Hindustan Times
ବିଂଝାରପୁର: ଶିକ୍ଷକଙ୍କ ପାଇଁ ଅଡ଼ୁଆ ବଢ଼ାଉଛି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ। ମାସମାସ ଧରି ବିଦ୍ୟାଳୟକୁ ଆସୁନି ମଧ୍ୟାହ୍ନଭୋଜନ ଅର୍ଥ। ଗୋଟିଏପଟେ ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇପାରିବ ନାହିଁ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦେଇ ଦୋକାନୀଙ୍କ ନିକଟରେ ବନ୍ଧା ପଡ଼ିଛନ୍ତି ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ। ବିଂଝାରପୁର ବ୍ଲକର ବିଭିନ୍ନ ସ୍କୁଲରେ ଏହାକୁ ନେଇ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଗତ ଏପ୍ରିଲ ପହିଲାରୁ ସମସ୍ତ ସ୍କୁଲ ଖୋଲିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଛି।
ବାସ୍ତବ ପକ୍ଷେ ଏହି ଯୋଜନା ପାଇଁ ଅର୍ଥ ଆସୁ ନଥିବା ବିଭିନ୍ନ ସ୍କୁଲର ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ଗତ ୪ ମାସ ହେଲା ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ଦୋକାନରୁ ସଉଦା ଉଧାର ଆଣି ଏହି ଯୋଜନା ଚଳାଇଛନ୍ତି। ଏହାକୁ ନେଇ ଅନେକ ସମୟରେ ସଂପୃକ୍ତ ପ୍ରଧାନଶିକ୍ଷକ ଓ ସ୍ବୟଂସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ଦୋକାନୀଙ୍କ ପାଖରେ ଅପଦସ୍ଥ ହେଉଛନ୍ତି।
ଅନ୍ୟପଟେ ଏତେଦିନ ଧରି ବାକି ଦେବାକୁ ଦୋକାନୀମାନେ ଚାହୁଁ ନାହାନ୍ତି। ଫଳରେ ମଧ୍ୟାହ୍ନଭୋଜନ ଏକପ୍ରକାର ବନ୍ଦ ହେବାକୁ ବସିଲାଣି। ସେହିପରି ବରୀ ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ଅଙ୍ଗାଳୋ ଓ ମଧୁସୂଦନପୁର ପଞ୍ଚାୟତରେ ଥିବା ସ୍କୁଲରେ ମଧ୍ୟ ୪ ମାସ ହେଲା ମଧ୍ୟାହ୍ନଭୋଜନ ଅର୍ଥ ମିଳିନଥିବା ସଂପୃକ୍ତ ଶିକ୍ଷକଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି। ତୁରନ୍ତ ବାକି ଅର୍ଥ ପ୍ରଦାନ କରାନଗଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନରୁ ବଞ୍ଚିତ ରହିବେ ବୋଲି କେତେକ ଶିକ୍ଷକ କହିଛନ୍ତି।
ଏ ସଂପର୍କରେ ବିଂଝାରପୁର ବିଇଓ ମହମ୍ମଦ ହୁମାୟୁନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନି। ସେହିପରି ବରୀ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନଭୋଜନ ବାବଦ ଅର୍ଥ ଆସିନଥିବା କହିଛନ୍ତି। ଅର୍ଥ ଆସିଲେ ତୁରନ୍ତ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।
Follow Us