ଭୁବନେଶ୍ୱର : ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବୁଧବାର ଦିନ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି। ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଅଧାରୁ ପାଠ ଛାଡ଼ି ସ୍ବଦେଶ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ସମାପ୍ତ କରିବା ପାଇଁ ସରକାରଙ୍କ ତରଫରୁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ସେମାନେ ଦାବି କରିଛନ୍ତି। ଓଡ଼ିଶାକୁ ପ୍ରାୟ ୪୭୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଫେରିଛନ୍ତି। ଅଧାରୁ ପାଠ ଛାଡୁଥିବାରୁ ସେମାନଙ୍କର ଭବିଷ୍ୟତ ଏକରକମର ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ତେଣୁ ସେମାନଙ୍କ ଶିକ୍ଷା ସମାପ୍ତ କରିବାପାଇଁ ଦେଶରେ ଥିବା ଡାକ୍ତରୀ ଶିକ୍ଷାନୁଷ୍ଠାନମାନଙ୍କରେ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।
ପୂର୍ବରୁ ୟୁକ୍ରେନରୁ ଫେରିଥିବା ଶେଷ ବର୍ଷର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ତରଫରୁ ଇଣ୍ଟର୍ନସିପ୍ ବ୍ୟବସ୍ଥା କରାଯାଇଥିଲା। ତେବେ ଯେଉଁ ପିଲା ମାନେ ଅଧାରୁ ପାଠପଢ଼ା ଛାଡିଥିଲେ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଆଜିର ଏହି ଧାରଣାରେ ରାଜ୍ୟ ବିଭିନ୍ନ ପ୍ରାନ୍ତରୁ ଶତାଧିକ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ।
Follow Us