ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

Advertisment
ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

newindianexpress.com

ବାଲେଶ୍ୱର: ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ମୃତ ଛାତ୍ରଜଣକ ମେଡିକାଲ କଲେଜର ତୃତୀୟ ବର୍ଷର ଏମବିବିଏସ ଛାତ୍ର ହିତେଷ୍ଣୁ ଦାସ(୨୨) ବୋଲି ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ମିଳିଥିବା ସୂଚନା ମୁତାବକ, ହିତେଷ୍ଣୁ ଫକୀରମୋହନ ମେଡିକାଲ କଲେଜର ପୁରୁଷ ଛାତ୍ରାବାସର ୩ ନମ୍ବରରେ ରୁମରେ ରହୁଥିଲେ। ଗତକାଲି ରାତିରେ ସେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ। ତେବେ ରାତି ସାଢ଼େ ୩ଟା ବେଳେ ସେହି କ୍ୟାମ୍ପସର ୩ଜଣ ଛାତ୍ର ବାଲେଶ୍ୱର ଷ୍ଟେସନକୁ ଆସୁଥିବା ବେଳେ ହିତେଷ୍ଣୁଙ୍କ ମୃତଦେହ ୫ ମହଲାବିଶିଷ୍ଟ ଏକାଡେମିକ ବିଲ୍ଡିଂ ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୁଲିସକୁ ଖବର ଦେଇଥିଲେ।

ତେବେ ଘଟଣା ପଛରେ ପ୍ରକୃତ ରହସ୍ୟ କଣ ରହିଛି, ସେ କୌଣସି କାରଣରୁ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାର ଶିକାର ହୋଇଛନ୍ତି, ଏତେ ରାତିରେ ୫ମହଲା ବିଶିଷ୍ଟ ଏକାଡେମିକ ବିଲ୍ଡିଂ ଉପରକୁ ସେ କାହିଁକି ଯାଇଥିଲେ, ସେଠାକୁ ଯଦି ଆତ୍ମହତ୍ୟା କରିବାକୁ ଯାଇଥିଲେ ତେବେ ନିଜେ ରହୁଥିବା ୫ମହଲା ବିଶିଷ୍ଟ ଛାତ୍ରାବାସ ବିଲ୍ଡିଂରୁ ନଡେଇଁ ଏକାଡେମିକ ବିଲ୍ଡିଂକୁ କାହିଁକି ଗଲେ। ଏସବୁ ତମାମ ପ୍ରଶ୍ନ ଉପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିବା ଶିଳ୍ପାଞ୍ଚଳ ଥାନା ଆଇଆଇସି ସଲଖାନ ମୁର୍ମୁ କହିଛନ୍ତି। ଏନେଇ ୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି।
ସୂଚନା ଥାଉକି, ହିତେଷ୍ଣୁଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧୀନ ରସାଲପୁର ପଞ୍ଚାୟତ ଭୀମପୁରା ଗ୍ରାମରେ। ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ବାଲେଶ୍ୱର ଜିଲ୍ଲା ପୁଲିସ ମୁଖ୍ୟାଳୟ(ଡିପିଓ)ରେ ମୁଖ୍ୟ କିରାଣି ଭାବେ ଚାକିରୀ କରିଥିଲେ। ନିକଟରେ ସେ ଅବସର ନେଇଛନ୍ତି ଏବଂ ବାଲେଶ୍ୱର ସହର ଓଟିରୋଡ ସ୍ଥିତ ପୁଲିସ କଲୋନିର ଇ/୨୫ କ୍ୱାର୍ଟରରେ ତାଙ୍କ ପରିବାର ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe