ଚିଲିକାରେ ପହଞ୍ଚିଲେ ବିଦେଶୀ ପକ୍ଷୀ

Advertisment
ଚିଲିକାରେ ପହଞ୍ଚିଲେ ବିଦେଶୀ ପକ୍ଷୀ

ବାଲୁଗାଁ : ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଗଲାଣି। ଗୁରୁବାର ସୁଦ୍ଧା ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ପ୍ରାୟ ୬ ହଜାର ଏବଂ ସମଗ୍ର ଚିଲିକାରେ ୩୦ ହଜାରରୁ ଊର୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂତ୍ରରୁ ପ୍ରକାଶ।

ମୁଖ୍ୟତଃ ଅକ୍ଟୋବର ଶେଷାର୍ଧରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ ଚଳିତ ବର୍ଷ ପ୍ରାୟ ମାସେ ବିଳମ୍ବରେ ପକ୍ଷୀ ଆସି ଚିଲିକା ବକ୍ଷରେ ପାଦ ଥାପିଛନ୍ତି। ପ୍ରଥମେ ବିଦେଶୀ ପକ୍ଷୀ ଚିଲିକାରେ ଅବତରଣ କରିବା ପୂର୍ବରୁ ଉପଯୁକ୍ତ ବାସସ୍ଥାନ ଓ ଖାଦ୍ୟ ଅନେ୍ଵଷଣରେ ଦୁଇତିନି ଦିନ ଧରି ଘୂରି ବୁଲି ଚିଲିକା ଜଳ ରାଶିରେ ଅବତରଣ କରିଥାଆନ୍ତି। ବର୍ତମାନ ଅନୁରୂପ ଭାବେ ଏହି ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀ ନଳବଣ ଉପର ଆକାଶରେ ପଇଁତରା ମାରୁଥିବା ଦେଖାଦେଇଛି। ଚିଲିକାକୁ ଶୀତ ଦିନେ ପ୍ରାୟ ୧୬୦ରୁ ଊର୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ବର୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ମାତ୍ର ୪୪ଗୋଟି ପ୍ରଜାତି ତଥା ୱିଜିଅନ୍‌, ପିଲେ ଓ ଗଡ଼ୱାଲ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିବା ଜଣାଯାଇଛି।

ଅନ୍ୟପକ୍ଷରେ ଶିକାରୀଙ୍କ ଦାଉରୁ ପକ୍ଷୀଙ୍କୁ ରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୧୯ଟି କ୍ୟାମ୍ପ ଓ ଗୋଟିଏ ଭ୍ରାମ୍ୟମାଣ ସ୍କ୍ଵାଡ୍‌ ଗଠନ କରାଯାଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଗୋଟି ରେଞ୍ଜ୍‌ ତଥା ବାଲୁଗାଁ, ଟାଙ୍ଗୀ, ରମ୍ଭା, ସାତପଡ଼ା ଓ ଚିଲିକା ରେଞ୍ଜ ଅଞ୍ଚଳରେ ଏହି କ୍ୟାମ୍ପଗୁଡ଼ିକୁ ନିୟୋଜିତ କରାଯାଇଛି। ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୦ଟି କ୍ୟାମ୍ପ, ବାଲୁଗାଁରେ ୪ଟି, ସାତପଡ଼ାରେ ୨ଟି, ରମ୍ଭାରେ ଗୋଟିଏ ଓ ଚିଲିକାରେ ଗୋଟିଏ କ୍ୟାମ୍ପ ରହିଛି। ଏତଦ୍‌ବ୍ୟତୀତ ଚିଲିକା ତଟବର୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସଂପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଡିଏଫ୍‌ ବିକାଶ ରଂଜନ ଦାସ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe