ଖସିବ ପାରଦ, ବଢ଼ିବ ଶୀତ

Advertisment
ଖସୁଛି ପାରଦ: ଜି. ଉଦୟଗିରିରେ ରାତିରେ ୧୧ ଡିଗ୍ରି

english.kolkata24x7.com

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଶୀତ ଫେରିବ। ରାଜ୍ୟକୁ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନର ପ୍ରବାହ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଏବେ ଧୀରେ ଧୀରେ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନ ଓଡ଼ିଶାକୁ ପ୍ରବାହିତ ହେବ। ଫଳରେ ଆସନ୍ତା ୨ରୁ ୩ ଦିନରେ ତାପମାତ୍ରା କମିବା ଆରମ୍ଭ କରିବ। ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ପାରଦ ସ୍ତର ଖସିପାରେ। ଆସନ୍ତାକାଲି ସକାଳୁ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ଆସନ୍ତା ୩ ଦିନରେ ଏହା ତାପମାତ୍ରା ସ୍ବାଭାବିକଠାରୁ ତଳକୁ ଖସିଯିବ। କିଛି କିଛି ସ୍ଥାନରେ ସର୍ବନିମ୍ନ ସ୍ବାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ବି ରହିପାରେ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ହିଁ ରହିବ। ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦେଖାଯିବ। ବି‌ଶେଷ କରି ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ଦେଖାଯିବ। ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ‌ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ। ଆସନ୍ତା କାଲି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ରହିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି। ଏହାପରେ ଆସନ୍ତା ୩ ଦିନରେ ତାପମାତ୍ରା ଖସି ୧୫ ଡିଗ୍ରି ରେକର୍ଡ ହେବ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ଆଜି ସକାଳୁ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଏଥିସହ ଜଗତସିଂହପୁର ଜିଲ୍ଲା ପାରାଦୀପରେ ଘନ କୁହୁଡ଼ି ପଡ଼ିଥିଲା। ଏଠାରେ ଦୃଶ୍ୟମାନ ଦୂରତା ପାଖାପାଖି ୫୦ ମିଟର ରହିଥିଲା। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୭ରୁ ୨୦ ଡିଗ୍ରି ମଧ୍ୟରେ ରହିଥିଲା। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୫ରୁ ୧୭ ଡିଗ୍ରି ଏବଂ ଫୁଲବାଣୀଠାରେ ୧୨.୫ ଡିଗ୍ରି ରେକର୍ଡ କରାଯାଇଛି। ୧୫ ଡିଗ୍ରି ତଳକୁ କୋରାପୁଟ ୧୪.୦ ଡିଗ୍ରି ଓ ସୁନ୍ଦରଗଡ଼ ୧୪.୫ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe