ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ ବୈଠକ: ଭିଡ଼ ଉପରେ ରହିବ କଡ଼ା ନଜର

ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା, ଭିଆଇପିଙ୍କୁ ଚିହ୍ନଟ ପାଇଁ ରହିବେ ନୋଡାଲ୍‌ ଅଫିସର

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ ବୈଠକ: ଭିଡ଼ ଉପରେ ରହିବ କଡ଼ା ନଜର

ପୁରୀ : ଶ୍ରୀମନ୍ଦିରରେ ଭିତର କାଠ ଓ ବାହାର କାଠ ଦର୍ଶନ ବେଳେ ଜଗମୋହନ ଓ ନାଟମଣ୍ଡପ ଭିଡ଼ ଉପରେ କଡ଼ା ନଜର ରଖାଯିବ। ଜିଲ୍ଲା ପୁଲିସ ସହ ଜେଟିପି ଓ ପ୍ରତିହାରୀ ସେବାୟତଙ୍କୁ ଏହି ଦାୟିତ୍ବ ନ୍ୟସ୍ତ କରାଯାଇଛି। ଆଜି ରାତିରେ ଶ୍ରୀମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସର ଏକ ମିଳିତ ବୈଠକରେ ଏହିଭଳି ନିଷ୍ପତ୍ତି ନିଆଯାଇଛି।

କିଛିଦିନ ତଳେ ଶ୍ରୀମନ୍ଦିର ଦର୍ଶନ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଆଜିର ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଭିଆଇପି ଦର୍ଶନ ବ୍ୟବସ୍ଥାକୁ ନେଇ ତମ୍ବିତୋଫାନ ହୋଇଥିଲା। ଏନେଇ ବିସ୍ତୃତ ଆଲୋଚନା ପରେ ଭିଆଇପିଙ୍କୁ ଚିହ୍ନଟ ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ନୋଡାଲ୍‌ ଅଫିସର ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଛି। ନ୍ୟାୟପାଳିକା ‌ହୁଅନ୍ତୁ କି ଜିଲ୍ଲା ପ୍ରଶାସନ ଅବା ପୁଲିସ ପ୍ରଶାସନ, ଯେଉଁମାନଙ୍କ ଭିଆଇପି ଦର୍ଶନ ପାଇଁ ଆସିବେ, ସେମାନେ ଶ୍ରୀମନ୍ଦିରରେ ନିଯୁକ୍ତ ନୋଡାଲ୍‌ ଅଫିସରଙ୍କ ସହ ଯୋଗାଯୋଗ କରିବେ। ସଂପୃକ୍ତ ନୋଡାଲ୍‌ ଅଫିସର ଘଣ୍ଟିଦ୍ବାର ଦେଇ ଭିଆଇପିଙ୍କ ଦର୍ଶନ ବ୍ୟବସ୍ଥା କରାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ଏପରିକି କେଉଁମାନଙ୍କୁ ଭିଆଇପି ବର୍ଗରେ ରଖାଯିବ, ତା’ର ତାଲିକା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା। ବହୁଦିନରୁ ଶ୍ରୀମନ୍ଦିରରେ ସିସିଟିଭି ଅଚଳ ହୋଇ ପଡ଼ିଥିବାବେଳେ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଥିଲା।

ଏଥିସହିତ, ଦିବ୍ୟାଙ୍ଗ ଦର୍ଶନ ବ୍ୟବସ୍ଥାକୁ ନେଇ ବି ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ହ୍ବିଲ୍‌ ଚେୟାର୍‌ ବଦଳରେ ଦୋଳ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିସହ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଏହି ସମୟରେ ଦିବ୍ୟାଙ୍ଗମାନେ ନିଜର ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଖାଇ ଦୋଳରେ ଦର୍ଶନ ପାଇଁ ଯାଇପାରିବେ। କିନ୍ତୁ, ଏହି ଦୋଳ କେଉଁଭଳି ଡିଜାଇନ୍‌ର ହେବ, ତାହା ଚୂଡ଼ାନ୍ତ ହୋଇନି। ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏଥିପାଇଁ ସ୍ବତନ୍ତ୍ର ଏସ୍‌ଓପି ଜାରି ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe