ନୂଆଗଡ଼ : କେତେବେଳେ ଦାଦନ ଶ୍ରମିକ ଯନ୍ତ୍ରଣା ଭୋଗୁଛନ୍ତି ତ ଆଉ କେତେବେଳେ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇ ପ୍ରାଣ ହରାଉଛନ୍ତି। ଏହି ତାଲିକାର ମଧ୍ୟ ଶେଷ ନାହିଁ। ଏହି କ୍ରମରେ ଜଣେ ଦାଦନ ଶ୍ରମିକ ବି ଘରେ ପହଞ୍ଚି ପାରିନାହାନ୍ତି। ଟ୍ରେନ୍ରେ ଆସୁଥିବା ବେଳେ ତାଙ୍କର ଜୀବନ ଚାଲିଯାଇଛି।
ମୃତକଜଣକ ହେଲେ, ଗଜପତି ଜିଲ୍ଲା ନୂ୍ଆଗଡ଼ ବ୍ଲକ୍ ବଡ଼ପଦା ଗ୍ରାମର ଶୁଭନ୍ୟ ପାଣି। ଶୁଭନ୍ୟ ତାମିଲନାଡ଼ୁର ତ୍ରିପୁର ସହରରେ କାମ କରୁଥିଲେ। ଘରକୁ ଆସିବା ଲାଗି ସେ ଦୁଇଦିନ ତଳେ ଟ୍ରେନ୍ରେ ଚଢ଼ିଥିଲେ। ପଲାସାରେ ଓହ୍ଲାଇ ସେ ଘରକୁ ଆସିଥା’ନ୍ତେ। ହେଲେ, ଟ୍ରେନ୍ ଭିତରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା, ତାହା ଜଣାପଡ଼ିନାହିଁ। ସାଙ୍ଗରେ କେହି ବି ନଥିବାରୁ ଘଟଣା ତତ୍କ୍ଷଣାତ୍ ସାମ୍ନାକୁ ଆସି ପାରି ନଥିଲା। ଟ୍ରେନ୍ ପଶ୍ଚିମବଙ୍ଗର ଖଡ଼ଗପୁରରେ ପହଞ୍ଚିବା ପରେ ଶୁଭନ୍ୟଙ୍କ ଶବକୁ ଟ୍ରେନ୍ ଶୌଚାଳୟ ନିକଟରୁ ଠାବ କରାଯାଇଥିଲା। ପରିବାରବର୍ଗ ସୂଚନା ପାଇ ଖଡ଼ଗପୁର ପୁଲିସ ସହ ଯୋଗାଯୋଗ କରିଥିଲେ। ରେଳବାଇ ପୁଲିସ ସହାୟତାରେ ଶବ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ୍ ଯୋଗେ ମରଶରୀରକୁ ଗାଁକୁ ଅଣାଯାଇଥିଲା। ନୂଆଗଡ଼ ବିଡିଓ ଅନୁପ ଅଭିଷେକ ବେହେରାଙ୍କ ନିର୍ଦ୍ଦେଶରେ ରେଡକ୍ରସ୍ ପାଣ୍ଠି ସହାୟତାରେ ଖଡ଼ଗପୁରରୁ ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଅଣାଯାଇଥିଲା। ମରଶରୀର ଗଁାରେ ପହଞ୍ଚିବା ପରେ ଗଁାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକ ବି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
Follow Us