ମନମୋହୁଛି କୋରାପୁଟର ସୌନ୍ଦର୍ଯ୍ୟ: ଦିନକରେ ରେକର୍ଡ ପର୍ଯ୍ୟଟକ ବୁଲିଲେ

Advertisment

ପ୍ରଥମ ପସନ୍ଦ ଦେଓମାଳି, ଡୁଡୁମା ଜଳପ୍ରପାତ, ଶୀତ ଓ ସୂର୍ଯ୍ୟୋଦୟ ମଜା ନେଲେ ପର୍ଯ୍ୟଟକ

ପ୍ରଥମ ପସନ୍ଦ ଦେଓମାଳି, ଡୁଡୁମା ଜଳପ୍ରପାତ, ଶୀତ ଓ ସୂର୍ଯ୍ୟୋଦୟ ମଜା ନେଲେ ପର୍ଯ୍ୟଟକ

ମନମୋହୁଛି କୋରାପୁଟର ସୌନ୍ଦର୍ଯ୍ୟ: ଦିନକରେ ରେକର୍ଡ ପର୍ଯ୍ୟଟକ ବୁଲିଲେ

ଜୟପୁର: ପିକ୍‌ନିକ୍‌ ଋତୁରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି କୋରାପୁଟ। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲାର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ ସହ ପର୍ଯ୍ୟଟନସ୍ଥଳୀକୁ ଦେଖିବାକୁ ଛୁଟି ଆସିଛନ୍ତି ପର୍ଯ୍ୟଟକ। ଆଜି ଗୋଟିଏ ଦିନରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିଛନ୍ତି ୮ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ। ଯାହା ଗତ ୧୦ବର୍ଷର ରେକର୍ଡକୁ ପଛରେ ପକାଇଛି। ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଜିଲ୍ଲାର ସମସ୍ତ ହୋଟେଲ, ଗେଷ୍ଟ୍‌ ହାଉସରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏପରିକି ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ହୋଟେଲ ବୁକିଂ ଥିବା ଜଣାପଡ଼ିଛି।

ନୂଆବର୍ଷକୁ ସ୍ବାଗତ ପୂର୍ବରୁ ଆରମ୍ଭ ହୋଇଛି ବଡ଼ଦିନ ଛୁଟି। ଏପଟେ ଚଳିତ ବର୍ଷ ମାଳଭୂମି କୋରାପୁଟରେ ଶୀତ ୭ଡିଗ୍ରି ତଳକୁ ଖସିଥିବାରୁ ଅଧିକ ଆକର୍ଷଣୀୟ ହୋଇଛି ସବୁଜ ବନାନୀ। ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କରୋନା ମହାମାରୀ ପରେ ଗତ ଦୁଇ ବର୍ଷ ହେଲା ଏତେ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ କୋରାପୁଟକୁ ହୋଇନଥିଲା। ଆଜି ଦେଓମାଳିରେ ଭୋରରୁ ହିଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ସୂର୍ଯ୍ୟୋଦୟ ଦେଖିବା ପାଇଁ ୫୦୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ପହଞ୍ଚିଥିଲେ। ଘନ କୁହୁଡି ଓ କାକର ଭିଜା ସକାଳରେ ସୂର୍ଯ୍ୟୋଦୟର ମଜା ଉଠାଇଥିଲେ। ସନ୍ଧ୍ୟା ସୁଦ୍ଧା ୨ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଦେଓମାଳି ବୁଲିଛନ୍ତି। ଦେଓମାଳିର ସୌନ୍ଦର୍ଯ୍ୟ ସହ ପାରାସେଲିଂର ମଜା ଉଠାଇଥିଲେ ପର୍ଯ୍ୟଟକ।

ସେହିପରି ଅନ୍ୟତମ ପର୍ଯ୍ୟଟନସ୍ଥଳୀ ନନ୍ଦପୁରର ରାଣୀଡୁଡୁମାରେ ମଧ୍ୟ ଆଜି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହୋଇଥିଲା। ପିକ୍‌ନିକ୍ ସହ ଜଳପ୍ରପାତର ମଜା ଉଠାଇବାକୁ ପହଞ୍ଚିଥିଲେ ୧୫୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ। ଜଳପ୍ରପାତ ନିକଟରେ ଫଟୋ ଉଠାଇବା ସହ ପାର୍କରେ ଭୋଜିଭାତ ଓ ନାଚଗୀତ କରି ବେଶ୍ ଉପଭୋଗ କରିଥିଲେ। ନିକଟସ୍ଥ ଗଣେଶ ମନ୍ଦିର, ବତ୍ରିଶ ସିଂହାସନ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଲମତାପୁଟ ବ୍ଲକ୍ ମାଛକୁଣ୍ଡର ଡୁଡୁମା ଜଳପ୍ରପାତ ଓ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ବି ହଜାରେରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କ ଭିଡ଼ ଜମିଥିବା ଜଣାପଡ଼ିଛି। ସେହିପରି ଗୁପ୍ତେଶ୍ୱର ଶୈବପୀଠ, ପୋଡ଼ାଗଡ଼ର ପୁଞ୍ଜିସିଲ ଜଳପ୍ରପାତ, ପଟାଙ୍ଗି ନିକଟସ୍ଥ ଗାଲିଗାବଦର, ଉପରକୋଲାବ, ଶାବର ଶ୍ରୀକ୍ଷେତ୍ର, ଦାମନଯୋଡି କଣ୍ଟାବାଉଁଶୁଣୀ, ସାଇ ମନ୍ଦିର, ନାଲକୋ ପାର୍କ, ସୁନାବେଡ଼ା ହାଲ ମ୍ୟୁଜିୟମରେ ଶତାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ଅନେକ ପର୍ଯ୍ୟଟନସ୍ଥଳୀ ନିକଟରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା, ଶୌଚାଳୟ, ପାନୀୟ ଜଳ ଭଳି ସର୍ବନିମ୍ନ ସୁବିଧା ନଥିବାରୁ ପର୍ଯ୍ୟଟକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଲକ୍ଷାଧିକ ଟଙ୍କାର ଅନୁଦାନ ଆସୁଥିବା ବେଳେ ପର୍ଯ୍ୟଟକଙ୍କ ସୁବିଧା ଦିଗରେ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe