ସୌଭାଗ୍ୟ ଯୋଜନାରେ କୋଟିପତି ହିତାଧିକାରୀ, କଲୋନି ଓ ସ୍କୁଲ ବି ଯୋଜନାରେ ସାମିଲ

Advertisment

ଘର ସହ ଭଡ଼ାଘର, ବ୍ୟବସାୟିକ ପ୍ରତିଷ୍ଠାନରେ ବିିଦ୍ୟୁତ୍‌ ସଂଯୋଗ

ଘର ସହ ଭଡ଼ାଘର, ବ୍ୟବସାୟିକ ପ୍ରତିଷ୍ଠାନରେ ବିିଦ୍ୟୁତ୍‌ ସଂଯୋଗ

ସୌଭାଗ୍ୟ ଯୋଜନାରେ କୋଟିପତି ହିତାଧିକାରୀ, କଲୋନି ଓ ସ୍କୁଲ ବି ଯୋଜନାରେ ସାମିଲ

ଯାଜପୁର: କାହାର ମାଳମାଳ ଟ୍ରକ୍‌ ତ କିଏ କୋଟିପତି! କିଏ ବ୍ୟବସାୟୀ ତ ଆଉ କିଏ ଶିଳ୍ପପତି! ଏହାସତ୍ତ୍ବେ ବି ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ‘ସୌଭାଗ୍ୟ ଯୋଜନା’ର ହିତାଧିକାରୀ ହେବାକୁ ପଛାଇ ନାହାନ୍ତି। କେବଳ ଘର ନୁହେଁ, ସେମାନଙ୍କ ଭଡ଼ାଘର ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଏହି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଏପରିକି, ବେଆଇନ୍‌ ଭାବେ କଲୋନି ଓ ସ୍କୁଲ୍‌କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏ ବାବଦରେ ପ୍ରତିବର୍ଷ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ୍‌ କରାଯାଇନାହିଁ। ଯାଜପୁର ଜିଲ୍ଲାରେ ଏହିଭଳି ଘଟଣା ଘଟିଛି ଏବଂ ସୂଚନା ଅଧିକାର ବଳରେ ଏହାର ଏକ ଉଦ୍‌ବେଗଜନକ ତଥ୍ୟ ସାମ୍‌ନାକୁ ଆସିଛି। ଏହି ଦୁର୍ନୀତିକୁ ନେଇ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

୨୦୧୭ ମସିହା କେନ୍ଦ୍ର ସରକାର ଏହି ସୌଭାଗ୍ୟ ଯୋଜନା ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା, ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହୋଇଥିବା ଅତି ଗରିବ ଲୋକଙ୍କୁ ଏଥିରେ ସାମିଲ୍‌ କରାଯିବ। ‌ଗୋଟିଏ ପରିବାରରେ ବଲ୍‌ବଟିଏ, ଗୋଟିଏ ଫ୍ୟାନ୍ ଓ ଗୋଟିଏ ପ୍ଲଗ୍‌ ବ୍ୟବସ୍ଥା ରହିବ। ଯାହାଫଳରେ କୌଣସି ଗରିବ ଘର ଅନ୍ଧାରରେ ରହିବେ ନାହିଁ କିମ୍ବା କିରାସିନି ଜାଳି ପରିବେଶ ଓ ନିଜ ସ୍ବାସ୍ଥ୍ୟ ପାଇଁ ବିପଦ ଡାକି ନଆଣିବେ ନାହିଁ। ମତ୍ର, ଯାଜପୁର ଜିଲ୍ଲାର କେତେକ ଅଞ୍ଚଳରେ ଏହାର ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ୍‌ର କୋଟିପତି ପରିବାରର ଏକାଧିକ ସଦସ୍ୟ ନିଜ ନାମକୁ ଏହି ଯୋଜନାରେ ସାମିଲ୍‌ କରିଛନ୍ତି। କେଉଁମାନେ ହାତେଇଛନ୍ତି, ତାହାର ଏକ ଲମ୍ବା ତାଲିକା ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଛି। ଯେମିତିକି, ସାରେଇର ‌ଏକାଧିକ ଟ୍ରକ୍‌ ମାଲିକ ସୂର୍ଯ୍ୟମଣି ବେହୁରା, ପୁତୁରା ଭବାନୀ ପ୍ରସାଦ ବେହୁରା (ସୁଙ୍ଗୁଡ଼ା) ଓ ପୁତୁରା ବୋହୂ ହିତାଧିକାରୀ ଭାବେ ସୌଭାଗ୍ୟ ଯୋଜନାର ସାମିଲ୍‌ ହୋଇଛନ୍ତି।

ଏପରିକି, ଚଣ୍ଡିଖୋଲ ଷ୍ଟେଟ୍‌ବ୍ୟାଙ୍କ ପଛପଟେ ଥିବା ତାଙ୍କର ଅନେକ ଭଡ଼ାଘରକୁ ସୌଭାଗ୍ୟ ଯୋଜନାରେ ସାମିଲ କରାଯାଇଛି। ଦୋକାନ ଘରଗୁଡ଼ିକରେ ଏକାଧିକ ଏସି ଓ ଅନ୍ୟାନ୍ୟ ବିଦ୍ୟୁତ୍‌ ଉପକରଣ ବ୍ୟବହାର ହେଉଛି। ମାତ୍ର ସୌଭାଗ୍ୟ ଯୋଜନାରେ ବିନା ମିଟରରେ ସର୍ବନିମ୍ନ ବିଲ୍ କରାଯାଉଛି। ସୂର୍ଯ୍ୟମଣିଙ୍କ ନାମରେ ମାସିକ ୫୭୦ ଟଙ୍କା ଓ ଭବାନୀଙ୍କ ନାମରେ ୨୩୮ଟଙ୍କା ମାସିକ ବିଲ୍ ହେଉଛି। ଅନେକ ଘରକୁ ଭଡ଼ାରେ ଲଗାଇଥିବା କୋଟିପତି ଅରବିନ୍ଦ ସାହୁ , ତାଙ୍କ ପତ୍ନୀ ରେଣୁବାଳା ସାହୁ ଓ ଭଉଣୀ ମମତା ସାହୁଙ୍କ ନାମରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ରହିଛି। ମାସିକ ଲକ୍ଷଲକ୍ଷ ଟଙ୍କା ଘରଭଡ଼ା ଆସୁଛି। କ୍ଷେତ୍ରପାଳ ପଞ୍ଚାୟତର ଗାନ୍ଧୀଛକରେ ପ୍ରାୟ ୮୦/୯୦ପରିବାର ଭଡ଼ାରେ ରହୁଥିବା ଏକ କଲୋନିକୁ ସୌଭାଗ୍ୟ ଯୋଜନାରେ ସାମିଲ କରାଯାଇଛି। ଲକ୍ଷଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ୍ ବଦଳରେ ମାତ୍ର ୫୭୦ଟଙ୍କା ମାସିକ ବିଲ୍ ସୌଭାଗ୍ୟ ଯୋଜନାରେ ଆଦାୟ ହେଉଛି। ନେଉଳପୁର ପଞ୍ଚାୟତର ମିଲଟନଗର କାର୍ତ୍ତିକ ଚନ୍ଦ୍ର କବିଙ୍କ ଘର ମେଗା ପାନୀୟଜଳ ପ୍ରକଳ୍ପ କମ୍ପାନିକୁ ଭଡ଼ାରେ ଦିଆଯାଇଥିବାବେଳେ ସୌଭାଗ୍ୟ ଯୋଜନାରେ ସାମିଲ ହୋଇଛି। ସେହିପରି, କ୍ରସର୍‌ ମାଲିକ ଦୀପକ ଶର୍ମା ମଧ୍ୟ ସୌଭାଗ୍ୟ ଯୋଜନାର ହିତାଧିକାରୀ ହୋଇ ମାସିକ ୨ଶହରୁ ୩ଶହ ଟଙ୍କା ବିଦ୍ୟୁତ୍‌ ବିଲ୍ ଦେଉଛନ୍ତି। ଶୀତତାପ ନିୟନ୍ତ୍ରିତ ଘରେ ରହୁଥିବା ‌କୋଟିପତି ପରିବାର ମାତ୍ର ୨ଶହ/୩ଶହ ଟଙ୍କା ବିଦ୍ୟୁତ୍‌ ବିଲ୍ ଦେଉଥିବା ବେଳେ ହଜାରହଜାର ଟଙ୍କା ବିଦ୍ୟୁତ୍‌ ଦେୟ କାହା ମୁଣ୍ଡରେ ଅଧିକାରୀମାନେ ଲଦୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସେହିପରି, ଚଣ୍ଡିଖୋଲ ମୁଣ୍ଡାସାହି ୟୁପି ସ୍କୁଲକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଏହି ସ୍କୁଲରୁ ଅନ୍ୟମାନଙ୍କୁ ବିଦ୍ୟୁତ୍‌ ଚୋରା ‌ସଂଯୋଗ କରାଯାଇଛି। ଗରିବଙ୍କ ପାଇଁ ହୋଇଥିବା ସୌଭାଗ୍ୟ ଯୋଜନାକୁ ପ୍ରହସନ କରିଥିବା ଅସାଧୁମେଣ୍ଟ ବିଦ୍ୟୁତ୍‌ ବିଭାଗ ଅଧିକାରୀ ଓ ଠିକାଦାର ମଧ୍ୟ ବିଲ୍‌କୁ ଅନ୍ୟମୁଣ୍ଡରେ ଥାପୁଥିବା ଅଭିଯୋଗ ଉଠୁଛି। କେଉଁ ପରିସ୍ଥିତିରେ ସୌଭାଗ୍ୟ ଯୋଜନାରେ କୋଟିପତିଙ୍କୁ ସାମିଲ କରାଗଲା? ଏବ‌େ କିପରି ବିନା ‌ମିଟରରେ ସର୍ବନିମ୍ନ ବିଦ୍ୟୁତ୍‌ ବିଲ୍‌ ଆଦାୟ ହେଉଛି? ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe