ତେଲେନଡିହି ଜଙ୍ଗଲରୁ ଖଣିଜ ଲୁଟ୍‌: ଥାନାରେ ଏତଲା, ପୁଲିସର ତନାଘନା

ସୁନ୍ଦରଗଡ଼ ଏମ୍‌ସିଏଲ୍‌ ଖଣିକ୍ଷେତ୍ର ଗୋପାଳପୁର ଅଞ୍ଚଳରେ ଖଣିଜ ଲୁଟ୍‌ର ପର୍ଦ୍ଦାଫାସ ପରେ ସହକାରୀ ଖଣି ଅଧିକାରୀ ମଙ୍ଗଳ ହେମ୍ବ୍ରମ ହେମଗିରି ଥାନାରେ ଏତଲା ଦେଇଛନ୍ତି। ତେବେ ଖଣି ବିଭାଗ ନିର୍ଦ୍ଦିଷ୍ଟ ଭାବେ କାହାରି ନାମ ଉଲ୍ଲେଖ କରି ନଥିବାରୁ ପୁଲିସ ଅଜଣା ବ୍ୟକ୍ତିଙ୍କ ନାମରେ....

dgdcvvf

ସୁନ୍ଦରଗଡ଼: ସୁନ୍ଦରଗଡ଼ ଏମ୍‌ସିଏଲ୍‌ ଖଣିକ୍ଷେତ୍ର ଗୋପାଳପୁର ଅଞ୍ଚଳରେ ଖଣିଜ ଲୁଟ୍‌ର ପର୍ଦ୍ଦାଫାସ ପରେ ସହକାରୀ ଖଣି ଅଧିକାରୀ ମଙ୍ଗଳ ହେମ୍ବ୍ରମ ହେମଗିରି ଥାନାରେ ଏତଲା ଦେଇଛନ୍ତି। ତେବେ ଖଣି ବିଭାଗ ନିର୍ଦ୍ଦିଷ୍ଟ ଭାବେ କାହାରି ନାମ ଉଲ୍ଲେଖ କରି ନଥିବାରୁ ପୁଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ମଧ୍ୟରେ ଖଣି ଲୁଟ୍‌ କରିଥିବା ୧୦ ଜଣ ମାଫିଆଙ୍କୁ ଚିହ୍ନଟ କରିଛି ପ୍ରଶାସନ। ତାଲିକାରେ ଜଣେ ପ୍ରଭାବଶାଳୀ ରାଜନେତା ମଧ୍ୟ ଥିବା ଚର୍ଚ୍ଚା ହେଉଛି। ତେବେ ତଦନ୍ତ ବାଧାପ୍ରାପ୍ତ ଆଶଙ୍କାରେ ପ୍ରଶାସନ ସେମାନଙ୍କ ନାମକୁ ଗୋପନ ରଖିଛି। ଅପରପକ୍ଷେ ହେମଗିରର ତତ୍କାଳୀନ ତହସିଲଦାର ଲାବଣ୍ୟେନ୍ଦୁ ମହାନ୍ତିଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ନୋଟିସ୍‌ରେ ଉଲ୍ଲେଖ ଅଛି ଯେ, ଶ୍ରୀ ମହାନ୍ତିଙ୍କ ସମୟରେ ହେମଗିର ଅଞ୍ଚଳରେ ବେଆଇନ କୋଇଲା ଖଣି କାରବାର ଚାଲିଥିଲା। ବନବିଭାଗ ଅଧିକାରୀଙ୍କଠାରୁ ସୂଚନା ପାଇଥିଲେ ବି ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ କିମ୍ବା ଜିଲ୍ଲାପାଳ ଅବା ନିଜର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନଥିଲେ। ତାଙ୍କ ଭୁଲ ପାଇଁ ସରକାରଙ୍କ ବହୁ ରାଜସ୍ବହାନି ହେବା ସହ କୋଇଲା ଚୋରି ହୋଇଛି। ତାଙ୍କ ବିରୋଧରେ କାହିଁକି ରୁଲ୍‌-୧୫ ଓସିଏସ୍‌ (ସିସିଏ) ଲାଗୁ ନ ହେବ, ସେ ନେଇ କାରଣ ଦର୍ଶାଇବା ପାଇଁ କୁହାଯାଇଛି। ୩ ଦିନ ମଧ୍ୟରେ ଏହାର ସନ୍ତୋଷଜନକ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

ଅନ୍ୟପଟେ ଦୁଇଦିନ ହେଲା ଚୋରା ଖଣିରୁ ଜବତ କୋଇଲାକୁ ସ୍ଥାନାନ୍ତର କରୁଛି ପ୍ରଶାସନ। ହେମଗିର ତହସିଲଦାର ସାରିକାରାଣୀ ଧମେଲ, ସହକାରୀ ଖଣି ଅଧିକାରୀ ମଙ୍ଗଳ ହେମ୍ବ୍ରମ ସଦଳବଳ ଜଙ୍ଗଲର ବିଭିନ୍ନ ଚୋରାଖଣିରୁ ଟ୍ରାକ୍ଟର ଯୋଗେ କୋଇଲାକୁ ଏକତ୍ର କରି ହାଇୱାରେ ସ୍ଥାନାନ୍ତର କରୁଛନ୍ତି। ଏହା ପରେ ଜବତ କୋଇଲାର ଆକଳନ କରି ନିଲାମ କରାଯିବ। ଏହାସହ ଚୋରା ଖଣିଗୁଡ଼ିକରୁ କେତେ ପରିମାଣର କୋଇଲା ଚୋରି ହୋଇଛି, ଖଣି ବିଭାଗ ତା’ର ମଧ୍ୟ ଆକଳନ କରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଦାଶରଥି ସରାବୁ। ଅଭିଯୋଗ ରହିଛି, ଏମ୍‌ସିଏଲ୍‌କୁ ଆବଣ୍ଟିତ ଗୋପାଳପୁର ତେଲେନଡିହି ରାଜସ୍ବ ଓ ସଂରକ୍ଷିତ ଜଙ୍ଗଲରେ ୨୦୦୫ରୁ ମାଫିଆମାନେ କୋଇଲାର କଳା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ସେଠାରୁ ଯୋଜନାବଦ୍ଧ ଭାବେ ନିୟମିତ କୋଇଲା ଉତ୍ତୋଳନ କରି କୋଲ୍‌ ୱାସେରି ସମେତ ବାହାର ରାଜ୍ୟକୁ ଚୋରାଚାଲାଣ କରୁଥିଲେ। ତେଲେନଡିହିର ବ୍ୟାପକ ଜଙ୍ଗଲ ଉଜାଡ଼ି, ମାଟିତାଡ଼ି ହଜାର ହଜାର ଟନ୍‌ କୋଇଲା ବାହାର କରିନେଇ କୋଟିକୋଟି ଟଙ୍କା ପକେଟ୍‌ରେ ଭରିଛନ୍ତି ମାଫିଆ।

‘ସମ୍ବାଦ’ ଓ ‘କନକନ୍ୟୁଜ୍‌’ ଏହି ଖଣି ଚୋରି ଲୋକଲୋଚନକୁ ଆଣିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍ ଓରାମ, ରାଜଗାଙ୍ଗପୁର ବିଧାୟକ ଡା. ସିଏସ୍‌ ରାଜେନ୍ ଏକ୍କା, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ପ୍ରମୁଖ ଉଦ୍‌ବେଗ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe