ଗଞ୍ଜାମକୁ ପିଛା ଛାଡୁନି ଦାଦନ ଦୁଃଖ, ଚେନ୍ନାଇରେ ଆଖି ବୁଜିଲେ ଓଡ଼ିଆ ଶ୍ରମିକ

Advertisment
ଗଞ୍ଜାମକୁ ପିଛା ଛାଡୁନି ଦାଦନ ଦୁଃଖ, ଚେନ୍ନାଇରେ ଆଖି ବୁଜିଲେ ଓଡ଼ିଆ ଶ୍ରମିକ

ଶେରଗଡ଼: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଏଭଳି ପରିସ୍ଥିତିରେ ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇ ଯାଇଥିବା ଶେରଗଡ଼ ବ୍ଲକ୍‌ ସଦରମହକୁମା ହରିଜନ ସାହିର ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି। ମୃତକ ଜଣକ ହେଉଛନ୍ତି, କାଳୁ ଦାସଙ୍କ ପୁଅ ବଳରାମ ଦାସ (୩୪)। ବଳରାମ ବର୍ଷେ ତଳେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ସବୁଦିନ ଭଳି ରବିବାର ଦିନ କର୍ମକ୍ଷେତ୍ରରୁ ଫେରି ରାତି ୧୦ଟାରେ ଭୋଜନ ସାରିଥି‌ଲେ। କିନ୍ତୁ ଗତକାଲି (ଡିସେମ୍ବର ୧୧) ସକାଳେ ଆଉ ଉଠି ନଥିଲେ। ଅନ୍ୟ ସହଯୋଗୀମାନେ ତାଙ୍କୁ ସେଠାକାର ଏକ ଡାକ୍ତରଖାନାକୁ ନେଇଥିଲେ ହେଁ, ଡାକ୍ତର ମୃତ ଘୋଷଣା କରିଥିଲେ। ଉଦ୍‌ବେଗର ବିଷୟ, ଗତ ମାର୍ଚ୍ଚରୁ ଆଜି ସୁଦ୍ଧା ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାର ୩୭ରୁ ଅଧିକ ଦାଦନ ଶ୍ରମିକ ରାଜ୍ୟ ବାହା‌ରେ ଏବଂ ବିଦେଶରେ ପ୍ରାଣ ହରାଇଛନ୍ତି।

ଚେନ୍ନାଇରେ ଶବ ବ୍ୟବଚ୍ଛେଦ ହୋଇ ମଙ୍ଗଳବାର ସନ୍ଧ୍ୟାରେ ଶେରଗଡ଼ରେ ପହଞ୍ଚିବା ପରେ କାନ୍ଦବୋବାଳିରେ ପରିବେଶ ଫାଟିଥିଲା। ଆସିକା ଋଷିକୁଲ୍ୟା ନଦୀତଟରେ ଅନ୍ତିମ ସତ୍କାର ହୋଇଥିଲା। ମୃତକ ବଳରାମ ଧରାକୋଟ ବ୍ଲକ ତାଳପାଟଣା ଗାଁରେ ବିବାହ କରିଥିବା ବେଳେ ତାଙ୍କର ଏକ ୪ ମାସର ଶିଶୁକନ୍ୟା ଅଛି। ପରିବାରର ସେ ଜଣେ ପ୍ରମୁଖ ରୋଜଗାରକ୍ଷମ ସଦସ୍ୟ ଥିଲେ। ଏବେ ତାଙ୍କ ବିୟୋଗରେ ପୂରା ପରିବାର ଭାଙ୍ଗିପଡ଼ିଛି। ତୁରନ୍ତ ସରକାରୀ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନା ଥାଉକି, ବାହାର ରାଜ୍ୟରେ ଶତାଧିକ ଶ୍ରମିକ ନିର୍ଯାତିତ ଅବସ୍ଥାରେ କାମ କରୁଛନ୍ତି। ଗୋଟିଏପଟେ ଜାତୀୟସ୍ତର ଓ ରାଜ୍ୟସ୍ତର‌ରେ ମନରେଗା ଯୋଜନାର ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଡିଣ୍ଡିମ ପିଟୁଛି। କିନ୍ତୁ ଅନ୍ୟପଟେ ଏହି ଯୋଜନା ତୃଣମୂଳସ୍ତରରେ କେମିତି କାର୍ଯ୍ୟକାରୀ ହେଉଛି, ତାହା ଦାଦନ ଯନ୍ତ୍ରଣାରୁ ସ୍ପଷ୍ଟ ହେଉଛି। କର୍ମସଂସ୍ଥାନ ଅଭାବରୁ ପ୍ରତିଦିନ ଶତାଧିକ ଯୁବକ ଦାଦନ ଖଟିବାକୁ ଘରୁ ଗୋଡ଼ କାଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe