ଭୁବନେଶ୍ବର: ୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ନୂତନ ଅନୁଦାନ ନୀତି ପ୍ରସ୍ତୁତ ନେଇ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳୀ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଲୋଚନା କରିଛନ୍ତି। ବୈଠକରେ ଅଧ୍ୟାପକ ଓ କର୍ମଚାରୀଙ୍କ ସମସ୍ୟା ଉପରେ ବ୍ୟାପକ ଆଲୋଚନା ହୋଇଥିଲା ଏବଂ ଖୁବ୍ଶୀଘ୍ର ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହେବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ପ୍ରତିଶ୍ରୁତି ଅନୁଯାୟୀ ଧାର୍ଯ୍ୟ ସମୟରେ ନିର୍ଦ୍ଦେଶନାମା ପ୍ରକାଶ କରା ନଯାଏ ତେବେ ପୁଣିଥରେ ଆନ୍ଦୋଳନ କରାଯିବ ଏବଂ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଆଲୋଚନା ସମୟରେ ବିଧାୟକ ଆଶ୍ରିତ ପଟ୍ଟନାୟକ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ନିର୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ସଂଘ ସଭାପତି ବିଶ୍ୱରଞ୍ଜନ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ପରିଚାଳନା କମିଟି ଦ୍ୱାରା ୨୦୦୮ ଜୁନ୍ ୧ରୁ ୨୦୧୮ ଜୁନ୍ ୧ ମଧ୍ୟରେ ନିଯୁକ୍ତ ଅଧ୍ୟାପକ କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବାକୁ ସରକାରଙ୍କ ନିକଟରେ ବାରମ୍ବାର ଦାବି ହୋଇଥିଲା। ମାତ୍ର କୌଣସି ସୁଫଳ ମିଳିଲା ନାହିଁ। ତେଣୁ ଅଗଷ୍ଟ ୧୬ ତଥା ଶିକ୍ଷକ ଦାବି ଦିବସରୁ ଅଧ୍ୟାପକ ଓ କର୍ମଚାରୀ ମହାବିଦ୍ୟାଳୟସ୍ତରରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୦ରୁ ୨୦ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ସହ ଆଲୋଚନା କରିବାକୁ ରାଜ୍ୟ ସରକାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁଯାୟୀ ବୈଠକ ଅନୁଷ୍ଠିତ ହୋଇଥିଲା।
Follow Us