ଦୁଇମାସ ଧରି ମଧ୍ୟାହ୍ନଭୋଜନ ବନ୍ଦ, ଅଭିଭାବକଙ୍କ ବିକ୍ଷୋଭ

ଦୁଇମାସ ଧରି ମଧ୍ୟାହ୍ନଭୋଜନ ବନ୍ଦ, ଅଭିଭାବକଙ୍କ ବିକ୍ଷୋଭ

କାଳିଆପାଣି: ସୁକିନ୍ଦା ବ୍ଲକ୍‌ ସୁକୁରଙ୍ଗି ଉଚ୍ଚପ୍ରାଥମିକ ସ୍କୁଲ୍‌ରେ ୨ ମାସ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ଗୋଟିଏ ଲେଖାଏଁ କଞ୍ଚାଅଣ୍ଡା ଧରାଇ ଦେଇ ଘରକୁ ପଠାଇ ଦିଆଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରନ୍ତି। ଗତ ୬ ମାସ ହେଲା ଏଠାରେ ଅଧକାଂଶ ଦିନ ମଧ୍ୟାହ୍ନ ଭୋଜନ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ସ୍କୁଲରେ ୭୧ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୪ ଜଣ ଶିକ୍ଷକ ଅଛନ୍ତି। ପ୍ରଧାନଶିକ୍ଷକ ମାସକୁ ୩ ରୁ ୪ ଦିନ ଆସିଥାନ୍ତି ବୋଲି ସହକର୍ମୀ କହୁଥିବା ବେଳେ ଅନ୍ୟ ୩ ଶିକ୍ଷକ ପାଳିକରି ସ୍କୁଲ୍‌ ଆସିଥାନ୍ତି ବୋଲି ଅଭିଭାବକ ଅଭିଯୋଗ କରନ୍ତି।

ନିମ୍ନମାନର ଶିକ୍ଷ‌ାଦାନ ଅଭିଯୋଗ ହେବାରେ ସରପଞ୍ଚ ବିକାଶ କୁମାର ପାତ୍ର, ସମିତିସଭ୍ୟ ସାଲୁକା ହନହାଗା ଓ ସ୍କୁଲ ପରିଚାଳନା ସମିତି ସଭାପତି ସର୍ବେଶ୍ବର ଦେହୁରୀ, ଉନ୍ନତି ଦେହୁରୀ ପ୍ରମୁଖ ଆଜି ସ୍କୁଲ୍‌କୁ ଆସି ପିଲାଙ୍କ ପାଠପଢ଼ା ତଦାରଖ କରିଥିଲେ। ପିଲାଙ୍କ ପାଠପଢ଼ା ଅତି ନିମ୍ନମାନର ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ସ୍କୁଲ୍‌ରେ ଏବେ ଯଥେଷ୍ଟ ପରିମାଣର ଚାଉଳ ଗଚ୍ଛିତ ରହିଛି। ହେଲେ ୨୭ ହଜାର ଟଙ୍କାର ବାକି ପଡ଼ିଥିବାରୁ ଦୋକାନରୁ ତେଜରାତି ସଉଦା ଆସିପାରୁନାହିଁ। ଫଳରେ ରୋଷେଇ ବନ୍ଦ ରହିଛି। ପ୍ରଧାନଶିକ୍ଷକଙ୍କ ଭେଟ ମିଳୁନଥିବା କିମ୍ବା ସେ ବାକି ଶୁଝୁନଥିବା ଦୋକାନୀ ପର୍ଶୁରାମ ମଲିକ ଅଭିଯୋଗ କରନ୍ତି। ପ୍ରଧାନଶିକ୍ଷକ ତାଙ୍କ ଦସ୍ତଖତ ଜାଲିଆତି କରି ବ୍ୟାଙ୍କରୁ ସମସ୍ତ ଟଙ୍କା ଉଠାଇ ନେଇଛନ୍ତି ବୋଲି ଏସ୍‌ଏମ୍‌ସି ସଭାପତି ଶ୍ରୀ ଦେହୁରୀ ମନ୍ତବ୍ୟ ଦେଇଛନ୍ତି।

ଗ୍ରାମବାସୀ ଗତ ଡିସେମ୍ବର ମାସରେ ବିଇଓଙ୍କୁ ଭେଟି ପ୍ରଧାନଶିକ୍ଷକଙ୍କ ବଦଳି ଦାବି କରିଥିଲେ। ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କୁ ଘଣ୍ଟ ଘୋଡ଼ାଇ ଆସିଥିବା ଅଭିଯୋଗ ହୋଇଛି। ସରପଞ୍ଚ ଓ ସମିତିସଭ୍ୟଙ୍କ ନେତୃତ୍ବରେ ୪୦ ରୁ ଅଧିକ ଅଭିଭାବକ ଆଜି ସ୍କୁଲ୍‌ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରିଥିଲେ। ଏସଂପର୍କରେ ପ୍ରଧାନଶିକ୍ଷକ ଭାଗବତ ଦେହୁରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍‌ ସୁଇଚ୍ ଅଫ୍ ରହିଥିଲା। ବ୍ଲକ୍‌ ଶିକ୍ଷାଧିକାରୀ ସୁଦର୍ଶନ ମଲିକଙ୍କୁ ଯୋଗାଯୋଗ କରିବାରେ ସେ ଏହାର ତଦନ୍ତକରି ପଦକ୍ଷେପ ନେବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe