ମେଟ୍ରୋ ରେଳ ପ୍ରକଳ୍ପ ବିଶ୍ବସ୍ତରୀୟ ହେବ, ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ : ମୁଖ୍ୟମନ୍ତ୍ରୀ

Advertisment
ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମହାନ ଜନନାୟକ ବିଜୁବାବୁ ଚାହୁଁଥିଲେ ଏକ ସଶକ୍ତ ଓଡ଼ିଶା। ‌ସେହି ଦିଗରେ ମେଟ୍ରୋ ରେଳ ପ୍ରକଳ୍ପ ଏକ ବହୁତ ବଡ଼ ପଦକ୍ଷେପ ହୋଇପାରିଛି। ଏହା ଏକ ସଶକ୍ତ ଓ ନୂଆ ଓଡ଼ିଶା ପାଇଁ ଭିତ୍ତି ପକାଇଲା। ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ରୋଲ ମଡେଲ ସାଜିଛି। ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ, କ୍ରୀଡ଼ା, ବିଶ୍ବସ୍ତରୀୟ ଦକ୍ଷତା କାର୍ଯ୍ୟକ୍ରମ, ଭିତ୍ତିଭୂମି ପାଇଁ ସୁନାମ ଆଣିଛି। ରାଜ୍ୟ ସରକାର ଏବେ ଭୁବନେଶ୍ବରରୁ, କଟକ, ପୁରୀ ଓ ଖୋର୍ଦ୍ଧାକୁ ମେଟ୍ରୋ ରେଳ ପ୍ରକଳ୍ପ ସଂଯୋଗୀକରଣ ପାଇଁ ଆଗେଇଛନ୍ତି। ଏହି ପ୍ରକଳ୍ପର ଡିପିଆର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେବ। ଏଥି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଲିଭେଟେଡ ପ୍ରସ୍ତାବ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେଟ୍ରୋ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ। ଏହି ମେଟ୍ରୋ ରେଳ ପ୍ରକଳ୍ପ ବିଶ୍ବସ୍ତରୀୟ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ କଟକରୁ ଭୁବନେଶ୍ବରକୁ ସଂଯୋଗ କରିବ। ପରେ ଏହା ପୁରୀ ଓ ଖୋର୍ଦ୍ଧାକୁ ସଂପ୍ରସାରିତ ହେବ। ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟ ତ୍ରିଶୁଳିଆ ଠାରୁ ବିଜୁପଟ୍ଟନାୟକ ବିମାନବନ୍ଦର ପର୍ଯ୍ୟନ୍ତ ସଂପ୍ରସାରିତ ହେବ। ମେଟ୍ରୋ‌ ରେଳ ପ୍ରକଳ୍ପ ତ୍ରିଶୁଳିଆଠାରୁ ବିମାନବନ୍ଦର ମଧ୍ୟରେ ନନ୍ଦନକାନନ, ପଟିଆ, ବାଣୀବିହାର, ମୁଖ୍ୟ ରେଳଷ୍ଟେସନକୁ ସଂଯୋଗ କରିବ। ସେହିଭଳି ଏହି ପ୍ରକଳ୍ପ କଟକର ମୁଖ୍ୟ ସ୍ଥାନଗୁଡ଼ିକୁ ସଂଯୋଗ କରିବ।

ଭୁବନେଶ୍ୱରରୁ ଖୋର୍ଦ୍ଧା, ଭୁବନେଶ୍ୱରରୁ ପୁରୀ, ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ସର୍ଭେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଅନୁମତି ଦେଇଛନ୍ତି । ମେଟ୍ରୋ ରେଳ ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅଗଷ୍ଟ ୧୫ ତାରିଖ ଠାରୁ ଆରମ୍ଭ ହୋଇପାରେ। ଏଥିପାଇଁ ଆଜି ମୁଖ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିସନର, ଅନୁ ଗର୍ଗ ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ପରିବହନ ସଚିବ ଉଷା ପାଢୀ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥ୍ୟୁ ଭାଥନମ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ। କେଉଁ କେଉଁ ରୁଟ୍ ଦେଇ ମେଟ୍ରୋ ଟ୍ରେନ୍ ଯିବ, ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଓ ସମସ୍ତ ଦିଗ ଉପରେ ସମୀକ୍ଷା କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ବତନ୍ତ୍ର ଓଡ଼ିଶା ପାଇଁ ଆମର ବହୁଦିନର ସ୍ବପ୍ନ ଆଜିର ଦିନରେ ସାକାର ହୋଇଥିଲା ବୋଲି କହିଛନ୍ତି। ଏହି ଦିବସ ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପବିତ୍ର ଦିନ ଅବସରରେ ଆମର ବରପୁତ୍ରମାନଙ୍କୁ ମୋର ଶ୍ରଦ୍ଧାଜ୍ଞଳି ଅର୍ପଣ କରୁଛି। ସ୍ବତନ୍ତ୍ର ଓ ସମୃଦ୍ଧ ଓଡ଼ିଶା ପାଇଁ କାମ କରିଯାଇଥିବା ବରପୁତ୍ରମାନଙ୍କର ମାର୍ଗ ଦର୍ଶନରେ ଓଡ଼ିଶା ଆଜି ଆଗକୁ ବଢ଼ିଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe