ଋଣ ପରିଶୋଧ କରିବାରେ ଅକ୍ଷମ, ନିଲାମ ହେବ ମେସ୍କୋ

Advertisment
ବନ୍ଦ କାରଖାନାରେ ରେଲୱେ ସାଇଡିଂକୁ ଭଡ଼ା; ମେସ୍କୋ କର୍ମଚାରୀ, ଶ୍ରମିକଙ୍କ ଅ‌ସନ୍ତୋଷ ବଢ଼ୁଛି

SME Times

ଦାନଗଦୀ : କଳିଙ୍ଗନଗର​ରେ ପ୍ରଥମେ ପାଦ ଥାପିଥିବା ମେସ୍କୋ କମ୍ପାନି ଋଣ ପରିଶୋଧ କରିବାରେ ଅସମର୍ଥ ହୋଇପଡ଼ିଛି। ଦେବାଳିଆ ହୋଇଯାଇଥିବାରୁ ଏହି କମ୍ପାନି ବିକ୍ରି ପାଇଁ ଖୁବ୍‌ଶୀଘ୍ର ନିଲାମ ହେବ ବୋଲି ଜଣାପଡ଼ିଛି। ଫଳରେ, କମ୍ପାନିର କର୍ମଚାରୀମାନେ ଚିନ୍ତାରେ ପଡ଼ିଛନ୍ତି।

୧୯୯୫ମସିହାରେ ଅବସ୍ଥାପିତ ମେସ୍କୋ (ଏମ୍‌ଏସ୍‌ଆଇଏଲ୍‌) କୌଣସି ଦିନ ଷ୍ଟିଲ୍‌ ଉତ୍ପାଦନ କରିପାରି ନଥିଲା। ଲୁହା ଖଣି, ରେଳ ସଂଯୋଗ ଓ ଉନ୍ନତ ଭିତ୍ତିଭୂମି ରହିଥିବା ସତ୍ତ୍ୱେ କାରଖାନାରେ କେବଳ ପିଗ୍‌ ଆଇରନ ଉତ୍ପାଦନ ହେଉଥିଲା। ଏହି କାରଖାନା ଗତ ୩ବର୍ଷ ତଳେ ହଠାତ୍‌ ବନ୍ଦ ହୋଇଯାଇଥିଲା। ଏହାପରେ କାରଖାନା ଚଳାଇବାକୁ ରାଜ୍ୟ ସରକାରଙ୍କଠାରୁ ଆବଶ୍ୟକୀୟ ‘କନସେଣ୍ଟ ଟୁ ଅପରେଟ୍‌’ ମିଳି ନଥିଲା । କାରଖାନାର ୩ଶହ ପାଖାପାଖି କର୍ମଚାରୀଙ୍କୁ ସେମାନଙ୍କ ଦରମା ପ୍ରଦାନ କରାଯାଇ ନଥିଲା। ତେବେ, କମ୍ପାନି କର୍ତ୍ତୃପକ୍ଷ ଗତ ଦୁଇବର୍ଷ ତଳୁ ନିଜ ରେଳ ସାଇଡିଂକୁ ଭଡ଼ାରେ ଲଗାଇ ଭଲ ଆୟ କରି ଆସୁଥିଲା। ଏପରିକି କାରଖାନା କର୍ତ୍ତୃପକ୍ଷ କିଛି କର୍ମଚାରୀଙ୍କ ସହଯୋଗରେ କୋଟି କୋଟି ଟଙ୍କାର ସ୍କ୍ରାପ ଏବଂ ସ୍ଲାବ୍‍ ବିକ୍ରି କରିବାକୁ ସକ୍ଷମ ହୋଇଥିଲେ। କାରଖାନାର ରେଳ ପ୍ଲଟ୍‌କୁ ସିମେଣ୍ଟ କାରଖାନାର କଞ୍ଚାମାଲ ଓ କୋଇଲା ଖଲାସ ପାଇଁ ଭଡ଼‌ାରେ ଲଗାଇ ଟଙ୍କା ମଧ୍ୟ ପାଉଥିଲେ। କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ କରିବାକୁ ପ୍ରଶାସନ ମଧ୍ୟସ୍ଥତାରେ ଏକାଧିକ ଥର ବୈଠକ ବସିଥିଲେ ମଧ୍ୟ ଦରମା ଦିଆଯାଇ ନଥିଲା।

ଏବେ କମ୍ପାନି ଋଣ ପରିଶୋଧ କରିବାରେ ଅକ୍ଷମ ବୋଲି ଘୋଷଣା କରିଛି। ଦେବାଳିଆ ପ୍ରସଙ୍ଗରେ କମ୍ପାନି ପରିଚାଳନା କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି । ଗତ ୨୪ତାରିଖଠାରୁ କମ୍ପାନି ଦେବାଳିଆ ପର୍ଯ୍ୟାୟରେ ସାମିଲ୍‌ ହୋଇଥିବା ବେଳେ ଜୁନ୍‌ ୭ ତାରିଖ ସୁଦ୍ଧା ଋଣଦାତା ସେମାନଙ୍କ ଋଣ ସଂକ୍ରାନ୍ତ ଦାବିପତ୍ର ଦେବେ। ଯାହାକି ୧୮୦ଦିନ ମଧ୍ୟରେ ସମାଧାନ କରିବା ପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି। ଏହି ପ୍ରକ୍ରିୟାକୁ ଆସିବାପରେ କାରଖାନା ସବୁଦିନ ପାଇଁ ବନ୍ଦ ହୋଇଯିବା ଅନୁମାନ କରାଯାଉଛି। ଏପରି ଅବସ୍ଥାରେ କାରଖାନା ପାଇଁ ଜମି ଦେଇ ନିଯୁକ୍ତି ପାଇଥିବା ବିସ୍ଥାପିତ ପରିବାର ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe