ଯୁବାବସ୍ଥାରେ ଅକାଳ ବାର୍ଦ୍ଧକ୍ୟ: ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍‌, ପାଣି ଓ ରକ୍ତ ନମୁନା ସଂଗ୍ରହ

ଅଜଣା ରୋଗ ଯୋଗୁ ‌‌ଯୌବନରେ ବାର୍ଦ୍ଧକ୍ୟ ଗ୍ରାସ କରିବା ଘଟଣା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି। ଆଜି ଚନ୍ଦାହାଣ୍ଡି ବ୍ଲକ୍‌ ଗମ୍ଭାରିଗୁଡ଼ା ପଞ୍ଚାୟତର ଖଇରାଭାଡ଼ି ଗାଁରେ କାରଣ ଖୋଜିଛି ଡାକ୍ତରୀ ଟିମ୍‌।

fhfhfkhfhkh

ଚନ୍ଦାହାଣ୍ଡି/ନବରଙ୍ଗପୁର: ଅଜଣା ରୋଗ ଯୋଗୁ ‌‌ଯୌବନରେ ବାର୍ଦ୍ଧକ୍ୟ ଗ୍ରାସ କରିବା ଘଟଣା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି। ଆଜି ଚନ୍ଦାହାଣ୍ଡି ବ୍ଲକ୍‌ ଗମ୍ଭାରିଗୁଡ଼ା ପଞ୍ଚାୟତର ଖଇରାଭାଡ଼ି ଗାଁରେ କାରଣ ଖୋଜିଛି ଡାକ୍ତରୀ ଟିମ୍‌। ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ‌କରିବା ସହ ପାଣି ଓ ରକ୍ତ ନମୁନା ସଂଗ୍ରହ କରିଛି। ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ନବକିଶୋର ବେହେରା, ଏପିଡେମିଓଲୋଜିଷ୍ଟ ଡା. ମହମ୍ମଦ ଇର୍ସାଦ ଖାନ୍, ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡା. ସନ୍ଦୀପ ଶତପଥୀ, ମାଇକ୍ରୋବାୟୋଲୋଜିଷ୍ଟ ରାଜ ଦତ୍ତ ଓ ଡିଭିବିଡିସି ଦିନେଶ ପ୍ରହରାଜ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଥିଲେ। ନମୁନା ପରୀକ୍ଷା ପାଇଁ ଯିବ, ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ଡାକ୍ତରୀ ଟିମ୍‌ର ନିରୀକ୍ଷଣ ସମୟରେ ଆପେଆପେ ୬ଜଣ ବ୍ୟକ୍ତିଙ୍କ ଗୋଡ଼ ଓ ଅଣ୍ଟା ବଙ୍କା ହୋଇଯାଇଥିବା ଦେଖିବାକୁ ପାଇଥିଲେ। ସେମାନଙ୍କ ରକ୍ତ ନମୁନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ ନମୁନା ରାଜ୍ୟ ଲ୍ୟାବ୍‌କୁ ପଠାଯିବ। ସେହିପରି ବିଡିଓଙ୍କ ସହ ବି ଡାକ୍ତରୀ ଟିମ୍‌ ଆଲୋଚନା କରିଥିଲା। ଆଲୋଚନାରେ ଆରଡବ୍ଲୁଏସ୍‌ଏସ୍‌ ଯନ୍ତ୍ରୀ ସାମିଲ ଥିଲେ। ପାଣିରେ ଫ୍ଲୋରାଇଡ୍ ମିଶ୍ରଣ ନେଇ ସନ୍ଦେହ ହେବାରୁ ବିଭାଗ ପକ୍ଷରୁ ନଳକୂପରେ ଫ୍ଲୋରାଇଡ୍‌କୁ ଅଲଗା କରିବା ପାଇଁ ଏକ ମେସିନ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିଡିଓ ରାମକୃଷ୍ଣ ନାୟକଙ୍କ କହିବା ଅନୁଯାୟୀ ଏହି ନଳକୂପର ପାଣିରେ ଫ୍ଲୋରାଇଡ୍‌ ରହିଥିବାରୁ ପାଣି ପିଇବା ପାଇଁ ବାରଣ କରାଯିବ। ନଳକୂପରେ ମେସିନ୍ ଖଞ୍ଜାଯାଇ ଫ୍ଲୋରାଇଡ୍‌ମୁକ୍ତ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଏ ନେଇ ଆସନ୍ତାକାଲି ଜିଲ୍ଲାପାଳଙ୍କ ସହିତ ବୈଠକ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଖଇରଭାଡ଼ି ଗ୍ରାମର ୨ଟି ସାହିରେ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ବହୁ ଦିନ ହେଲା ଗୋଟିଏ ସାହି ବାସିନ୍ଦାଙ୍କ ଦାନ୍ତ ହଳଦିଆ, କଳା ପଡ଼ିଯିବା ସହ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଅନ୍ୟ ଏକ ସାହିରେ ବହୁ ଦିନ ହେଲା ଲୋକ ଅଜଣା ରୋଗରେ ଶିକାର ହେବାରୁ ହାତଗୋଡ଼, ଅଣ୍ଟା ବଙ୍କା ହେବା ସହ ଯୌବନରେ ବାର୍ଦ୍ଧକ୍ୟ ମାଡ଼ି ଆସୁଛି। ଏହି ରୋଗରେ ଗ୍ରାମର ସମାଜସେବୀ ଚିତ୍ରୁ ସାହୁଙ୍କ ପରିବାରରୁ ୩ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ବର୍ତ୍ତମାନ ତାଙ୍କ ପତ୍ନୀ ଏହି ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି। ସେହିପରି ସେବନ ଗୌଡ଼ ଏହି ରୋଗରେ ତାଙ୍କ ପତ୍ନୀଙ୍କୁ ହରାଇବା ସହ ନିଜେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe