ପ୍ରଦୂଷଣରେ କଲବଲ ଖଣିଅଞ୍ଚଳବାସୀ

Advertisment
ପ୍ରଦୂଷଣରେ କଲବଲ ଖଣିଅଞ୍ଚଳବାସୀ

କାଳିଆପାଣି : ବର୍ଷାଦିନେ ବି ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ମାତ୍ରାଧିକ ଧୂଳି ଉଡ଼ି ସ୍ଥାନୀୟ ପରିବେଶ ପ୍ରଦୂଷିତ ହେଉଛି। ବୁଧବାର ଅପରାହ୍ଣରେ ଜନଗହଳି ରହୁଥିବା ତାରିଣୀ ମାର୍କେଟ୍‌, ଜଗାବଳିଆ ମାର୍କେଟ୍‌, ଏଟିଏମ୍‌ ଛକ, ମହାବୀର ବଜାର ଓ ଗଣେଶ ବଜାରରେ ମାତ୍ରାଧିକ ଧୂଳି ଉଡ଼ିଥିଲା। ସଡ଼କ‌ରେ ଦୃଶ୍ୟମାନ ଦୂରତା ୫୦ ମିଟରକୁ ହ୍ରାସ ପାଇଥିଲା। ବିଷାକ୍ତ ଧୂଳି ପାଇଁ ସ୍ଥାନୀୟ ଲୋକେ କଲବଲ ହେବା ସହ ସାଧାରଣ ଦୋକାନୀ ଓ ଗ୍ରାହକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ଧୂଳି ଓ କାଦୁଅ ଯୋଗୁଁ ସାରୁଆବିଲରୁ କଲରଙ୍ଗି ଢାବା ଛକ ମଧ୍ୟରେ ପରିବେଶ ଦୁର୍ବିଷହ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପାଣିକୋଇଲି ପୂର୍ତ୍ତ ବିଭାଜନ ଅଧୀନରେ ଥିବା ଏହି ସଡ଼କ ଅଧିକାଂଶ ସ୍ଥାନରେ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ଉକ୍ତ ସଡ଼କରେ ବିଭିନ୍ନ କ୍ରିୟାଶୀଳ ଖଣିରୁ କ୍ରୋମାଇଟ୍‌ ପରିବହନ ପାଇଁ ଦୈନିକ ଶହଶହ ଟ୍ରକ୍‌ ଯାତାୟାତ କରୁଛନ୍ତି।

ସେହିପରି ମାଳମାଳ ବାଲି ବୋଝେଇ ହାଇୱା ମଧ୍ୟ ଯାତାୟାତ କରୁଥିବା ଅଭିଯୋଗ ହେଉଛି। ଅଧିକ ଖାଲ ଓ ହମ୍ପ୍ସ ଥିବା କାଳିଆପାଣି ଓଏମ୍‌ସି ଟାଉନସିପ ଛକରୁ କଲରଙ୍ଗି ପର୍ଯ୍ୟନ୍ତ ରାସ୍ତାରେ କ୍ବଚିତ ଜଳ ସିଞ୍ଚନ ହେଉଛି। ଉକ୍ତ ସଡ଼କରେ ଟାଟାଷ୍ଟିଲ, ଓଡ଼ିଶା ଖଣି ନିଗମ(ଓଏମ୍‌ସି), ଇମ୍ଫା, ଫେକର-ବେଦାନ୍ତ, ବାଲେଶ୍ବର ଆଲଏଜ୍ ଖଣିରୁ କ୍ରୋମ୍‌ ବୋଝେଇ ଟ୍ରକ୍‌ ସବୁ ଚଳାଚଳ କରୁଥିଲେ ମଧ୍ୟ ଏଠାରେ ଧୂଳି ନିୟନ୍ତ୍ରଣ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁ।

ଲଗାଣ ବର୍ଷା ସତ୍ତ୍ବେ ବିଭିନ୍ନ ଦୋକାନ ଓ ପାର୍ଶ୍ବସ୍ଥ ଜନବସତି ଛପର ଉପରେ ଇଞ୍ଚେ ବହଳର ଧୂଳି ମାଡ଼ିଯାଇଛି। ଧୂଳି ପ୍ରଦୂଷଣ ସମସ୍ୟାକୁ ନେଇ ସ୍ଥାନୀୟ ବଣିକ ସଂଘ ଓ ଏକାଧିକ ଯୁବକସଂଘ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏସମ୍ପର୍କରେ କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ ସେ ଟାଟାଷ୍ଟିଲ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ ଉଦ୍ୟମ କରିବେ ବୋଲି କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe