ସିଙ୍ଗାପୁରରେ ମେଗା ରୋଡ୍‌ ସୋ’: ନିବେଶକଙ୍କୁ ଡାକିଲେ ମୁଖ୍ୟମନ୍ତ୍ରୀ

Advertisment

ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍‌ ସିଙ୍ଗାପୁରର ପରିବହନ ମନ୍ତ୍ରୀ ଚି ହଙ୍ଗ ଟାଟ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ୍‌ ଏଜୁକେସନ୍ ସର୍ଭିସେସ୍‌ (ଆଇଟିଇଇଏସ୍‌)ର ସିଇଓ...

ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍‌ ସିଙ୍ଗାପୁରର ପରିବହନ ମନ୍ତ୍ରୀ ଚି ହଙ୍ଗ ଟାଟ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ୍‌ ଏଜୁକେସନ୍ ସର୍ଭିସେସ୍‌ (ଆଇଟିଇଇଏସ୍‌)ର ସିଇଓ...

ghfhgfgh

ଭୁବନେଶ୍ବର: ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍‌ ସିଙ୍ଗାପୁରର ପରିବହନ ମନ୍ତ୍ରୀ ଚି ହଙ୍ଗ ଟାଟ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ୍‌ ଏଜୁକେସନ୍ ସର୍ଭିସେସ୍‌ (ଆଇଟିଇଇଏସ୍‌)ର ସିଇଓ ସୁରେଶ ନଟରାଜନଙ୍କ ସହ ଆଲୋଚନା କରିଛନ୍ତି। ଏଥି ସହିତ ଏଣ୍ଟରପ୍ର‌ାଇଜ୍ ସିଙ୍ଗାପୁର ଓ ଫିକି ସହଯୋଗରେ ଆୟୋଜିତ ଏକ ମେଗା ରୋଡ୍‌ ସୋ’ରେ ଯୋଗଦେଇ ସିଙ୍ଗାପୁରର ପ୍ରତିଷ୍ଠିତ ପୁଞ୍ଜିପତି ଓ ନିବେଶକମାନଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ପରିଦର୍ଶନ କରି ବନ୍ଦର ଓ ଲଜି‌ଷ୍ଟିକ୍ସ ପରିଚାଳନା ଉପରେ ଆଲୋଚନା କରିଛନ୍ତି। ୨୦୨୫ ଜାନୁଆରିରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବା ଲାଗି ସେ ଶିଳ୍ପପତି ଓ ସିଙ୍ଗାପୁର ସରକାରଙ୍କ ବରିଷ୍ଠ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରିଛନ୍ତି। 

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିଙ୍ଗାପୁର ପରିବହନ ମନ୍ତ୍ରୀ ଶ୍ରୀ ଟାଟ୍‌ଙ୍କ ସହ ମଲ୍‌ଟିମୋଡାଲ୍ ଲଜି‌ଷ୍ଟିକ୍ସ ସମାଧାନ, ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା, ଡିଜିଟାଲ୍ ପଣ୍ୟ ପରିଚାଳନା ଓ ଉପକୂଳ ଜାହାଜ ଚଳାଚଳ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସବୁ କ୍ଷେତ୍ରରେ ସିଙ୍ଗାପୁର ହାସଲ କରିଥିବା ସଫଳତାକୁ କିଭଳି ଓଡ଼ିଶାରେ ଦୋହରାଇ ହେବ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ସେହିପରି, ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ଆଇଟିଇଇଏସ୍ ସହିତ ସେ ଆଲୋଚନା କରିଛନ୍ତି। ଏହି ସଂସ୍ଥା ସହଯୋଗରେ ରାଜ୍ୟ ସରକାର ଭୁବନେଶ୍ବରରେ ସଫଳତାର ସହ ବିଶ୍ବ ଦକ୍ଷତା କେନ୍ଦ୍ର (ଡବ୍ଲୁଏସ୍‌ସି) ସ୍ଥାପନ କରିଛନ୍ତି। 

ଏହାପରେ ନିବେଶକମାନଙ୍କ ଲାଗି ଏକ ରାଉଣ୍ଡ୍‌ଟେବୁଲ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ ଯୋଗଦେଇଥିଲେ। ଆଗ୍ରୋକର୍ପ ଇଣ୍ଟରନ୍ୟାସନାଲ୍‌, ଅରିଅନ୍‌ପ୍ରୋ ପେମେଣ୍ଟ ସଲ୍ୟୁସନ୍ସ, ଇଷ୍ଟକମ୍, ଏଲିକ୍ସିର୍‌ ଟେକ୍ନୋଲୋଜି, ଏନ୍‌ଭିରନ୍‌ସେନ୍ସ, ଏଭରଭୋଲ୍ଟ ଗ୍ରିନ୍ ଏନର୍ଜି, ଗ୍ରେମେଟିକ୍ସ, ଆଇଟିଇ ଏକୁଜେକସନ୍ ସର୍ଭିସେସ୍‌, ୱାନ୍‌ବେରି ଟେକ୍ନୋଲୋଜିସ୍, ସୁର୍ବନା ଜୁରଙ୍ଗ ଓ ୟଙ୍ଗନାମ ଇଞ୍ଜିନିୟରିଂ ପିଟିଇର ପ୍ରତିନିଧିଙ୍କ ସହ ସେ ଆଲୋଚନା କରିଛନ୍ତି। ସେମାନଙ୍କୁ ସେ ଓଡ଼ିଶାର ଭିତ୍ତିଭୂମି, ବିନିର୍ମାଣ ଓ ଆଇଟି କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଅବଗତ କରିଛନ୍ତି। ଏଥି ସହିତ ଲିଣ୍ଡେ, ଭିନା ଏନର୍ଜି, କ୍ୟାପିଟାଲ୍‌ଲ୍ୟାଣ୍ଡ୍‌, ଏଭରଷ୍ଟୋନ୍ ଗ୍ରୁପ୍, ଭୋପାକ୍, ଇଣ୍ଡୋରାମା, ମାଇକ୍ରନ୍ ଓ ଏମ୍ଏଏସ୍‌ ହୋଲ୍‌ଡିଂ ଭଳି କମ୍ପାନିର ବରିଷ୍ଠ ନେତୃବୃନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ରାଜ୍ୟର ରସାୟନ ଓ ପେଟ୍ରୋକେମିକାଲ୍‌ସ, ଧାତବ, ଆନୁଷଙ୍ଗିକ ଧାତବ, ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର, ବୟନ ଓ ‌ପୋଷାକ ଆଦି କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ହାସଲ କରିବାକୁ ସେ ଆହ୍ବାନ କରିଛନ୍ତି। ଇଣ୍ଡୋରାମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ୟଶ୍‌ ଲୋହିଆଙ୍କ ସହ ଖୋର୍ଦ୍ଧାରେ କମ୍ପାନି ସ୍ଥାପନ କରିବାକୁ ଯାଉଥିବା ପିଇଟି ରିସାଇକ୍ଲିଂ କାରଖାନା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ କମ୍ପାନି ୩୫୦ କୋଟି ଟଙ୍କା ନିବେଶ କରୁଛି।

ଏଭରଷ୍ଟୋନ୍ କ୍ୟାପିଟାଲ୍‌ର ଏମ୍‌ଡି ଅମିତ ମନୋଚାଙ୍କ ସହ ଡାଟା ସେଣ୍ଟର ସ୍ଥାପନ ନେଇ ଆଲୋଚନା ହୋଇଛି। ରାଜ୍ୟରେ ଏକ ୪୦୦ ମେଗାୱାଟ୍‌ର ଗ୍ରିନ୍ ହାଇଡ୍ରୋଜେନ୍ କାରଖାନା ସ୍ଥାପନ କରିବା ଲାଗି ଭିନା ଏନର୍ଜିର କଣ୍ଟ୍ରି ହେଡ୍ ମୋନିକା ରାଠି ଓ ସିଓଓ ଜୁଆନ୍ ମାସ୍ ଭାଲୋରଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଲିଣ୍ଡେ ଇଣ୍ଡିଆର ଏମ୍‌ଡି ଅଭିଜିତ ବାନାର୍ଜୀଙ୍କ ସହ ଭୁବନେଶ୍ବରରେ ଲିଣ୍ଡେ ଉତ୍କର୍ଷ କେନ୍ଦ୍ର ସମ୍ପର୍କରେ ଆଲୋଚନା ହୋଇଛି। ନିବେଶକ ରୋଡ୍‌ ସୋ’ରେ ୩୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଟିମ୍‌ ସିଙ୍ଗାପୁର ବନ୍ଦର କର୍ତ୍ତୃପକ୍ଷ ପରିଦର୍ଶନ କରି ଓଡ଼ିଶାରେ ଲାଗୁ ହେବାର ସମ୍ଭାବନା ଥିବା ସମାଧାନଗୁଡ଼ିକୁ ଦେଖିଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଆମର ସିଙ୍ଗାପୁର ଗସ୍ତ ବେଶ୍ ସଫଳ ହୋଇଛି। ଗତ ତିନି ଦିନ ମଧ୍ୟରେ ଆମେ ସିଙ୍ଗାପୁର ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବା ସହ ବନ୍ଦର ଓ ପେଟ୍ରୋକେମିକାଲ୍‌ସ କମ୍ପ୍ଲେକ୍ସ ପରିଦର୍ଶନ କରି ବହୁ କିଛି ଜାଣିବାକୁ ପାଇଛୁ ଯାହା ରାଜ୍ୟର ବିକାଶରେ ସହାୟକ ହେବ। ଏହି ଅବସରରେ ସେ ସମସ୍ତଙ୍କୁ ‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌’ରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଯେ ବ୍ୟବସାୟ ପାଇଁ ଓଡ଼ିଶା ପ୍ରସ୍ତୁତ ରହିଛି। ଦକ୍ଷତା ବିକାଶ ପ୍ରତି ଜୋର ଦେଇ ଆମେ ଓଡ଼ିଶାକୁ ଭାରତର ଦକ୍ଷତା ରାଜଧାନୀରେ ପରିଣତ କରିପାରିଛୁ। ବ୍ୟବସାୟ ଅନୁକୂଳ ପରିବେଶ ଲାଗି ଆମେ ପ୍ରତିବଦ୍ଧ ରହିଛୁ ବୋଲି ସେ କହିଛନ୍ତି। ଏହି ଅବସରରେ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଡ. ଶିଳ୍ପକ ଅମ୍ବୁଲେ, ମୁଖ୍ୟ ସଚିବ ମନୋଜ କୁମାର ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମା‌ନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe