ଚଣ୍ଡିଖୋଲ କଲେଜରେ ଶୋଭା ପାଇଲା ଯୁଦ୍ଧ କମାଣ

ଚଣ୍ଡିଖୋଲ କଲେଜରେ ଶୋଭା ପାଇଲା ଯୁଦ୍ଧ କମାଣ

ଚଣ୍ତିଖୋଲ/ବଡ଼ଚଣା: ଚଣ୍ତିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଶୋଭାପାଉଛି ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସାମିଲ ହୋଇଥିବା ଟ୍ୟାଙ୍କ (ଯୁଦ୍ଧ କମାଣ ଟି ୫୫)। ଏହି ଟ୍ୟାଙ୍କଟି ଆଜି ଅପରାହ୍ନରେ ଚଣ୍ତିଖୋଲ ଛକରେ ପହ‌ଞ୍ଚିବା ପରେ ଏହାକୁ ଦେଖିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଥିଲା।

କଲେଜ ପରିଚାଳନା କମିଟିର ସଭାପତି ପ୍ରଫେସର ବିନାୟକ ପଣ୍ତା, ଅଧ୍ୟକ୍ଷ ଡ. ବୀରେନ୍ଦ୍ର କୁମାର ମିଶ୍ର, ଏନସିସି କ୍ୟାପ୍‌ଟେନ ଅଧ୍ୟାପକ ଦିଲୀପ ନାୟକ, ପୂର୍ବତନ ଛାତ୍ର ସଂଘ ସଭାପତି ଅଧ୍ୟାପକ ପବିତ୍ର ମାହାଲା, ଉପସଭାପତି ଅଧ୍ୟାପକ ସଲିଳ ମହାନ୍ତି, ସମ୍ପାଦକ ଆଇନଜୀବୀ ଦେବାରାଜ ବେହେରା, ପୂର୍ବତନ ପରିଚାଳନା କମିଟି ସଦସ୍ୟା କା‌ଞ୍ଚନବାଳା ଦାସ ଓ ଚଣ୍ତିଖୋଲ ଅସ୍ଥାୟୀ ବ୍ୟବସାୟୀ ସଂଘ ସମ୍ପାଦକ ସଞ୍ଜୟ କୁମାର ସ୍ବାଇଁ ଯୁଦ୍ଧକମାଣକୁ ସ୍ବାଗତ କରିଥିଲେ। ଏନସିସି ଛାତ୍ରଛାତ୍ରୀ ଟ୍ୟାଙ୍କକୁ ପାଛୋଟି ନେଇଥିଲେ।

ଯୁଦ୍ଧକମାଣଟି ଚଣ୍ତିଖୋଲ କଲେଜ ଅଭିମୁଖେ ଯାଉଥିବାବେଳେ କୋର୍ଟ ନିକଟରେ ବାର୍‌ ଆସୋସିଏସନର ସଂପାଦକ ପ୍ରକାଶ କୁମାର ଦାଶ, କୁମର ପ୍ରାସାଦ ବେହେରା, ଜ୍ୟୋତିଙ୍କର ମହାପାତ୍ର, ନିଶିକାନ୍ତ ଦାସ, ନଳିନୀକାନ୍ତ ମିଶ୍ର ଓ ସୁଦର୍ଶନ ଘଡ଼େଇ, ଚଣ୍ତିଖୋଲ ବନପାଳ ଶଶିକାନ୍ତ ବେହେରା ଯୁଦ୍ଧକମାଣକୁ ସ୍ବାଗତ କରିଥିଲେ।

ରୁଷ ନିର୍ମିତ ଏହି ଯୁଦ୍ଧକମାଣଟି ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସାମିଲ ହୋଇ ଯୁଦ୍ଧକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିଲା। ଏହି ଯୁଦ୍ଧ କମାଣଟି ପୁନେଠାରୁ ଏକ ଟ୍ରେଲର ଯୋଗେ ଗତ ୨୮ ତାରିଖରୁ ବାହାରି ଆଜି ଚଣ୍ତିଖୋଲଠାରେ ପହ‌ଞ୍ଚିଥିଲା। ଏ ବାବଦରେ ପୁରାତନ ଛାତ୍ରମାନେ ୩ ଲକ୍ଷ ଟଙ୍କା ସହୟତା ପ୍ରଦାନ କରିଛନ୍ତି। ସେହିପରି କମାଣଟି ଆସିବା ପାଇଁ ମହାବିଦ୍ୟାଳୟ ପକ୍ଷରୁ ୧ ଲକ୍ଷ ୮ ହଜାର ଟଙ୍କା ପ୍ରତିରକ୍ଷା ବିଭାଗ ନିକଟରେ ଦାଖଲ କରାଯାଇଥିଲା।

କଲେଜ ପରିସରରେ କମାଣଟି ସ୍ଥାୟୀ ଭାବେ ରଖିବାକୁ ଏକ ପିଣ୍ତି ନିର୍ମାଣ ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୨ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନୂଆଦଲ୍ଲୀ ସେନା ମୁଖ୍ୟାଳୟର ଉପନିର୍ଦ୍ଦେଶକ ତଥା ପୁରାତନ ଛାତ୍ର ଖୋସାଲିପୁର ଗ୍ରାମର କରୁଣାକର ମଲିକଙ୍କ ଉଦ୍ୟମରେ ଏହି କମାଣଟି ଆସିଥିବାରୁ ପୁରାତନ ଛାତ୍ର ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe