Education Bytes
ଭୁବନେଶ୍ୱର : ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ସମ୍ବନ୍ଧୀୟ ଏକ ବୈଠକ ବୁଧବାର ଦିନ ଲୋକସେବା ଭବନସ୍ଥିତ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍ କହିଲେ ଜାତୀୟ ଆୟ ମେଧାବୃତ୍ତି ପରୀକ୍ଷା ପ୍ରତିବର୍ଷ ହୋଇଥାଏ। ଯେଉଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ କମ୍ ଥିବ ସେହି ପରିବାରର ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲା ଉକ୍ତ ବୃତ୍ତି ପାଇଁ ଆବେଦନ କରିପାରିବେ। ଏହି ବୃତ୍ତି ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ଗୋଟିଏ ପିଲାକୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ୪ ବର୍ଷ ପର୍ଯ୍ୟନ୍ତ ମିଳିବ।
ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ଯେପରି ଅଧାରୁ ପାଠପଢ଼ା ନ ଛାଡ଼ିବେ ସେଥିପାଇଁ ସରକାର ଏହି ବୃତ୍ତି ମାଧ୍ୟମରେ ପିଲାମାନଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ପୁନଶ୍ଚ ପରବର୍ତ୍ତୀ ସମୟରେ ଉକ୍ତ ବୃତ୍ତି ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଗଣଶିକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ତଥା ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍. ଆୟାର, ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ପ୍ରଥମିକ ଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀଙ୍କ ସମେତ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ଏବଂ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପ୍ରତିନିଧି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
Follow Us