ବାଲେଶ୍ୱରରୁ ରାଜଧାନୀକୁ ଗଡ଼ିଲା ମେମୁ ଟ୍ରେନ୍

Advertisment
ବାଲେଶ୍ୱରରୁ ରାଜଧାନୀକୁ ଗଡ଼ିଲା ମେମୁ ଟ୍ରେନ୍

ବାଲେଶ୍ବର : ବାଲେଶ୍ବରରୁ ଭୁବନେଶ୍ବରକୁ ପ୍ରଥମଥର ପାଇଁ ଗଡ଼ିଛି ମେମୁ ଟ୍ରେନ୍। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପତାକା ଦେଖାଇ ଶୁକ୍ରବାର ଦିନ ଏହାର ଶୁଭାରମ୍ଭ କରିଛନ୍ତି।

ମଧ୍ୟାହ୍ନରେ ଆୟୋଜିତ ଜନ ସମ୍ବର୍ଦ୍ଧନା ସଭାରେ ଶ୍ରୀ ବୈଷ୍ଣବ ବାଲେଶ୍ବରର ସ୍ମୃତି ରୋମନ୍ଥନ କରି କିଛି ସମୟ ଭାବପ୍ରବଣ ହୋଇ ପଡ଼ିଥିଲେ। କହିଥିଲେ, ମହାବାତ୍ୟା ସମୟରେ ସେ ବାଲେଶ୍ବର ଜିଲ୍ଲାପାଳ ଥିଲେ। ସେବେ ସମସ୍ତେ ଯେମିତି ଆଗେଇ ଆସିଥିଲେ, ଠିକ୍ ସେହିପରି ବାଲେଶ୍ବରରେ ରେଳବାଇର ବିକାଶ ପାଇଁ ସମସ୍ତଙ୍କଠାରୁ ସହଯୋଗ କାମନା କରୁଛି। ରାଜ୍ୟରେ ବାଲେଶ୍ବର ହେଉଛି ଏକ ନମ୍ବର ଜିଲ୍ଲା। ଆଗକୁ ବି ବାଲେଶ୍ବର ଏକ ନମ୍ବର ହୋଇ ରହିବ ବୋଲି ପ୍ରକାଶ କରି କଥାରେ ନୁହେଁ, ସେ କାମରେ ବିଶ୍ବାସ କରନ୍ତି ବୋଲି କହିଥିଲେ। ତେବେ ରେଳମନ୍ତ୍ରୀ ଭାବେ ସେ ନିଜ ଆଡ଼ୁ କିଛି ଘୋଷଣା କରିନଥିଲେ ମଧ୍ୟ ଆଗାମୀ ଦିନରେ ବାଲେଶ୍ବର ଷ୍ଟେସନର ନବକଳେବର, ନୂତନ ଅତ୍ୟାଧୁନିକ ଷ୍ଟେସନ କୋଠା ନିର୍ମାଣ ସହିତ ଯାତ୍ରୀଙ୍କ ପାଇଁ ସବୁପ୍ରକାର ସୁବିଧା, ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ରେଳ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଥିଲା।

ସଭାରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ , ବିଧାୟକ ସ୍ବରୂପ କୁମାର ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣପୂର୍ବ ରେଳପଥର ମହାପ୍ରବନ୍ଧକ ସୁଶ୍ରୀ ଅର୍ଚ୍ଚନା ଯୋଶୀ, ଖଡ଼ଗପୁର ରେଳ ଡିଭିଜନ୍‌ର ପ୍ରବନ୍ଧକ ମନୋରଞ୍ଜନ ପ୍ରଧାନଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ପରେ ରେଳମନ୍ତ୍ରୀ ନୀଳଗିରିଠାରେ ପ୍ରସ୍ତାବିତ ନୂତନ ଷ୍ଟେସନ୍‌ର ଶିଳାନ୍ୟାସ କରିଥିଲେ। ଅପରାହ୍ନ ୪ଟାରେ ରେମୁଣା ଯାଇ କ୍ଷୀରଚୋରା ଗୋପୀନାଥଙ୍କୁ ଦର୍ଶନ କରିଥିଲେ। ଅପରାହ୍ନରେ ଭଦ୍ରକ-ଖଡ଼ଗପୁର ତୃତୀୟ ଟ୍ରେନ୍ ଲାଇନ୍‌ର ଶିଳାନ୍ୟାସ କରିଥି‌ଲେ। ସନ୍ଧ୍ୟାରେ ଜଳେଶ୍ବରଠାରେ ପ୍ରସ୍ତାବିତ ନୂତନ ଷ୍ଟେସନ୍‌ ଗୃହର ଶିଳାନ୍ୟାସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe