ସରିଲା ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ: ଗଠନ ହେବ କମିଟି, ଡିସେମ୍ବର ୨୦ ମଧ୍ୟରେ ଆସିବ ନିଷ୍ପତ୍ତି

ଶିକ୍ଷକଙ୍କୁ ସରକାରଙ୍କ ନାଲିଆଖି: ଆନ୍ଦୋଳନରେ ସାମିଲ ହେଲେ ଦରମା ବନ୍ଦ!

ଭୁବନେଶ୍ବର: ଲୋୟର ପିଏମ୍‌ଜି ଛକରେ ଆନ୍ଦୋଳନରତ ଶିକ୍ଷକଙ୍କ ଦାବି ନେଇ ବୁଧବାର ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ହୋଇଥିବା ନିଷ୍ବତ୍ତି ଅନୁସାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ଉନୟନ କମିସନର, ଅର୍ଥ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ରହିବେ। ଏହି କମିଟି ଆସନ୍ତା ଡିସେମ୍ବର ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା କରିବ ଏବଂ ନିଷ୍ପତ୍ତି ନେବ। ତେବେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନରୁ ହଟିବେ କି ନାହିଁ ସଙ୍ଘର ଷ୍ଟିୟରିଂ କମିଟିରେ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଗତ ରବିବାର ଦିନ ଠାରୁ ଶିକ୍ଷକମାନେ ୩ଦଫା ଦାବି ପୂରଣ ନେଇ ଜିଦ୍‌ରେ ଅଟଳ ଅଟଳ ଅଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜଧାନୀ ଛାଡ଼ିବେ ନାହିଁ କି ପିଲାଙ୍କ କ୍ଲାସ ନେବେନି ବୋଲି ଚେତାବନୀ ଦେଇଥିଲେ। ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଗୁରୁବାରଠାରୁ ସାମୂହିକ ଛୁଟିରେ ଯିବେ ବୋଲି ଧମକ ଦେଇଥିଲେ। ପିଲାଙ୍କ ପାଠପଢ଼ାରେ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶିକ୍ଷକମାନେ କହିଥିଲେ। ଆନ୍ଦୋଳନର ତୃତୀୟ ଦିନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନେତାମାନଙ୍କ ଆଲୋଚନା ବିଫଳ ହେବା ପରେ ଏଭଳି ଚରମବାଣୀ ଶୁଣାଇଥିଲେ।

ସୋମବାର ଗଣଶିକ୍ଷା ସଚିବ ଅଶ୍ବସ୍ତି ଏସ୍‌ଙ୍କ ସହ ଆଲୋଚନା ବିଫଳ ହୋଇଥିବା ବେଳେ ମଙ୍ଗଳବାର ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ସହ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରି ନ ଥିଲା। ଦାବି ପୂରଣ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୌଣସି ପ୍ରତିଶ୍ରୁତି ବି ଦିଆଯାଇ ନାହିଁ କି? ଆନ୍ଦୋଳନରୁ ଓହରି ପିଲାଙ୍କ ପାଠପଢ଼ାରେ ସାମିଲ ହେବାକୁ ଶିକ୍ଷକଙ୍କୁ କୌଣସି ପ୍ରକାର ଅନୁରୋଧ କରାଯାଇନି। ବରଂ ମୁଖ୍ୟ ସଚିବ ଆଲୋଚନା ବେଳେ କହିଥିଲେ ଯେ କେବଳ ଶିକ୍ଷକଙ୍କର ଏଭଳି ସମସ୍ୟା ହୋଇନାହିଁ। ରାଜ୍ୟ ସରକାରଙ୍କ ସବୁ ବିଭାଗରେ ଏମିତି ସ୍ଥିତି ହୋଇଛି। ସମସ୍ତଙ୍କୁ ଯଦି ପଦୋନ୍ନତି, ଗ୍ରେଡ୍‌ ପେ’ ଦିଆଯାଏ କିମ୍ବା ୭ମ ବେତନ କମିସନ ଅନୁଯାୟୀ ଦରମା ଦେବାକୁ ପଡ଼େ ତେବେ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ। ତେଣୁ ଏବେ ଅନ୍ୟ ରାଜ୍ୟଗୁଡ଼ିକରେ ଲାଗୁହୋଇଥିବା ଗ୍ରେଡ୍‌ ପେ’ ଓ ୭ମ ବେତନ କମିସନ ଉପରେ ରାଜ୍ୟ ସରକାର ତର୍ଜମା କରିବେ। ‌ଦାବି ପୂରଣ ଲାଗି ସମୟ ଲାଗିବ ବୋଲି ଶ୍ରୀ ମହାପାତ୍ର କହିଥିବା ଶିକ୍ଷକ ମହାସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe