ଦଶପଲ୍ଲା ଏନ୍ଏସିରେ କାର୍ଯ୍ୟକାରୀ ହେଉନି ମେଗା ପାନୀୟ ଜଳ ପ୍ରକଳ୍ପ, ପାଣି ପାଇଁ ଲୋକେ କଲବଲ

ଦଶପଲ୍ଲା ଏନ୍ଏସିରେ କାର୍ଯ୍ୟକାରୀ ହେଉନି ମେଗା ପାନୀୟ ଜଳ ପ୍ରକଳ୍ପ, ପାଣି ପାଇଁ ଲୋକେ କଲବଲ

ଦଶପଲ୍ଲା : ଗୋଟିଏ ନିର୍ବାଚନକୁ ସାମ୍ନା କରିଥିବା ଦଶପଲ୍ଲା ଏନ୍ଏସି ବା ସହରବାସୀ ଆଉ ମାତ୍ର କିଛି ଦିନ ପରେ ପୁଣି ଏକ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛନ୍ତି। ବଦଳିଛନ୍ତି ଅନେକ ନେତା, ବିଧାୟକ ଓ ପ୍ରଶାସକ। ହେଲେ ସୁଧୁରିନି ଦଶପଲ୍ଲା ଏନ୍ଏସି ଅଧିବାସୀଙ୍କ ସମସ୍ୟା। ପାନୀୟ ଜଳ ମୁନ୍ଦେ ପାଇଁ ବର୍ଷବର୍ଷ ଧରି କଲବଲ ହୋଇ ଆସୁଥିବା ଜନସାଧାରଣ ପୁଣି ଚଳିତ ଗ୍ରୀଷ୍ମରେ କଲବଲ ହେବା ନିଶ୍ଚିତ ହୋଇପଡିଛି। ହେଲେ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ କେବେ ଯେ କାର୍ଯ୍ୟକାରୀ ହେବ ତାହା ଏବେ ସମସ୍ତଙ୍କ ପାଇଁ ସ୍ବପ୍ନ ହୋଇ ରହିଛି।

publive-image

ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତିବର୍ଷ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆନୂଆ ପରିକଳ୍ପନା ହାତକୁ ନିଆଯାଉଛି। ପାନୀୟଜଳ ସମସ୍ୟାରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ବ୍ୟୟରେ କେଉଁଠି ୟୁ.ଜି.ଆର୍ ପାଣି ଟାଙ୍କି ନିର୍ମାଣ କରାଯାଉଛି ତ ପୁଣି ପ୍ରତି ପରିବାରକୁ ପାଇପ୍ ସଂଯୋଗ କରାଯିବା ଲକ୍ଷ୍ୟରେ ରାସ୍ତା ଖୋଳି ପାଇପ୍ ବିଛାଯାଇଛି। ପାନୀୟ ଜଳ ଯୋଗାଇବା ନେଇ ବିଭିନ୍ନ ବାହାନାରେ କାଗଜପତ୍ରରେ କୋଟିକୋଟି ଟଙ୍କା ବ୍ୟୟ ହୋଇ ଚାଲିଛି। ଏପଟେ ୱାର୍ଡର ବିଭିନ୍ନ ସ୍ଥାନରେ ବଡବଡ ହୋର୍ଡିଂ ଟାଙ୍ଗି ସରକାର ବାହାବାହା ନେଉଥିବା ବେଳେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ପାଲଟିଛି। ୧୬ ଗୋଟି ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ପାଣି ପାଇଁ ଡହଳବିକଳ ପରିସ୍ଥିତି ଲାଗି ରହିଛି। ପ୍ରାୟ ୪ ବର୍ଷ ତଳେ ୩ କୋଟି ଟଙ୍କା ବ୍ୟୟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। କୁଆଁରିଆ ନିକଟରେ ୱାଟର୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଡବ୍ଲୁଟିପି) ନିର୍ମାଣ ହେବା ସହ ମୁଖ୍ୟ ପାଇପଗୁଡିକ ପରିବର୍ତ୍ତନ କରାଯାଇ ଅଧିକ କ୍ଷମତାସଂପନ୍ନ ମୋଟର ସଂଯୋଗ ପାଇଁ ଲକ୍ଷ୍ୟ ରଖା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା।

ମାତ୍ର ଏହି ପ୍ରକଳ୍ପର ନାଁଗନ୍ଧ ନଥିବା ବେଳେ ପୁଣି ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ଆଉ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଥିବା ବେଳେ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା ଚାଲିଥିବା କୁହାଯାଇଛି। ହେଲେ ପ୍ରକଳ୍ପକୁ ବିଭିନ୍ନ ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟରେ କୁଆଁରିଆଠାରେ ଏକ ୱାଟର୍ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏହାର ନିର୍ମାଣ କାର୍ଯ୍ୟ ଏବେ ଅଧପନ୍ତରିଆ ହୋଇ ରହିଛି। ଏହାର କାର୍ଯ୍ୟ ସରିବାକୁ ଆହୁରି ୬ ମାସ ସମୟ ଲାଗିବ। ଅବଶିଷ୍ଟ କାର୍ଯ୍ୟର ଟେଣ୍ତର୍‌ ହୋଇ ସାରିଥିବା କୁହାଯାଉଛି। ହେଲେ ଏବେଠାରୁ ଅସହ୍ୟ ଗ୍ରୀଷ୍ମ ଆରମ୍ଭ ହୋଇ ଯାଇଥିବା ବେଳେ କେଉଁ ୱାର୍ଡକୁ ପାଣି ଆସୁଛି ତ ପୁଣି କେଉଁଠିକୁ ନାହିଁ। ଲୋକଙ୍କୁ ପାଣି ଯୋଗାଇବାକୁ କେବଳ ଟ୍ୟାଙ୍କର ଭରସା ସାଜିଥିବା ବିଭାଗୀୟ ଯନ୍ତ୍ରୀ କହିଛନ୍ତି। ହେଲେ ଗୋଟିଏ ପରେ ଗୋଟିଏ ନିର୍ବାଚନ ଅତିକ୍ରମ କରୁଥିବା ବେଳେ ଦଶପଲ୍ଲା ଏନ୍ଏସିରେ ପାନୀୟ ଜଳ ସମସ୍ୟାର କେବ ସୁଧାର ଆସୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe