ଟଙ୍କାଏ ବଢ଼ିବ ମଧ୍ୟାହ୍ନଭୋଜନ: ଆଦର୍ଶ ବିଦ୍ୟା‌ଳୟ ‌ହଷ୍ଟେଲ୍‌ ଖର୍ଚ୍ଚ ବହନ କରିବେ ସରକାର

Advertisment

ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ମୂଲ୍ୟ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଯୋଜନାରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ...

ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ମୂଲ୍ୟ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଯୋଜନାରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ...

CM Mohan Charan Majhi | Suryabanshi Suraj

ଭୁବନେଶ୍ବର: ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ମୂଲ୍ୟ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଯୋଜନାରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପିଛା ୫ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପିଛା ୮ଟଙ୍କା ୮୨ ପଇସା ଲେଖାଏଁ ପ୍ରଦାନ କରାଯାଇଛି। ଏଥିରେ ଆଉ ଏକ ଟଙ୍କା ଲେଖାଏଁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୫୦ ହଜାରରୁ ବେଶି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରାୟ ୪୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଥିଲେ। ଏଣିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ହଷ୍ଟେଲ ଅନ୍ତେବାସୀଙ୍କ ମାସିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ୩୧୪ ଓଏଭି ମଧ୍ୟରୁ ୧୭୩ଟି ବିଦ୍ୟାଳୟରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଯୋଜନାରେ ବାଳିକା ହଷ୍ଟେଲ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ମିଳିଛି। ଯେଉଁଥିରେ ସମସ୍ତ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା ରହିଛି। ବାକି ୧୪୧ଟି ବାଳିକା ହଷ୍ଟେଲ ଏବଂ ୩୧୪ଟି ବାଳକ ହଷ୍ଟେଲ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ମୋଟ ୪୫୫ଟି ହଷ୍ଟେଲର ଅନ୍ତେବାସୀଙ୍କଠାରୁ ମାସିକ ୨୦୦୦ ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚ ଆଦାୟ ନିମନ୍ତେ ପୂର୍ବରୁ ମାର୍ଗଦର୍ଶିକା ଜାରି ହୋଇଥିଲା। ମାତ୍ର ଅଭିଭାବକଙ୍କ ଅନୁରୋଧକ୍ରମେ ଏଣିକି ମାସିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଛାତ୍ରଛାତ୍ରୀଙ୍କୁ କୌଣସି ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ। ଏହା ଅଧୀନରେ ସମସ୍ତ ଅନ୍ତେବାସୀ ସମ୍ପୂର୍ଣ୍ଣ ମାଗଣାରେ ହଷ୍ଟେଲ ସୁବିଧା ପାଇବେ। 

ଆଦର୍ଶ ବିଦ୍ୟା‌ଳୟ ‌ହଷ୍ଟେଲ୍‌ ଖର୍ଚ୍ଚ, ବହନ କରିବେ ସରକାର
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଐତିହ୍ୟ ବିଦ୍ୟାଳୟ ଓ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ

ପୁରାତନ ବିଦ୍ୟାଳୟର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ରାଜ୍ୟର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟ କିମ୍ବା ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟଗୁଡ଼ିକର ବିକାଶ କରାଯିବ। ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯିବ। ସମୁଦାୟ ୫୧ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରିବାକୁ ଚିହ୍ନଟ ହୋଇଛି। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଆରମ୍ଭ ହୋଇଛି। ଏହା ଅଧୀନରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଅର୍ଥାତ୍‌ ୬,୭୯୪ଟି  ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟଗୁଡ଼ିକରେ ମଧ୍ୟ ପିଲାଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରାଯିବ। ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ‘‘ତୁମମାନଙ୍କ ମଧ୍ୟରେ ଅପାର ସମ୍ଭାବନା ଓ ପ୍ରତିଭା ରହିଛି। ନିଜ ଭିତରର ଲୁକ୍କାୟିତ ଗୁଣାବଳୀ ଓ ଦକ୍ଷତାକୁ ଚିହ୍ନଟ କର। ନୂଆ ନୂଆ ଚିନ୍ତା କରିବା ସହ ବଡ଼ ସ୍ୱପ୍ନ ଦେଖିବାକୁ କେବେ ବି ଦ୍ୱିଧା ପ୍ରକାଶ କର ନାହିଁ। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରିପାରିବ। ରାଷ୍ଟ୍ର ନିର୍ମାଣରେ ତୁମମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆମ ସରକାର ନିରନ୍ତର ପ୍ରୟାସ କରୁଛି। ପିଲାଙ୍କ ଶିକ୍ଷାଗତ, ସାମାଜିକ ଓ ମାନସିକ ବିକାଶ କରିବାକୁ ପ୍ରୟାସ ହେଉଛି।’’ ନିଜ ଗାଁ, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ସେ ଆହ୍ବାନ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ବାବୁ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଘର୍ଷ ମାଧ୍ୟମରେ ଯେଉଁ ସଫଳତା ଆସେ, ତାହା ଆନନ୍ଦଦାୟକ ଓ ଚିରସ୍ଥାୟୀ ବୋଲି ମତବ୍ୟକ୍ତ କରିଥିଲେ। ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲା ବେଳେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘ପିଏମ୍ ପୋଷଣ’ ନିର୍ଦ୍ଦେଶାବଳୀ, ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା’ ନାମକ ଏକ କଫି ଟେବୁଲ ପୁସ୍ତକ, ଐତିହ୍ୟ ବିଦ୍ୟାଳୟ ଓ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଲୋଗୋକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe