ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସ୍ୱତନ୍ତ୍ର ରିଲିଫ କମିସନର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି। ଜିଲ୍ଲାସ୍ତରରେ ପ୍ରସ୍ତୁତି ଫୋକସରେ ରହିଛି। ଜରୁରୀକାଳୀନ ଅପରେସନ ସେଣ୍ଟର, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା, ଲୋକଙ୍କୁ ସ୍ଥାନାନ୍ତରିତ କରିବା ଯୋଜନା, ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତି, ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ଆଦି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଛି।
ଉଲ୍ଲେଖଯୋଗ୍ୟ, ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଓ କନ୍ଧମାଳର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀ ଅପରେସନ୍ ଅଫିସ୍ ଓ କଣ୍ଟ୍ରୋଲ୍ ରୁମ୍ ଖୋଲା ରଖିବାକୁ କୁହାଯାଇଛି ଅସୁରକ୍ଷିତ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ବି ଏହି ଚିଠିରେ ନିର୍ଦ୍ଦେଶ ରହିଛି। ନିରାପଦ ସ୍କୁଲରେ ଲୋକଙ୍କୁ ରଖିବା ଲାଗି ପରାମର୍ଶ ଦିଆଯାଇଛି। ସମସ୍ତ ବାତ୍ୟା ଓ ବନ୍ୟା ଆଶୟସ୍ଥଳୀଗୁଡ଼ିକୁ ତନଖି କରିବା ଲାଗି ବିଡିଓ ଏବଂ ତହସିଲଦାରମାନଙ୍କୁ କୁହାଯାଇଛି।
ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ଏହା ବାତ୍ୟାର ରୂପ ନେବ। ବାତ୍ୟା ଏବେ କେଉଁଠି ସ୍ଥଳଭାଗକୁ ଛୁଇଁବ ତାହା ସ୍ପଷ୍ଟ ହୋଇନଥିଲେ ହେଁ ବିଭିନ୍ନ ପାଣିପାଗ ମଡେଲ୍ର ପୂର୍ବାନୁମାନ ଅନୁଯାୟୀ ଏହା ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି।
Follow Us