ପୁଣି ଟ୍ରେନ୍‌ ଚେନ୍‌ ଟାଣି ୧୫ ଶହ ଚମ୍ପଟ୍‌

ପୁଣି ଟ୍ରେନ୍‌ ଚେନ୍‌ ଟାଣି ୧୫ ଶହ ଚମ୍ପଟ୍‌

ଛତ୍ରପୁର : ଲକ୍‌ଡାଉନ୍‌ କଟକଣା କୋହଳ ପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଘରବାହୁଡ଼ା ଜାରି ରହିଛି। ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଫେରୁଛନ୍ତି। ତେବ‌େ କିଛି ଅମାନିଆ ପ୍ରବାସୀ ଓଡ଼ିଆଙ୍କ ଲାଗି ଆଜି ଗଞ୍ଜାମ ଜିଲ୍ଲାରେ ବାରମ୍ବାର ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଆଜି ପୁଣି ଛତ୍ରପୁର ରେଳ ଷ୍ଟେସନ୍‌ ନିକଟରେ ସୁରତରୁ ବାଲେଶ୍ବର ଯାଉଥିବା ଟ୍ରେନ୍‌ ଚେନ୍‌ ପୁଲିଂ କରି ଏକାବେଳକେ ୧୫ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଓହ୍ଲାଇ ପଡ଼ି ଚମ୍ପଟ୍ ମାରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ପାଇ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଅଧିକାଂଶଙ୍କୁ ଅଟକାଇ ରଖିଛନ୍ତି। ପରେ ଅଟକ ସମସ୍ତଙ୍କୁ ସ୍ବତନ୍ତ୍ର ବସ୍‌ରେ ସଙ୍ଗରୋଧ କେନ୍ଦ୍ରକୁ ପଠାଇବା ଲାଗି ପ୍ରଶାସନ ଯୋଜନା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ ସୁରତଠାରୁ ବାଲେଶ୍ବର ଅଭିମୁଖେ ଯାଉଥିଲା। କିନ୍ତୁ ଏଥିରେ ଅଧିକାଂଶ ଗଞ୍ଜାମ ଜିଲ୍ଲାର ଶ୍ରମିକ ଓ ସେମାନଙ୍କ ପରିବାର ଲୋକ ଥିଲେ ସୁଦ୍ଧା ବ୍ରହ୍ମପୁର କିମ୍ବା ଜଗନ୍ନାଥପୁର ଷ୍ଟେସନ୍‌ରେ ଏହାର ରହଣି ନଥିଲା। ସେମାନେ ପୂର୍ବ ଯୋଜନା ମୁତାବକ ଟ୍ରେନ୍‌ ଯଦି ନରହେ ଓହ୍ଲାଇ ପଡ଼ିବାକୁ ଯୋଜନା କରିଥିଲେ। ସନ୍ଧ୍ୟା ପ୍ରାୟ ୬ଟାବେଳେ ଛତ୍ରପୁର ଷ୍ଟେସନ୍‌ ନିକଟ‌ରେ ଟ୍ରେନ ପହଞ୍ଚିବା ବେଳକୁ ହଠାତ୍‌ ଚେନ୍‌ ପୁଲିଂ କରିବାରୁ ଟ୍ରେନ୍‌ ଅଟକି ଯାଇଥିଲା। ଏକାବେଳକେ ପ୍ରାୟ ସବୁ ପ୍ରବାସୀ ଓଡ଼ିଆ ଜିନିଷପତ୍ର ସହ ଓହ୍ଲାଇ ପଡ଼ିଥିଲେ। ୧୫ଶହରୁ ଅଧିକ ପ୍ରବାସୀ ଓହ୍ଲାଇ ପଡ଼ିଥିବାରୁ ଟ୍ରେନ୍‌ ଖାଲି ହୋଇ ଯାଇଥିଲା। ଛତ୍ରପୁର ଆରପିଏଫ୍, ସ୍ଥାନୀୟ ପୁଲିସ ଓ ପ୍ରାଶାସନିକ ଅଧିକାରୀ ତତ୍‌କ୍ଷଣାତ୍‌ ପହଞ୍ଚି ସେଠାରେ ଆଖପାଖ ସଂଯୋଗ ରାସ୍ତାରେ ଯିବାକୁ ଉଦ୍ୟମ କରୁଥିବା ପ୍ରବାସୀଙ୍କୁ ଅଟକାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରହିଥିଲେ ହେଁ ଅନ୍ୟମାନେ ଖସି ପଳାଇଥିଲେ।

publive-image

ଘଟଣାସ୍ଥଳରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଓ ଅମ୍ବିକା ପ୍ରସାଦ ଦାସ, ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍‌, ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଡେପୁଟି କଲେକ୍ଟର ବିଜୟାନନ୍ଦ ସେଠୀ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ କୁମାର ମାନ୍ଧାତା ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜାନ ଛୋଟରାୟ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ରେଳବାଇ ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜ୍ୟର ପ୍ରବାସୀଙ୍କୁ ନେଇ ଆସୁଥିବା ଟ୍ରେନ୍‌ ଗୁଡ଼ିକର ପୂର୍ବ ନିର୍ଦ୍ଧାରିତ କିଛି ନିର୍ଦ୍ଦିଷ୍ଟ ଷ୍ଟେସନ୍‌ରେ ରହଣି ବ୍ୟବସ୍ଥା କରା ଯାଇଥାଏ। ରାଜ୍ୟ ଓ ଜିଲ୍ଲା ପ୍ରଶାସନ କେବଳ ଟ୍ରେନ୍‌ର ନିର୍ଦ୍ଧାରିତ ରହଣି ଷ୍ଟେସନ୍‌ ବିଷୟରେ ଅବଗତ ଥାଆନ୍ତି। କିନ୍ତୁ ଏଥିରେ କେଉଁ ଜିଲ୍ଲାର କେତେ ଆସୁଛନ୍ତି ତାହାର ସୂଚନା ଠିକ୍‌ ଭାବେ ରହୁନାହିଁ। ଫଳରେ ନିଜ ଜିଲ୍ଲା ଆସିଲେ ସେ ଅଞ୍ଚଳର ଲୋକମାନେ ନିକଟ‌ବର୍ତ୍ତୀ ଷ୍ଟେସନରେ ଚେନ୍‌ ପୁଲିଂ କରି ଓହ୍ଲାଇ ଯାଉଛନ୍ତି। ଗତ କିଛି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଏଭଳି ଘଟଣା ଏକାଧିକ ଥର ଘଟିଲାଣି। ଗତ ୨୪ତାରିଖରେ ଛତ୍ରପୁର, ନରିସଂହପୁର ଓ କାଳିଜାଇ ଷ୍ଟେସନରେ ୩ଟି ଟ୍ରେନ୍‌ରୁ ଶତାଧିକ ପ୍ରବାସୀ ଓହ୍ଲାଇ ପଲାଇଥିଲେ। ସେହିପରି ଗତ ୨୭ତାରିଖରେ ହୁମ୍ମା ଓ ଖଲ୍ଲିକୋଟ ଷ୍ଟେସନରେ ୨ଟି ଟ୍ରେନ୍‌ରୁ ୪୫୦ରୁ ଊର୍ଦ୍ଧ୍ବ ଓହ୍ଲାଇ ପଳାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe