ପ୍ରବାସୀ ଶ୍ରମିକ ଓ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ତନାଘନା

Advertisment

ବିରୋଧୀ ଘେରିବା ପରେ ସରକାର କହିଲେ ୩୦% ବ୍ୟବହାର ହୋଇଛି

ବିରୋଧୀ ଘେରିବା ପରେ ସରକାର କହିଲେ ୩୦% ବ୍ୟବହାର ହୋଇଛି

ପ୍ରବାସୀ ଶ୍ରମିକ ଓ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ତନାଘନା

The Financial Express

ଭୁବନେଶ୍ବର: ଓଡ଼ିଶାରେ କ୍ବାରାଣ୍ଟିନ୍ ପାଇଁ ଯେତିକି ସୁବିଧା ରହିଛି, ତାର ମାତ୍ର ୩୦ ପ୍ରତିଶତ ବ୍ୟବହୃତ ହୋଇଛି। େତଣୁ ଅଧିକ ପ୍ରବାସୀ ଆସିବା ପାଇଁ କୌଣସି ସମସ୍ୟା ନାହିଁ। ବର୍ତ୍ତମାନ ସୁଦ୍ଧା ୮୦ ହଜାର ପ୍ରବାସୀ ଘର ସଙ୍ଗରୋଧକୁ ଯାଇସାରିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ନେଇ ଦେଖାଦେଇଥିବା ସମସ୍ୟା ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ରାଜ୍ୟ ସରକାର ଏଭଳି ସୂଚନା ଦେଇଛନ୍ତି। ସୋମବାର ଉଭୟ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସରକାର ହାତ ଟେକିଦେଲେଣି। ଏବେ ଜଗନ୍ନାଥ ଭରସା। ସେହିପରି ୭ଲକ୍ଷରୁ ଅଧିକ ଶଯ୍ୟା ଯଦି ପ୍ରସ୍ତୁତ ହୋଇରହିଛି, ତେବେ ସରକାର ଅସହାୟତା କାହିଁକି ପ୍ରକାଶ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ। ଗତ ଦୁଇ ତିନି ଧରି ପ୍ରବାସୀ ଶ୍ରମିକଙ୍କୁ ନେଇ ଦେଖାଦେଇଥିବା ଅବ୍ୟବସ୍ଥା ଓ ରାଜ୍ୟ ସରକାରଙ୍କ ଅଗୋଚରରେ ତେଲେଙ୍ଗାନାରୁ ଆସିଥିବା ଟ୍ରେନକୁ ନେଇ ଯେଉଁଭଳି ଚିନ୍ତାବ୍ୟକ୍ତ କରାଯାଇଥିଲା, ସେ ପରିପ୍ରେକ୍ଷୀରେ ସରକାରଙ୍କୁ ବିରୋଧୀ ଘେରିଥିଲେ। ସେପଟେ ପଞ୍ଚାୟତିରାଜ ବିଭାଗ ଆସନ୍ତା ୨୯ ତାରିଖ ଦିନ ଦୀର୍ଘ ତିନି ଘଣ୍ଟା ଧରି ଭିଡ଼ିଓ କନଫରେନ୍ସ କରିବାକୁ ସ୍ଥିର କରିଛି। ଆଜି ସବୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କୁ ଏ ସଂକ୍ରାନ୍ତରେ ବିଭାଗର ଯୁଗ୍ମ ସଚିବ ଚିଠି କରିଛନ୍ତି। ଏଥିରେ ଅନ୍ୟସବୁ ପ୍ରସଙ୍ଗ ସହିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ସଂପର୍କରେ ମଧ୍ୟ ବିଭାଗର ପ୍ରମୁଖ ସଚିବ ସମୀକ୍ଷା କରିବେ ବୋଲି ସ୍ପଷ୍ଟ କରିଦିଆଯାଇଛି।

ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ବା କ୍ବାରାଣ୍ଟିନ୍ କେନ୍ଦ୍ର ଏବଂ ପ୍ରବାସୀ ଶ୍ରମିକକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଭିନ୍ନ କୌଶଳ ଅବଲମ୍ବନ କରିଛନ୍ତି। ଟ୍ବିଟ୍ କରି କହିଛନ୍ତି ଯେ ରାଜ୍ୟର ୧୬ ହଜାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସାଢେ ତିନିଲକ୍ଷ ପ୍ରବାସୀଙ୍କୁ ସୁସ୍ଥ କରି ରଖିବାରେ କୋଭିଡ଼ ଯୋଦ୍ଧାମାନେ ଉତ୍ସର୍ଗୀକୃତ ଭାବେ କାମ କରିଛନ୍ତି। ସେମାନଙ୍କୁ କିଭଳି ସମ୍ମାନିତ କରାଯିବ, ତାହା ଆସନ୍ତା ୨୭ ତାରିଖ ୫ଟା ସୁଦ୍ଧା ଏ ନେଇ ସେ ପ୍ରସ୍ତାବ ଆହ୍ବାନ କରିଛନ୍ତି।

୨୯ରେ ପଞ୍ଚାୟତିରାଜ ବିଭାଗ ଭିଡ଼ିଓ କନଫରେନ୍ସିଂରେ ଉଠିବ ଟିଏମସି ପ୍ରସଙ୍ଗ
କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନିତ ପାଇଁ ପ୍ରସ୍ତାବ ମାଗିଲେ ସରକାର

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡ଼ିଥିଲା। ଏହି ସଂଖ୍ୟା ୧୦୦ରେ ପହଞ୍ଚିବା ପାଇଁ ୪୦ ଦିନ ଲାଗିଗଲା। ଏହାର ପାଖାପାଖି ୨୪ ଦିନ ପରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଛୁଇଁଥିଲା। ୬ଦିନ ପରେ ସଂକ୍ରମିତଙ୍କ ସଂଖ୍ୟା ୧୫୦୦ ଛୁଇଁଛି। ଆଉ ଗୋଟିଏ ଜିଲ୍ଲାକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ କରୋନା ଭୂତାଣୁ ପାଦ ଥାପିସାରିଲେଣି। ସେପଟେ ରାଜ୍ୟରେ ପାଖାପାଖି ୭ଲକ୍ଷରୁ ଅଧିକ ଶଯ୍ୟା ଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ନେଇ ଭୀଷଣ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଲାଣି। ଉଭୟ ପ୍ରସଙ୍ଗକୁ ନେଇ ରାଜ୍ୟରେ ଲୋକଙ୍କ ଭିତରେ ଚିନ୍ତା ବଢୁଥିବା େବଳେ ବିରୋଧୀ ଦଳ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏଭଳି ପରିପ୍ରେକ୍ଷୀରେ ଆଜିର ସମୀକ୍ଷା ଓ ସରକାରଙ୍କ ଭୂମିକାକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe