ମନରେଗା ଯୋଜନା: ଦୁର୍ନୀତି ବି ଏମିତି ହୁଏ!

Advertisment

ସରକାରୀ ଜମିରୁ ମାଟି ଲୁଟ୍‌ କଲା ଏଆର୍‌ଏସ୍‌ଏସ୍‌, ଗର୍ତ୍ତକୁ ପୋଖରୀ ଦେଖାଇ ଚଳୁକଲେ ୯.୮୧ ଲକ୍ଷ

ସରକାରୀ ଜମିରୁ ମାଟି ଲୁଟ୍‌ କଲା ଏଆର୍‌ଏସ୍‌ଏସ୍‌, ଗର୍ତ୍ତକୁ ପୋଖରୀ ଦେଖାଇ ଚଳୁକଲେ ୯.୮୧ ଲକ୍ଷ

ମନରେଗା ଯୋଜନା: ଦୁର୍ନୀତି ବି ଏମିତି ହୁଏ!

IndiaMART

ଆନନ୍ଦପୁର : ଜାତୀୟ ରାଜପଥ ନିର୍ମାଣ ପାଇଁ ସରକାରୀ ଜମିରୁ ମାଟି ଲୁଟ୍‌ କଲା କମ୍ପାନି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ରାଜସ୍ବ ବିଭାଗ ପକ୍ଷରୁ କମ୍ପାନିକୁ ତାଗିଦ୍‌ କରାଯାଇଥିଲା। କମ୍ପାନି କର୍ତ୍ତୃପକ୍ଷ ତାଗିଦ୍‌କୁ ବେଖାତିର କରି ବାରମ୍ବାର ମାଟି ଖୋଳିବାରୁ ବିଭାଗ ପକ୍ଷରୁ ୨୧ ଲକ୍ଷ ଟଙ୍କା ଜରିମାନା କରାଗଲା। ଜରିମାନା ରାଶି ଦାଖଲ ହୋଇ ନଥିବା ବେଳେ କମ୍ପାନି ମାଟି ନେବାପରେ ସୃଷ୍ଟି ହୋଇଥିବା ଖାଲକୁ ଏବେ ମନରେଗାରେ ପୋଖରୀ ଖୋଳା ଯାଇଥିବା ଦେଖାଇ ୯ ଲକ୍ଷ ୮୧ ହଜାର ଟଙ୍କା ଚଳୁ କରାଯାଇଛି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ରେ ମନରେଗା ଯୋଜନାରେ ହୋଇଥିବା ଏହି ଦୁର୍ନୀତିକୁ ‌ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ଜାନୁଆରି ୨୫ ତାରିଖରେ ଘସିପୁରା ତହସିଲ ଅନ୍ତର୍ଗତ ସାଇଁକୁଳ ରାଜସ୍ବ ସର୍କଲର ହସନପୁରରେ ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କରୁଥିବା ଏଆର୍‌ଏସ୍ଏସ୍ କମ୍ପାନି ମୁଖ୍ୟରାସ୍ତା କଡ଼ରେ ଥିବା ଏକ ମୂଲ୍ୟବାନ ସରକାରୀ ଜମିରୁ ଜେସିବି ମେସିନ୍ ଲଗାଇ ମାଟି ଓ ମୋରମ ଉତ୍ତୋଳନ କରୁଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତହସିଲଦାର ବାବୁଲ ପେରେଇ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ୨୯ ତାରିଖ ସାଢ଼େ ୧୧ଟାବେଳେ ସାଇଁକୁଳ ଆର୍‌ଆଇ ବିଷ୍ଣୁପ୍ରିୟା ସାହୁ ପହଞ୍ଚି ମାଟି ଖୋଳା ବନ୍ଦ କରିବାକୁ ତାଗିଦ୍‌ କରିଥିଲେ। କିଛିସମୟ ପାଇଁ କମ୍ପାନି କର୍ମଚାରୀ ମାଟି ଖୋଳା ବନ୍ଦ କରିଥିଲେ। ଆର୍‌ଆଇ ଫେରି ଆସିବାପରେ ପୁଣି ବେଧଡ଼କ ମାଟି ଖୋଳିଥିଲେ। ଏହି ଘଟଣା ପରେ ‌ପକ୍ଷ ରଖିବାକୁ ତହସିଲଦାର ଫେବ୍ରୁଆରି ୭ ତାରିଖରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ତହସିଲ କୋର୍ଟରେ ହାଜର ହେବାକୁ ନୋଟିସ୍‌ କରିଥିଲେ। କିନ୍ତୁ କମ୍ପାନିର କୌଣସି ଅଧିକାରୀ ହାଜର ହୋଇ ନଥିଲେ। ଫଳରେ ତହସିଲ ପକ୍ଷରୁ ୧୨ଟି ମାମଲା ରୁଜୁ କରାଯାଇ କମ୍ପାନିକୁ ୨୧ ଲକ୍ଷ ଟଙ୍କା ଜରିମାନା ଦାଖଲ କରିବାକୁ ଡିମାଣ୍ଡ ନୋଟିସ୍ ପଠା ଯାଇଥିଲା। ଦୁଇଥର ନୋଟିସ୍ ପରେ ମଧ୍ୟ କମ୍ପାନି ପକ୍ଷରୁ ଜରିମାନା ଦାଖଲ କରାଯାଇନାହିଁ।

ଅନ୍ୟପକ୍ଷ‌ରେ, କମ୍ପାନି ମାଟି ଓ ମୋରମ ଖୋଳି ନେବାପରେ ସେଠାରେ ଏକ ବିରାଟ ଖାଲ ସୃଷ୍ଟି ହୋଇଥିଲା। ଏବେ ଏଠାରେ ମନରେଗା ଯୋଜନାରେ ସାହାଣିଦେଈ ନୂତନ ପୋଖରୀ ଖନନ, ହସନପୁର ନାମରେ ଏକ ସୂଚନାଫଳକ ଲଗାଯାଇ ୯ ଲକ୍ଷ ୮୧ ହଜାର ଟଙ୍କା ବିଲ୍‌ କରାଯାଇଛି। ପୂର୍ବରୁ ସେହି ସମାନ ସ୍ଥାନରେ ପୋଖରୀ ଖନନ ନେଇ ଏକ ସୂଚନାଫଳକ ଲଗାଯାଇଥିଲା। ଏନେଇ ଫେବ୍ରୁଆରି ୭ ତାରିଖ‌ରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସୂଚନାଫଳକକୁ କେଉଁଆଡ଼େ ଗାଏବ କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ ମେ ୫ ତାରିଖରେ କିଛି ଶ୍ରମିକଙ୍କୁ ଅଣାଯାଇ ଝୁଡ଼ି, କୋଦାଳ ଧରି ସେହି ସ୍ଥାନରେ କାମ କରାଯାଉଥିବାର ମିଛ ଫଟୋ ଉଠାଯାଇଥିଲା। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା‌ରୁ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe