିନିଜଣିଆ ଟିମ୍ ବଲାଙ୍ଗୀର ଆସି ପୂରା ଘଟଣାର ତଦନ୍ତ କରୁଛନ୍ତି। ତେବେ, ତଦନ୍ତ ସମ୍ପର୍କରେ ପୁଲିସ, ପ୍ରଶାସନ, ମେଡିକାଲ କର୍ତ୍ତୃପକ୍ଷ କିଂବା ଏନ୍ଏଚ୍ଆର୍ସି ଟିମ୍ କେହି ହେଲେ ତଦନ୍ତ ପ୍ରକ୍ରିୟା ସଂପର୍କରେ କିଛି ପ୍ରକାଶ କରୁନାହାନ୍ତି।
Follow Us