ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ପରିସରରେ ଛାତ୍ର ବିଜେଡି ବୈଠକ

କଲେଜ କ୍ୟାମ୍ପସରେ ପୁଲିସ ମୁତୟନ

ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ପରିସରରେ ଛାତ୍ର ବିଜେଡି ବୈଠକ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ପରିସରରେ କେନ୍ଦୁଝର ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ପଟ୍ଟନାୟକଙ୍କ ବୈଠକକୁ ନେଇ ଆଜି କଲେଜ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଜେପି ଯୁବମୋର୍ଚ୍ଚା ଓ ଏବିଭିପି ପକ୍ଷରୁ କଲେଜ ଫାଟକରେ ତାଲା ପକାଯିବା ସହ ଅଧ୍ୟକ୍ଷଙ୍କୁ ଘେରାଉ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଲେଜ କ୍ୟାମ୍ପସରେ ପୁଲିସ ମୁତୟନ କରିବାକୁ ପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ପ୍ରାୟ ୨ଟା ବେଳେ କେନ୍ଦୁଝର ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ପଟ୍ଟନାୟକ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପହଞ୍ଚିଥିଲେ। ସିଧାସଳଖ କଲେଜ ଅଧ୍ୟକ୍ଷ ରଂଜନ କୁମାର ପଣ୍ତାଙ୍କୁ ସାକ୍ଷାତ କରି କ୍ୟାମ୍ପସ କମିଟି ଚୟନ ବିଷୟରେ ଆଲୋଚନା କରିବା ସହ କଲେଜର ଉନ୍ନୟନ କାମ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଏକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ନେଇ ବୈଠକ କରୁଥିଲେ। ଏନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଖବର ପାଇ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ କଲେଜରେ ପହଞ୍ଚି ଅଧ୍ୟକ୍ଷଙ୍କୁ ଘେରାଉ କରିଥିଲେ। କଲେଜ କ୍ୟାମ୍ପସକୁ ରାଜନୀତିମୁକ୍ତ କରିବା ପାଇଁ ଲିଙ୍ଗଡ଼ୋ କମିସନଙ୍କ ନିର୍ଦେଶ ଥିବା ବେଳେ ଏହାକୁ ଖୋଲା ଉଲ୍ଲଂଘନ କରି ଛାତ୍ର ବିଜେଡି ସଭାପତିଙ୍କୁ ବୈଠକ କରିବାକୁ କିପରି ଅନୁମତି ଦିଆଗଲା ବୋଲି କଲେଜ ଅଧ୍ୟକ୍ଷ ରଂଜନ କୁମାର ପଣ୍ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ପ୍ରତିବାଦରେ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପାଇ ଘଟଗାଁ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା। ଶେଷରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏନେଇ ଏକ ସ୍ମାରକପତ୍ର କଲେଜ ଅଧ୍ୟକ୍ଷଙ୍କୁ ଦିଆଯାଇଛି। ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ବିଜେପି ଯୁବମୋର୍ଚ୍ଚାର ରୁଦ୍ରପ୍ରସାଦ ବେହେରା, ପ୍ରୀତମ ରୋଶନ ମହାପାତ୍ର, ସତ୍ୟମ ଦେହୁରୀ, ଏବିଭିପିର ରାଜ୍ୟ ସଂଯୋଜକ ଦିବ୍ୟଜ୍ୟୋତି ନନ୍ଦଙ୍କ ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଛି। ଏନେଇ ଅଧ୍ୟକ୍ଷ ରଂଜନ କୁମାର ପଣ୍ତାଙ୍କୁ ପଚାରିବାରୁ, ଶ୍ରେଣୀଗୃହରେ କୌଣସି ବୈଠକ ବସିବା ନେଇ ତାଙ୍କ ଦୃଷ୍ଟିଗୋଚର ହୋଇ ନଥିଲା। ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାମାନେ ଫଟୋ ଦେଖାଇବା ପରେ ସେ ଏହା ଉପରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe