ଖଣି ରାଜସ୍ବକୁ ଝଟ୍‌କା: ୬ ହଜାର କୋଟି ହାତଛଡ଼ା, ଯୋଡ଼ା ଖଣି ମଣ୍ଡଳରେ କମିଛି ୨ ହଜାର କୋଟି

ଖଣି ରାଜସ୍ବ ଆଦାୟରେ ଓଡ଼ିଶା ଏଥର ପଛେଇଛି। ଗତବର୍ଷ ତୁଳନାରେ ରାଜ୍ୟ ପାଖାପାଖି ୬ ହଜାର କୋଟି ଟଙ୍କାର ରାଜସ୍ବ ହରାଇଛି। ଗତ ଆର୍ଥିକ ବର୍ଷରେ ରାଜ୍ୟ ୪୬ ହଜାର କୋଟି ଟଙ୍କାର ଖଣି ରାଜସ୍ବ ପାଇଥିବା....

ଶିଳ୍ପ, ଖଣି ଗିଳିଦେଲେ ଲ‌କ୍ଷେ ଏକର ଚାଷଜମି

ସୁବ୍ରତ ସ୍ବାଇଁ
କେନ୍ଦୁଝର: ଖଣି ରାଜସ୍ବ ଆଦାୟରେ ଓଡ଼ିଶା ଏଥର ପଛେଇଛି। ଗତବର୍ଷ ତୁଳନାରେ ରାଜ୍ୟ ପାଖାପାଖି ୬ ହଜାର କୋଟି ଟଙ୍କାର ରାଜସ୍ବ ହରାଇଛି। ଗତ ଆର୍ଥିକ ବର୍ଷରେ ରାଜ୍ୟ ୪୬ ହଜାର କୋଟି ଟଙ୍କାର ଖଣି ରାଜସ୍ବ ପାଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ୪୦ ହଜାର ୫୦୦ କୋଟି ପାଇଛି। ସର୍ବାଧିକ ରାଜସ୍ବ ଦେଉଥିବା କେନ୍ଦୁଝର ଜିଲ୍ଲାରେ ମଧ୍ୟ ଖଣି ରାଜସ୍ବ ହ୍ରାସ ପାଇଛି। ଗତବର୍ଷ ଯୋଡ଼ା ଖଣିମଣ୍ଡଳରେ ୨୧ ହଜାର କୋଟି ଟଙ୍କା ଖଣି ରାଜସ୍ବ ଆଦାୟ ହୋଇଥିବା ବେଳେ ଏବର୍ଷ ୨ ହଜାର କୋଟି ଟଙ୍କା ହ୍ରାସ ପାଇଛି। କେବଳ କେନ୍ଦୁଝର ନୁହେଁ, ସମଗ୍ର ରାଜ୍ୟର ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଖଣି ବିଭାଗ ପୂର୍ବବର୍ଷର ସଫଳତାକୁ ଦୋହରାଇ ପାରିନାହିଁ। ରାଜ୍ୟରେ ବିକାଶରେ ପ୍ରମୁଖ ଭୂମିକା ରଖୁଥିବା ଖଣି ରାଜସ୍ବ ହ୍ରାସ ଚିନ୍ତାଜନକ ବୋଲି କୁହାଯାଉଛି।

ଖଣି ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷ ରାଜ୍ୟରେ ମୋଟ ୪୬ ହଜାର କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା। ଚଳିତବର୍ଷ ସରକାର ୭୦ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ମାତ୍ର ୪୦ ହଜାର ୫୦୦ କୋଟି ଟଙ୍କା ଅର୍ଥାତ୍‌ ୬୦ ପ୍ରତିଶତରୁ କମ୍‌ ସଫଳତା ପାଇଛି।  ଯୋଡ଼ା ଖଣି ମଣ୍ଡଳରୁ ଗତବର୍ଷ ୨୧ ହଜାର କୋଟି ଟଙ୍କା ଖଣି ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ୧୯ ହଜାର କୋଟି ଟଙ୍କା ସଂଗ୍ରହ ହୋଇଛି। ଯୋଡ଼ା ଖଣି ମଣ୍ଡଳରେ ୧୦ଟି ଅଧିକ ପ୍ରିମିୟମ୍‌ର ଖଣି ରହିଛି। ଏଥିରୁ ଏବେ ୫ଟି ବନ୍ଦ ରହିଛି। ଜଜାଙ୍ଗ ଲୁହାପଥର ଖଣିର ପ୍ରିମିୟମ୍‌ ଦେଇ ନପାରିବାରୁ ଉକ୍ତ ଖଣିକୁ ଜେଏସ୍‌ଡବ୍ଲ୍ୟୁ କମ୍ପାନି ସରକାରଙ୍କୁ ହସ୍ତାନ୍ତର କରିଦେଇଛି। ଅର୍ଥାତ୍‌ ଏହି ଖଣିରୁ ଗତବର୍ଷ ଯେଉଁ ରାଜସ୍ବ ମିଳିଥିଲା ଏଥର ତାହା ମିଳିଲା ନାହିଁ। ସେହିପରି ଚଳିତବର୍ଷ ୭ଟି ଖଣି ପ୍ରିମିୟମ୍‌ ଦାଖଲ କରି ନଥିବାରୁ ସରକାର ତାହାକୁ ଚଳାଇବା ପାଇଁ ଅନୁମତି ଦେଇନାହାନ୍ତି। ନିୟମ ଅନୁସାରେ, କୌଣସି ଖଣି ଧାର୍ଯ୍ୟ ସମୟରେ ପ୍ରିମିୟମ୍‌ ଦେଇ ନ ପାରିଲେ, ପରବର୍ତ୍ତୀ ସମୟରେ ସେମାନଙ୍କୁ ଦେୟ ପଇଠ ପାଇଁ ଚୁକ୍ତି ଭିତ୍ତିରେ ସମୟ ଦିଆଯାଏ।

ଉକ୍ତ ପ୍ରିମିୟମ୍‌ର ସୁଧ ଆକାରରେ ୧୮ ପ୍ରତିଶତ ଅଧିକ ସରକାର ନେଇଥା’ନ୍ତି। ଚଳିତ ଆର୍ଥିକ ବର୍ଷର ଶେଷ ପର୍ଯ୍ୟାୟରେ ଯୋଡ଼ା ଖଣି ମଣ୍ଡଳର ସିରାଜୁଦ୍ଦିନ, କାସ୍‌ଭି, ନର୍ଭେରାମ ଭଳି ୭ଟି ଖଣିର ପ୍ରିମିୟମ୍‌ ଦାଖଲ ହୋଇ ନଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇଛି। ୪ମାସ ଧରି ଏହି ସବୁ ଖଣି ବନ୍ଦ ରହିବା ଯୋଗୁଁ ବିପୁଳ କ୍ଷତି ହୋଇଛି। ବକେୟା ଥିବା ପ୍ରିମିୟମ୍‌ ସାଙ୍ଗକୁ ରୟାଲଟି ହରାଇଛନ୍ତି ସରକାର। ଯଦି ପୂର୍ବ ଭଳି ଅଣ୍ଡରଟେକିଂ ଜରିଆରେ ଅଧିକ ସୁଧ ନେଇ କମ୍ପାନିମାନଙ୍କୁ ଖଣି ଖନନ କରିବାକୁ ସୁଯୋଗ ଦିଆଯାଇଥା’ନ୍ତା, ହୁଏତ ସରକାର ଅଧିକ ରାଜସ୍ବ ପାଇଥା’ନ୍ତେ ବୋଲି କୁହାଯାଉଛି। ସେହିପରି ଖଣିଜ ପଦାର୍ଥର ମୂଲ୍ୟ ହ୍ରାସ ରାଜସ୍ବ ହ୍ରାସର ଅନ୍ୟତମ କାରଣ ବୋଲି କୁହାଯାଉଛି।  ଖଣିଜ ପଦାର୍ଥ ମୂଲ୍ୟ ସ୍ଥିର କରିଥାଏ ଆଇବିଏମ୍‌ (ଇଣ୍ଡିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍‌ସ)। ଚଳିତବର୍ଷ ଖଣିଜ ପଦାର୍ଥର ମୂଲ୍ୟ କମାଇଛି ଆଇବିଏମ୍‌। ଏଥିପାଇଁ ରାଜସ୍ବ ଆଦାୟ କମିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe