ଡାକ୍ତରୀ ଛାତ୍ରଙ୍କ ଘରବାହୁଡା: ଫେରିଲେ ସ୍ମୃତିସିକ୍ତା ଓ ନେଲସନ୍‌

ଡାକ୍ତରୀ ଛାତ୍ରଙ୍କ ଘରବାହୁଡା: ଫେରିଲେ ସ୍ମୃତିସିକ୍ତା ଓ ନେଲସନ୍‌

ଇବ୍‌ଥର୍ମାଲ: ୟୁକ୍ରେନର ଭୟଙ୍କର ଯୁଦ୍ଧର ଘନଘଟା ମଧ୍ୟରୁ ସୁରକ୍ଷିତ ଫେରିବା ଦ୍ବିତୀୟ ଜନ୍ମ ପରି ଲାଗୁଛି। ଭଗବାନଙ୍କ କୃପା ଓ ବାପା ମା’ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଏହା ସହିତ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ କୋହଭରା କଣ୍ଠରେ ଧନ୍ୟବାଦ ଦେଇଛନ୍ତି ଝାରସୁଗୁଡ଼ା

ବନ୍ଧବାହାଲ କଲୋନି ନିବାସୀ ଡାକ୍ତରୀ ଛାତ୍ରୀ ସ୍ମୃତିସିକ୍ତା ବେହେରା। ଖାର୍କିଭ୍‌ ନ୍ୟାସନାଲ୍‌ ମେଡିକାଲ ୟୁନିଭର୍ସିଟିରେ ଷଷ୍ଠ ବର୍ଷର ଛାତ୍ରୀ ସ୍ମୃତିସିକ୍ତା ଫେରିବା ପରେ ପରିବାରରେ ଆନନ୍ଦର ଲହରି ଖେଳି ଯାଇଛି। ଶନିବାର ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସ୍ମୃତିସିକ୍ତା ପହଞ୍ଚିବା ପରେ ବାପା ଅନୁପ ବେହେରା, ମା’ ଡଲି ବେହେରା, ଭାଇ ରାଜ୍, ବନ୍ଧୁ ଅଜୟ ବିଶ୍ବାଳ ଓ ଲକ୍ଷ୍ମୀ ନାଏକ ତାଙ୍କୁ ଆଣିବା ପାଇଁ ଯାଇଥିଲେ। ସ୍ମୃତିସିକ୍ତା କହନ୍ତି-ଯୁଦ୍ଧ ହେବା ସୂଚନା ମିଳୁଥିଲେ ହେଁ ୨୩ ତାରିଖ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା। ୨୪ ତାରିଖ ଭୋର ୫ଟା ବେଳେ ଆମେ ରହୁଥିବା ଅଞ୍ଚଳରେ ବିସ୍ଫୋରଣ ହେଲା।

ସମସ୍ତେ ଭୟଭୀତ ହୋଇ ବଙ୍କର ଭିତରକୁ ପଳାଇଥିଲୁ। ଦିନକୁ ଦିନ ଯୁଦ୍ଧ ବିଭୀଷିକା ବଢ଼ିବାରୁ ମାର୍ଚ୍ଚ ୧ ତାରିଖ ଆମେ ସମସ୍ତେ ସ୍ଥାନ ଛାଡି ପଳେଇବାକୁ ସ୍ଥିରକଲୁ। ଟ୍ୟାକ୍‌ସି ବୁକ୍ କରି ରେଲଓ୍ବେ ଷ୍ଟେସନ ଗଲୁ। ଟ୍ରେନ୍‌ ଯୋଗେ ୟୁକ୍ରେନ ସୀମା ଲିଭିଭ୍ ପହଞ୍ଚି ୩ ତାରିଖରେ ପୋଲାଣ୍ଡ ସୀମାରେ ପହଞ୍ଚିଲୁ। ଯାତାୟାତ ବେଳେ ୟୁକ୍ରେନରେ କେହି ହଇରାଣ କରିନାହାନ୍ତି। ପୋଲାଣ୍ଡରୁ ଇସ୍ତାନବୁଲ ଏବଂ ଇସ୍ତାନବୁଲରୁ ଦିଲ୍ଲୀରେ ପଦଞ୍ଚିଲୁ। ଆମକୁ ଦିଲ୍ଲୀରେ ଓଡ଼ିଶା ଭବନରେ ରଖାଗଲା।

ଅନ୍ୟପକ୍ଷରେ ତିଲିଆ ପଞ୍ଚାୟତ କଣ୍ଟାଟିକ୍ରା ଗ୍ରାମର ରାଜେନ୍ଦ୍ର ସାହୁଙ୍କ ପୁଅ ନେଲସନ କହନ୍ତି, ଯୁଦ୍ଧ ଆରମ୍ଭ ହେବାପରେ ସାଙ୍ଗେ ସାଙ୍ଗେ ବାହାରିବା ସମ୍ଭବ ହେଲାନି। ୫ ଦିନ ଭୟଭୀତ ଅବସ୍ଥାରେ ରହିଲୁ। ଖାଇବା ପିଇବା ସମସ୍ୟା ଥିଲା। ଯାହା ମିଳୁଥିଲା ଭାଗବଣ୍ଟା କରି ଖାଉଥିଲୁ। କିଛିଦିନ ସ୍ବେଚ୍ଛାସେବୀମାନେ ଖାଦ୍ୟ ପହଞ୍ଚାଇଥିଲେ। ଯୁଦ୍ଧ ଭୟାବହତା ବଢ଼ିବା ପରେ ତାହା ବି ବନ୍ଦ ହୋଇଗଲା। ନେଲସନ ପଞ୍ଚମ ବର୍ଷର ଡାକ୍ତରୀ ଛାତ୍ର। ସେ ଟ୍ୟାକ୍ସି ସହାୟତାରେ ରେଲ୍‌ୱେ ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରୁ ଲିଭିଭ୍ ଓ ପରେ ପୋଲାଣ୍ଡ ସୀମାରେ ପହଞ୍ଚିଥିଲେ।

ପୋଲାଣ୍ଡ ସୀମାରେ ଭାତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ପରେ ବିମାନ ଯୋଗେ ଦିଲ୍ଲୀ ଆଣି ଓଡ଼ିଶା ଭବନରେ ରଖାଗଲା। ତାଙ୍କୁ ଭୁବନେଶ୍ବର ବିମାନ ଯୋଗେ ପଠାଯିବା ପରେ ଓଡ଼ିଶା ଶିକ୍ଷା ବିଭାଗ ପକ୍ଷରୁ ଏକ କାର ଯୋଗେ ତାଙ୍କୁ ଭୁବନେଶ୍ବରରୁ ଆଣି ଘରେ ଛଡ଼ାଯାଇଥିଲା। ବିଯୁକ୍ତ ତାପମାତ୍ରା ସାଙ୍ଗକୁ ସୁରକ୍ଷିତ ପହଞ୍ଚିବା ଚିନ୍ତା ସବୁବେଳେ ଆମକୁ ବିଚଳିତ କରୁଥାଏ। ଆଜି ଝିଅ ସୁରକ୍ଷିତ ପହଞ୍ଚିବା ହେତୁ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ମୃତିସିକ୍ତାଙ୍କ ବାପା ଓ ମା’।

ବନ୍ଧବାହାଲର ସ୍ବାଗତିକା ନାଏକ ମଧ୍ୟ ସୁରକ୍ଷିତ ଅଛନ୍ତି। ସେ ଆସନ୍ତାକାଲି ଦିଲ୍ଲୀରୁ ଆସି ଝାରସୁଗୁଡ଼ା ପହଞ୍ଚିବେ ବୋଲି କହିଛନ୍ତି ତାଙ୍କ ବାପା ରାଜରାମ ନାଏକ ଓ ମା’ ଲକ୍ଷ୍ମୀ ନାଏକ। ପ୍ରହଲ୍ଲାଦ ସାହୁଙ୍କ ପୁଅ ଦେବୀ ପ୍ରସାଦ (ଷଷ୍ଠ ବର୍ଷ ଛାତ୍ର) ଭୀଷଣ ଅବସ୍ଥାର ସମ୍ମୁଖୀନ କରି ପୋଲାଣ୍ଡ ସୀମାରେ ପହଞ୍ଚିଛନ୍ତି। ସେ ଏବେ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି ବୋଲି ବାପା-ମା’ କହିଛନ୍ତି। ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଦିନ ଅବିଭାବଙ୍କ ସହ ଯୋଗାଯୋଗ ରଖାଯାଇଥିବାରୁ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି ଅଭିଭାବକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe