ଗଞ୍ଜାମରେ କାୟା ମେଲାଇଛନ୍ତି କୋଟିପତି ନିଶା ବେପାରୀ

Advertisment

୨ ଗଞ୍ଜେଇ ବେପାରୀଙ୍କ ଜବତ ସମ୍ପତ୍ତିର ମୂଲ୍ୟ ୩ କୋଟି

୨ ଗଞ୍ଜେଇ ବେପାରୀଙ୍କ ଜବତ ସମ୍ପତ୍ତିର ମୂଲ୍ୟ ୩ କୋଟି

ଗଞ୍ଜାମରେ କାୟା ମେଲାଇଛନ୍ତି କୋଟିପତି ନିଶା ବେପାରୀ

ବ୍ରହ୍ମପୁର/ବୁଗୁଡ଼ା : ଗଞ୍ଜାମ ଜିଲ୍ଲାରେ କାୟା ମେଲାଇଛନ୍ତି କୋଟିପତି ନିଶା ବେପାରୀ। ଏମାନେ ରାଜ୍ୟ ଓ ରାଜ୍ୟ ବାହାରେ ସେମାନଙ୍କ ନେଟ୍‌ୱର୍କକୁ ସକ୍ରିୟ କରିଛନ୍ତି। ଗତ ୮ ମାସ ମଧ୍ୟରେ ପୁଲିସ ଓ ଏସ୍‌ଟିଏଫ୍ ଟିମ୍ ହାତରେ ତିନିଜଣ ବେପାରୀ ଧରାପଡ଼ିବା ଏହାର ଜ୍ବଳନ୍ତ ପ୍ରମାଣ। ଏଭଳି ପରିସ୍ଥିତିରେ ଗତ ଏପ୍ରିଲ୍ ୨୮ ତାରିଖ ମଧ୍ୟରାତ୍ରିରେ ଏସ୍‌ଟିଏଫ୍ ଦ୍ବାରା ଗିରଫ ହୋଇଥିବା ବୁଗୁଡ଼ା ସହରର ଦୁଇ ଗ‌ଞ୍ଜେଇ ବେପାରୀ ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନର ସମ୍ପତ୍ତି ଆକଳନ କରାଯାଇଛି। ଜବତ ହୋଇଥିବା ସମସ୍ତ ସାମଗ୍ରୀ ଓ ଭୂସମ୍ପତ୍ତିର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି କରାଯାଇଥିବା ଏସ୍‌ଟିଏଫ୍ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ବୁଗୁଡ଼ା ସହରର ରଘୁନାଥ ସାହିରେ ରହୁଥିବା ଏହି ଦୁଇ ବେପାରୀଙ୍କ ଘରେ ଭୁବନେଶ୍ବରରୁ ଆସିଥିବା ୭ ଜଣିଆ ଏସଟିଏଫ୍ ଟିମ୍ ଚଢ଼ଉ କରି ୧୦୭ କିଲୋ ଗଞ୍ଜେଇ, ୫୧୭ ଗ୍ରାମ୍ ଅଫିମ, ୬୦୭ ଗ୍ରାମ୍ ସୁନା, ୧୯୬ ଗ୍ରାମ୍ ରୁପା ଅଳଙ୍କାର, ଗୋଟିଏ ଇନୋଭା କାର୍ ସମେତ ୨୯ଟି ଭୂସମ୍ପତ୍ତିର ନଥିପତ୍ରକୁ ଜବତ କରିଥିଲେ। ଯାହାର ଆକଳନ ଜାରି ରହିଥିଲା। ଦୁଇ ବେପାରୀଙ୍କ ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ୩କୋଟି ହେବ ବୋଲି ଏସ୍‌ଟିଏଫ୍‌ କହିଛି।

ପୂର୍ବରୁ ପୁଲିସ ଜାଲରେ ପଡ଼ିଥିଲା ରଜନୀକାନ୍ତ
ମୋଷ୍ଟ୍ ୱାଣ୍ଟେଡ୍ ଘୋଷିତ ଅନୀଲ ଆଜି ବି ଫେରାର୍

publive-image

ଏହାପୂର୍ବରୁ ଗତବର୍ଷ ଅକ୍ଟୋବର ୨୨ ତାରିଖରେ ଖଲ୍ଲିକୋଟ ପୁଲିସ ଖଲ୍ଲିକୋଟ ସହ ଖୋଜାପଲ୍ଲୀ ବଡ଼ଦାଣ୍ତ ସାହିର କୋଟିପତି ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକର ଘ‌ରେ ଚଢ଼ଉ କରି ୭୫ ଲକ୍ଷ ୯ ହଜାର ଟଙ୍କା, ସାଢ଼େ ୮ କିଲୋ ୫୯୬ ଗ୍ରାମ୍ ସୁନା ଗହଣା, ବିପୁଳ ରୁପା ଅଳଙ୍କାର ସହିତ ୧୦ କିଲୋ ଅଫିମ ଓ ୩୪ କିଲୋ ଗଞ୍ଜେଇ ଜବତ କରିଥିଲା। ଜବତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯିବା ସହ ତାକୁ ଗିରଫ କରାଯାଇଥିଲା। ପରେ, ତା’ର କୋଟି କୋଟି ଟଙ୍କାର ଅମାପ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ କେନ୍ଦ୍ରୀୟ ଅର୍ଥନୈତିକ ସଂସ୍ଥା ବାଜ୍ୟାପ୍ତ କରିଥିଲା। ଏହାପରେ କୋଲକାତାସ୍ଥିତ କେନ୍ଦ୍ର ଅର୍ଥନୈତିକ ମନ୍ତ୍ରାଳୟ (ରାଜସ୍ବ) ଅଧୀନରେ ଥିବା ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜରିଆରେ ତଦନ୍ତ କରାଯାଇଥିଲା। ରଜନୀକାନ୍ତ ଏବଂ ତାର ଦୁଇଭାଇ କମଳାକାନ୍ତ ଓ ସରୋଜକାନ୍ତ ପଟ୍ଟନାୟକ ଏବଂ ଅନ୍ୟ ଦୁଇଜଣଙ୍କ ନାମରେ ଥିବା ଅଚଳାଚଳ ସମ୍ପତ୍ତି ମଧ୍ୟରୁ ୩୨ ଲକ୍ଷ ୭ହଜାର ୮୨୯ ଟଙ୍କା ଓ ବିଭିନ୍ନ ବ୍ୟାଙ୍କ୍‌ରେ ନଗଦ ଆକାରରେ ଜମା ହୋଇଥିବା ୪ କୋଟି ୫୨ ଲକ୍ଷ ୧୪ହଜାର ୯୬୦ ଟଙ୍କା ଜବତ ହୋଇଥିଲା।

ସେହିପରି, ଚଳିତବର୍ଷ ମାର୍ଚ୍ଚ ୮ ତାରିଖରେ କୋଦଳା ଥାନା ଅନ୍ତର୍ଗତ ଜେ.ଛଚିନା ଗ୍ରାମର କୁଖ୍ୟାତ ନିଶା ବେପାରୀ ଅନୀଲ ପାଣ୍ଡିର ଘରେ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରିଥିଲା। ଜେ.ଛଚିନା ଗାଁରେ ଥିବା ୩ମହଲା ବିଶିଷ୍ଟ କୋଠାରେ ଯାଞ୍ଚ୍ ହୋଇଥିଲା। ଅନୀଲ ତା’ର ଭାଇ ସୁନୀଲ ସହିତ ମିଶି ଗଞ୍ଜେଇ କାରବାର ଆରମ୍ଭ କରିଥିଲା। ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିଲା। ଓଡ଼ିଶାରୁ ଆରମ୍ଭ କରି ବିହାର, ଝାଡ଼ଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଅନୀଲ ତା’ର ନିଶା କାରବାରର ରାକେଟ୍‌କୁ ସକ୍ରିୟ କରିଥିଲା। ତେବେ, ଗତବର୍ଷ ବାଲେଶ୍ବରରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ ସମୟରେ ଅନୀଲ ଖସିଯିବାରେ ସକ୍ଷମ ହୋଇଥିଲା। ଏହାପରେ ଏସ୍‌ଟିଏଫ୍‌ ତାର ପ୍ରାୟ ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା। ଏସ୍‌ଟିଏଫ୍‌ ପକ୍ଷରୁ ତାକୁ ମୋଷ୍ଟ୍‌ ୱାଣ୍ଟେଡ଼୍ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe