ମଣ୍ଡଳ ବଜାରର ଦାସ ଷ୍ଟୁଡିଓ: ଏବେ ବି ନେତାଜୀଙ୍କ ବାଲେଶ୍ବର ସ୍ମୃତି ସତେଜ

Advertisment
ମଣ୍ଡଳ ବଜାରର ଦାସ ଷ୍ଟୁଡିଓ: ଏବେ ବି ନେତାଜୀଙ୍କ ବାଲେଶ୍ବର ସ୍ମୃତି ସତେଜ

ବାଲେଶ୍ବର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଭାରତର ସ୍ବାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଅବଦାନ ଅତୁଳନୀୟ। ତେବେ ଦେଶ ବିଦେଶରେ ତାଙ୍କୁ ନେଇ ଅନେକ ଘଟଣାବଳୀ ଆଜି ବି ରହସ୍ୟମୟ ଏବଂ ଅନାଲୋଚିତ ଇତିହାସ ହୋଇ ରହିଯାଇଛି। ଏପରିସ୍ଥଳେ ବାଲେଶ୍ବର ସହରରେ ଏପରି ଏକ ସ୍ଥାନ ରହିଛି, ଯେଉଁଠି ଏବେବି ନେତାଜୀଙ୍କ ସହ ଜଡ଼ିତ ସେହି ପୁରୁଣାଦିନର କିଛି ସ୍ମୃତି ଏବେବି ସତେଜ ହୋଇ ରହିଛି।
ଉକ୍ତ ସ୍ଥାନଟି ହେଉଛି ସହରର ମଣ୍ଡଳ ବଜାରରେ ଥିବା ‘ଦାସ ଷ୍ଟୁଡିଓ’। ସୁଧୀର କୁମାର ଦାସ ଓରଫ୍ ମଣ୍ଟୁଦା ୧୯୧୭ ମସିହାରେ ଏହି ଷ୍ଟୁଡିଓ ସ୍ଥାପନ କରିଥିଲେ। ୧୯୩୫ ମସିହାରେ ନେତାଜୀ ବାଲେଶ୍ବର ଆସିଥିବା ବେଳେ ଟାଉନ୍ହଲ୍ ଠାରେ ଆୟୋଜିତ ଫରୱାର୍ଡ ବ୍ଲକର ଆଞ୍ଚଳିକ ଶାଖା ଗଠନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନେତାଜୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ, ଅବୁଲ କଲାମ୍ ଆଜାଦ, ଦେବେନ୍ଦ୍ରନାଥ ଗିରିଙ୍କ ଭଳି ସେତେବେଳର ବରିଷ୍ଠ ନେତୃବୃନ୍ଦ। ବାଲେଶ୍ବରରେ ନେତାଜୀଙ୍କ ଏହି କାର୍ଯ୍ୟକ୍ରମର ଫଟୋ ଉଠାଇଥିଲେ ମଣ୍ଟୁଦା।

publive-imageଏହି ଭଳି ଜିଲ୍ଲାରେ ସେ ସମୟର ଅନେକ ରାଜନୈତିକ, ସାଂସ୍କୃତିକ ଓ ସାମାଜିକ ଘଟଣାର ମୂକସାକ୍ଷୀ ହେଉଛି ଦାସ ଷ୍ଟୁଡିଓ।
ଏବେ ମଣ୍ଟୁଦା ନାହାନ୍ତି ସତ କିନ୍ତୁ ସେତେବେଳେ ବ୍ୟବହାର କରୁଥିବା ସେହି ପୁରୁଣା କ୍ୟାମେରା ଏବଂ କ୍ୟାମେରାରେ ଉଠିଥିବା ଉକ୍ତ ବିରଳ ଫଟୋଗୁଡ଼ିକୁ ଅତି ଯତ୍ନରେ ସାଇତି ରଖିଛନ୍ତି ତାଙ୍କ ପୁଅ ଦିଲୀପ। ସୂଚନା ଥାଉକି, ଦାସ ଷ୍ଟୁଡିଓ ବାଲେଶ୍ବର ଜିଲ୍ଲା ସମେତ ଉତ୍ତର ଓଡ଼ିଶାରେ ସର୍ବପୁରାତନ ଷ୍ଟୁଡିଓ ଭାବେ ପରିଚିତ। ସେତେବେଳେ ଭଦ୍ରକ, ବାରିପଦା, ନୀଳଗିରି, ସୋର ଓ ଜଳେଶ୍ବର ଭଳି ଦୂରାଦୂରାନ୍ତରୁ ଫଟୋ ଉଠାଇବାକୁ ଲୋକେ ଏହି ଷ୍ଟୁଡିଓକୁ ଆସୁଥିଲେ। ସେହି ହିସାବରେ ମଣ୍ଟୁଦା ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ଜଣେ ଦକ୍ଷ ଫଟୋଗ୍ରାଫର ଭାବେ ସୁପରିଚିତ ଥିଲେ।

publive-image
ତେବେ ବାଲେଶ୍ବର ସହରର ୧୦୦ ବର୍ଷରୁ ଅଧିକ ପୁରାତନ ଦାସ ଷ୍ଟୁଡିଓରେ କେବଳ ନେତାଜୀଙ୍କର ନୁହେଁ ସେତେବେଳେ ବାଲେଶ୍ବରକୁ ଆସିଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ନେତାଜୀ ସୁଭାଷ ବୋଷ, ଇନ୍ଦିରା ଗାନ୍ଧୀ, ଶରଦ ପାୱାରଙ୍କ ଭଳି ବହୁ ଜାତୀୟସ୍ତରର ନେତୃବୃନ୍ଦଙ୍କ ଫଟୋ ସମେତ ପଣ୍ଡିତ ନୀଳକଣ୍ଠ ଦାସ, ଦେବେ‌ନ୍ଦ୍ରନାଥ ଗିରି, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ ଏବଂ ବିଜୁ ପଟ୍ଟନାୟକଙ୍କର ଫଟୋ ରଖାଯାଇଛି। ଯାହା ମଣ୍ଟୁଦା ସେତେବେଳେ ନିଜ ପୁରୁଣା କ୍ୟାମେରାରେ ଉଠାଇଥିଲେ। ଏବେ କେତେକ ଇଂରାଜି ଖବରକାଗଜ ଉକ୍ତ ଫଟୋଗୁଡ଼ିକୁ ବ୍ୟବହାର ନିମନ୍ତେ ନେଇଯାଇଥିବା ବେଳେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଯଦି ସେହି ଫଟୋଗୁଡ଼ିକୁ ମ୍ୟୁଜିୟମ୍‌ରେ ରଖିବା ପାଇଁ ନେବାକୁ ଚାହିଁବେ ତା‌ହେଲେ ବିନା ମୂଲ୍ୟରେ ଦେଇଦେବେ ବୋଲି ଦିଲୀପ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe