ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଧୀନ ମୟୂରଝାଲିଆ ମୌଜାରେ ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ୍ ଖନନ ନେଇ ୧୧ ଜଣଙ୍କ ନାମରେ ଚାନ୍ଦପୁର ଥାନାରେ ଆଜି ମାମଲା ରୁଜୁ ହୋଇଛି। ଚାନ୍ଦପୁର ଆଇଆଇସିଙ୍କ ସୂଚନା ମୁତାବକ, ଖଣି ଲିଜ୍ଧାରୀ ସୁଶାନ୍ତ କୁମାର ବରାଡ଼, ଅଗ୍ରୱାଲ ଇନ୍ଫ୍ରା ବିଲ୍ଡର ନିର୍ଦ୍ଦେଶକ ଶଶାଙ୍କ ଅଗ୍ରୱାଲଙ୍କ ସମେତ ରଣପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଯୁଗୋଳ କିଶୋର ମିଶ୍ର, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ଭାରାପ୍ରାପ୍ତ ତହସିଲଦାର ଅଶୋକ କୁମାର ପଟ୍ଟନାୟକ, ଆର୍ଆଇ ପ୍ରଶାନ୍ତ ନାୟକ, ପ୍ରଶାନ୍ତ ପ୍ରଧାନ, ପୂର୍ବତନ କିରାଣି ଅରୁଣ କୁମାର ସେଠୀ, ମହମ୍ମଦ ସୁଲତାନ, ଚନ୍ଦ୍ରଶେଖର ନନ୍ଦ, ସୁପରଭାଇଜର୍ ପ୍ରମୋଦ କୁମାର ପ୍ରଧାନ ଆଦି ୯ ସରକାରୀ ଓ ପୂର୍ବତନ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଲିଜ୍ଧାରୀ ଅନୁମତିଠାରୁ ଅଧିକ ଖଣି ଖନନ କରିଥିବା ବେଳେ ତତ୍କାଳୀନ ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ସମେତ ଆର୍ଆଇଙ୍କ ଭଳି ୯ ଜଣ ସରକାରୀ କର୍ମଚାରୀ ଏଥିରେ ସମର୍ଥନ କରିଥିବାନେଇ ଏନ୍ଜିଟିରେ ଅଭିଯୋଗ ହୋଇଥିଲା। ଏହିଭଳି ଅଭିଯୋଗ ସହ ରଣପୁରର ଦିଲୀପ ସାମନ୍ତରାୟ ଖଣି ଦୁର୍ନୀତି ନେଇ ଏନ୍ଜିଟି, କୋଲକାତାଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ, ରାଜ୍ୟ ଖଣି ନିଗମ କର୍ତ୍ତୃପକ୍ଷ, ବିଭାଗୀୟ ବୈଜ୍ଞାନିକ, ଜିଲ୍ଲାପାଳ ପ୍ରମୁଖ ଗସ୍ତ କରି ଏହି ଖଣି ଦୁର୍ନୀତିର ତଦନ୍ତ କରିଥିଲେ। ଏନ୍ଜିଟିଙ୍କ ନିକଟରେ ଏନେଇ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଗତ ଡିସେମ୍ବର ୬ରେ ଜବାବୀ ସତ୍ୟପାଠ ଦାଖଲ କରିଥିଲେ। କିଛିଦିନ ତଳେ ଏନ୍ଜିଟି ଚୂଡ଼ାନ୍ତ ରାୟ ଶୁଣାଇବା ସହ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ କରାଯିବା ପରେ ଏନ୍ଜିଟିଙ୍କ ନିର୍ଦ୍ଦେଶ ଆଧାରରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ରଣପୁର ତହସିଲଦାରଙ୍କୁ ଏଫ୍ଆଇଆର୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ , ମୟୂରଝାଲିଆ ମୌଜାର ୧୬୮୯ ପ୍ଲଟ୍ରୁ ୪ ଏକର ମାଙ୍କଡ଼ାପଥର ଖଣି ପାଇଁ ସୁଶାନ୍ତ କୁମାର ବରାଡ଼ଙ୍କୁ ୫ ବର୍ଷିଆ ଲିଜ୍ ଦିଆଯାଇଥିଲା। ହେଲେ, ସେ ଅନୁମତିଠାରୁ ଅଧିକ ଖଣି ଖନନ କରିଛନ୍ତି। ସେହିଭଳି ଅଗ୍ରୱାଲ ଇନ୍ଫ୍ରା ବିଲ୍ଡ ପ୍ରାଇଭେଟ୍ ଲିମିଟେଡକୁ ଏହି ପ୍ଲଟ୍ରୁ ୨ ଏକର ଅଞ୍ଚଳରୁ ସାଧାରଣ ମାଟି ଖନନ ଓ ପରିବହନ ନିମନ୍ତେ ସାମୟିକ ପରମିଟ୍ ଦିଆଯାଇଥିଲା । ସେମାନେ ଏହି ପ୍ଲଟ୍ର ଅନ୍ୟାନ୍ୟ ଜାଗାରୁ ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ୍ ଚାଲାଣ କରିବା ସହ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରିଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା। ଏନେଇ ଖଣି ଲିଜ୍ଧାରୀ ସୁଶାନ୍ତ କୁମାର ବରାଡ଼ଙ୍କୁ ଗତ ଜାନୁଆରି ୧୦ ତାରିଖରେ ୨ କୋଟି ୮୧ ଲକ୍ଷ ୫୯ ହଜାର ୯୪୫ ଟଙ୍କା ଜରିମାନା କରାଯାଇଥିଲା। ତେବେ ଶ୍ରୀ ବରାଡ଼ ଜରିମାନା ନଦେଇ ଜିଲ୍ଲାପାଳଙ୍କ ସମେତ ଏନ୍ଜିଟିର ଦ୍ବାରସ୍ଥ ହୋଇଥିବା ବ୍ୟକ୍ତି ତାଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଭଳି ନାଟକ ରଚି ଥିଲେ। ସୁଶାନ୍ତଙ୍କ ଏଭଳି ଅଭିଯୋଗକୁ ଏନ୍ଜିଟି ଗ୍ରହଣ କରିନଥିଲେ।
Follow Us