କଳିଙ୍ଗନଗର ଶିଳ୍ପାୟନ ଦୋହଲିଲା : ମୈଥାନ ପରେ ମେସ୍କୋରେ ତାଲା, ଶହ ଶହ ଶ୍ରମିକ ଓ କର୍ମଚାରୀ ଭୋକିଲା

Advertisment
କଳିଙ୍ଗନଗର ଶିଳ୍ପାୟନ ଦୋହଲିଲା : ମୈଥାନ ପରେ ମେସ୍କୋରେ ତାଲା, ଶହ ଶହ ଶ୍ରମିକ ଓ କର୍ମଚାରୀ ଭୋକିଲା

ଯାଜପୁର/ଦାନଗଦୀ : ଯାଜପୁର ଜିଲ୍ଲାର ଇସ୍ପାତ ରାଜଧାନୀ କଳିଙ୍ଗନଗର ରାଜ୍ୟ ଶିଳ୍ପ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା। ପୁଣିଥରେ ସେହି ଇସ୍ପାତନଗରୀକୁ ଶକ୍ତ ଧକ୍କା ପହଞ୍ଚିଛି। ମୈଥାନ ପରେ ଏବେ ମେସ୍କୋରେ ତାଲା ଝୁଲୁଛି। ଫଳରେ, ସିଧାସଳଖ ୨ ହଜାରୁ ଅଧିକ କର୍ମଚାରୀ ଓ ଶ୍ରମିକଙ୍କୁ ଜୀବିକା ହରାଇବାକୁ ପଡ଼ିଛି। ଭୋକଉପାସରେ କାଳାତିପାତ କରିବା ସହିତ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି।

ସୂଚନା ଅନୁସାରେ, ଦୟନୀୟ ସ୍ଥିତି ସତ୍ତ୍ବେ ମେସ୍କୋ ଗ୍ରୁପ୍‌ ମୈଥାନ ଇସ୍ପାତ କାରଖାନା କ୍ରୟ କରିଥିଲା। କିଛି ଦିନ ଧରି ଠିକ୍‌ଠାକ୍‌ ଚାଲିଥିଲା। ତେବେ, ଗତବର୍ଷ ଜାନୁଆରି ମାସରୁ ବିଭ୍ରାଟ ଆରମ୍ଭ ହୋଇଥିଲା। କର୍ମଚାରୀ ଓ ଶ୍ରମିକଙ୍କୁ ଦରମା ନ ମିଳିବାରୁ ସେମାନେ କାରଖାନାରେ ତାଲା ପକାଇ ଦେଇଥିଲେ। ବର୍ଷକ ମଧ୍ୟରେ ୯୩୨ ଜଣ ନିୟମିତ କର୍ମଚାରୀ ଓ ଶ୍ରମିକ ଦରମା ପାଇ ନଥିବା ଅଭିଯୋଗରୁ ଜଣାପଡ଼ିଛି। ଏ ନେଇ ଜିଲ୍ଲା ପ୍ରଶାସନ ସହିତ ବାରମ୍ବାର ଆଲୋଚନା କରିବା ସତ୍ତ୍ବେ କୌଣସି ସୁଫଳ ମିଳିପାରି ନଥିଲା। ଇତିମଧ୍ୟରେ, କାରଖାନାକୁ ସେବା ଓ ସାମଗ୍ରୀ ଯୋଗାଇଥିବା ସଂସ୍ଥାମାନେ ୬୫କୋଟି ଟଙ୍କା ବାକି ଥିବା ଦାବି କରି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସମସ୍ୟା କେବଳ ଏତିକିରେ ସୀମିତ ହୋଇରହିନାହିଁ। ଏହାପୂର୍ବରୁ ୨୩କୋଟି ଟଙ୍କା ଜିଏସ୍‌ଟି ଫାଙ୍କି ଅଭିଯୋଗରେ କମ୍ପାନି ବିରୁଦ୍ଧରେ ମାମଲା ରୁଜୁ ହେବା ସହିତ କାଗଜପତ୍ର ଜବତ କରାଯାଇଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଏକ୍ସସାଇଜ ବାକି ୭କୋଟି ସାଙ୍ଗକୁ କର୍ମଚାରୀ, ଶ୍ରମିକଙ୍କର ଦେୟ ୧୫କୋଟି ଟଙ୍କା ବାକି ରହିଛି। ଏହାବାଦ୍‌ ଇଏସ୍‌ଆଇ ଓ ଇପିଏଓ ବାବଦରେ ୫୦ଲକ୍ଷ ଟଙ୍କା ମଧ୍ୟ କାରଖାନା କର୍ତ୍ତୃପକ୍ଷ ପୈଠ କରିନାହାନ୍ତି। ଟିଡ଼ିଏସ ୨ କୋଟି ବାକି ପାଇଁ ରିଟର୍ଣ୍ଣ ଫାଇଲ ହୋଇପାରି ନଥିବା କୁହାଯାଉଛି। ଏହିସବୁ ଘଟଣା ପାଇଁ ଗତ ମାସରୁ ମେସ୍କୋରେ ତାଲା ପଡ଼ିଛି। ଫଳରେ, ମେସ୍କୋ ଓ ମୈଥାନକୁ ମିଶାଇ ସମୁଦାୟ ୨୦୦୦ ଶ୍ରମିକ ଓ କର୍ମଚାରୀଙ୍କ ଜୀବନଜୀବିକା ବିପନ୍ନ ହୋଇଯାଇଛି। କେବଳ ମେସ୍କୋ କର୍ମଚାରୀମାନେ ୨/୩ମାସ ଦେଲା ଦରମା ପାଇନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଶହ ଶହ କୋଟି ‌ଋଣ ଯନ୍ତାରେ ପଡ଼ିଥିବା ମେସ୍କୋ ଗ୍ରୁପ୍‌ ମାଲିକ ବିଭିନ୍ନ ଆଳ ଦେଖାଇ ଆଜିକାଲି କହି ଦିନ ଗଡ଼ାଇବାରେ ଲାଗିଛନ୍ତି। ଶ୍ରମିକ, କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଠିକାଦାର ଓ ଯୋଗାଣକାରୀ ସଂସ୍ଥାମାନେ ମଧ୍ୟ ମେସ୍କୋ ଗ୍ରୁପ୍‌ ପାଇଁ ଦେବାଳିଆ ହୋଇପଡ଼ିଛନ୍ତି। ନିଜର ପ୍ରାପ୍ୟ ଓ ପାଉଣା ପାଇଁ ଏକାଧିକ ସରକାରୀ ଓ ବେସରକାରୀ ସଂସ୍ଥା କୋ‌ର୍ଟ କଚେରିର ଦ୍ବାରସ୍ଥ ହେବାରେ ଲାଗିଛନ୍ତି। ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ପରି କାରଖାନା ମାଲିକମାନେ ଋଣ ଯନ୍ତାରୁ ମୁକୁଳିବା ପରିବର୍ତ୍ତେ ଛନ୍ଦି ହେବାରେ ଲାଗିଛନ୍ତି।

ପ୍ରକାଶଥାଉକି, ଏହାପୂର୍ବରୁ ଗତବର୍ଷ ଜାନୁଆରି ମାସରୁ ମୈଥାନ ଇସ୍ପାତରେ ତାଲା ପଡ଼ିଥିଲା। ଅନ୍ୟପକ୍ଷରେ, ମୈଥାନକୁ କିଣି ନେଇ ଋଣ ଯନ୍ତାରେ ପକାଇଥିବା ମେସ୍କୋ ଗ୍ରୁପ୍‌ର ଚାଲ୍‌କୁ ବୁଦ୍ଧିଜୀବୀ ସହଜରେ ଗହଣ କରିପାରୁନାହାନ୍ତି। ଏଥିସହିତ, ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଶିଳ୍ପରେ ତାଲାପଡ଼ିବା ଘଟଣା ସରକାରଙ୍କର ଶିଳ୍ପାୟନକୁ ପ୍ରହସନରେ ପରିଣତ କରିଛି। ସରକାର କେବଳ ପ୍ରଚାରଧର୍ମୀ ଶିଳ୍ପାୟନ ଯୋଜନା ଘୋଷଣା କରିବେ ନା ସ୍ଥିତିକୁ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe