ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ଅପରାହ୍ନ ୩ଟା ବେଳେ ମାଉସୀ ମା’ ମନ୍ଦିର ନିକଟରୁ ପ୍ରଥମେ ଗଡ଼ିଥିଲା ଜଗନ୍ନାଥଙ୍କ ରଥ। ଅପରାହ୍ନ ୫ଟାରେ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲା। ସନ୍ଧ୍ୟା ୫ଟା ୩୦ରେ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହୋଇଥିଲା। କେବଳ ମହିଳାମାନେ ରଥ ଟାଣିଥିବା ବେଳେ ଟାଉନ୍ ଥାନା ସମ୍ମୁଖରେ ଅଟକିଛି। ଆସନ୍ତାକାଲି ମା’ଙ୍କ ରଥ ଟଣା ସରିବା ପରେ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହେବ। ରଥରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଝିପିଝିପି ବର୍ଷା ସତ୍ତ୍ବେ ୨ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ଶ୍ରୀଜଗନ୍ନାଥ ଧ୍ବନି ଓ ସଂକୀର୍ତ୍ତନ ଧ୍ବନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା। ନୃତ୍ୟଶିଳ୍ପୀମାନେ ହରି ପ୍ରେମରେ ବିଭୋର ହୋଇ ନୃତ୍ୟ ପରିବେଷଣ କରିଥିଲେ। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଉପ ନଗରପାଳ ସୀମା ଦାସଙ୍କ ସହ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ରଥ ଟାଣିଥିଲେ।
ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଏସ୍ପି ଏସ୍ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ନେତ୍ରାନନ୍ଦ ମଲ୍ଲିକ, ଉଦୟ କୁମାର ମହାପାତ୍ର ଓ ଦୌଲତ ଚନ୍ଦ୍ରକାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ବାଇଁ, ଉପ ଜିଲ୍ଲାପାଳ ଈଶ୍ବର ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍ପି ଉମାଶଙ୍କର ମହାରଣା, ଉମେଶ ଚନ୍ଦ୍ର ପଣ୍ଡା, ବାରିପଦା ଉପଖଣ୍ଡ ପୁଲିସ ଅଧିକାରୀ ସୁଜିତ କୁମାର ପ୍ରଧାନ, ବାରିପଦା ଟାଉନ୍ ଥାନାଧିକାରୀ ସୁମିତ କୁମାର ସୋରେନ, ଭଞ୍ଜପୁର ଥାନାଧିକାରୀ କରୁଣାକର ରାଉତ, ସଦର ଥାନାଧିକାରୀ ମଧୁମିତା ମହାନ୍ତି ଏବଂ ଅନ୍ୟ ଥାନାଧିକାରୀମାନେ ଉପସ୍ଥିତ ରହି ଆଇନଶୃଙ୍ଖଳା ସ୍ଥିତି ତଦାରଖ କରିଥିଲେ।
Follow Us