ଖଣି ସନ୍ଧାନ: ଅନୁଗୁଳରେ ଗ୍ରାଫାଇଟ୍‌, ବଲାଙ୍ଗୀରରେ ସୁନା!

Advertisment
ଖଣି ସନ୍ଧାନ: ଅନୁଗୁଳରେ ଗ୍ରାଫାଇଟ୍‌, ବଲାଙ୍ଗୀରରେ ସୁନା!

ଅନୁଗୁଳ : ଖଣି ଖଦାନରେ ଭରପୂର ଅନୁଗୁଳ ଜିଲ୍ଲାରେ ମିଳିଛି ଗ୍ରାଫାଇଟ୍‌ର ସନ୍ଧାନ। ଅନୁଗୁଳ ବ୍ଲକ୍‌ ବଡ଼କନ୍ତକୁଳ ଓ କଂଜା ଅଞ୍ଚଳରେ ମାଟିତଳେ ଗ୍ରାଫାଇଟ୍‌ ରହିଥିବା ଜଣାପଡ଼ିଛି। ପାଖାପାଖି ୨ ମାସ ହେଲା ଭୂତତ୍ତ୍ବ ନିର୍ଦ୍ଦେଶାଳୟର ଏକ ଟିମ୍‌ ଏହି ଅଞ୍ଚଳରେ ଡେରା ପକାଇ ଏଥିନେଇ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି । ପରେ କେତେ ପରିମାଣର ଗ୍ରାଫାଇଟ୍‌ ରହିଛି, ତା’ର ଆକଳନ କରାଯାଇ ଖଣି ଖନନ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଖଣି ହେଲେ ଅଞ୍ଚଳର ଅର୍ଥନୈତିକ ବିକାଶ ହେବ ବୋଲି କୁହାଯାଉଥିଲାବେଳେ ବଣପାହାଡ଼ ଘେରା ବଡ଼କନ୍ତକୁଳ ଓ କଂଜାରେ ବ୍ୟାପକ ଜଙ୍ଗଲ ନଷ୍ଟହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଅନୁଗୁଳ ଜିଲ୍ଲାର ତାଳଚେର, କଣିହାଁ ଓ ଛେଣ୍ଡିପଦା ବ୍ଲକ୍‌ରେ ପ୍ରଚୁର କୋଇଲା ମହଜୁଦ ରହିଛି। ଏଠାରୁ କୋଇଲା ଉତ୍ତୋଳନ ଚାଲିଥିଲାବେଳେ ଜିଲ୍ଲାରୁ ଆଉ କୌଣସି ମୂଲ୍ୟବାନ ଖଣିଜ ପଦାର୍ଥର ସନ୍ଧାନ ମିଳି ନ ଥିଲା। ତେବେ ଦୀର୍ଘବର୍ଷ ବ୍ୟବଧାନରେ କଂଜା ଓ କନ୍ତକୁଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିବାପରେ ଜିଲ୍ଲାରେ ଖଣି ବଢ଼ିବ ବୋଲି ଅନୁମାନ କରାଯାଉଛି। ଏଠାରେ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ଏକ ଟିମ୍‌ ୨ ମାସ ହେଲା ସର୍ଭେ ଚଳାଇଛନ୍ତି। ଏମାନେ ଗ୍ରାଫାଇଟ୍‌ର ମାନ ଓ ମାଟି ପରୀକ୍ଷା କରୁଛନ୍ତି। କେଉଁକେଉଁ ଅଞ୍ଚଳରେ ଏହି ଗ୍ରାଫାଇଟ୍‌ ରହିଛି, ତା’ର ଅନୁସନ୍ଧାନ ଚଳାଇଛନ୍ତି। ସେମାନେ ବିଭିନ୍ନ ସ୍ଥାନ ବୁଲି ତଥ୍ୟ ସଂଗ୍ରହରେ ଲାଗିଥିବା ଭୂତତ୍ତ୍ବ ନିର୍ଦ୍ଦେଶାଳୟର ଢେଙ୍କାନାଳ ଜୋନ୍‌ର ଉପ‌ନିର୍ଦ୍ଦେଶକ ବିଶ୍ବରଂଜନ ସେଠୀ କହିଛନ୍ତି।

ପାଟଣାଗଡ଼/ଧଣ୍ଡାମୁଣ୍ଡା : ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ତଥା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁରେ ମାଟି ତଳୁ ସୁନା ବାହାରୁଥିବା ଚର୍ଚ୍ଚା ହେଉଛି। ଆଜି ନଳକୂଅ ଖନନ ବେଳେ ହଳଦିଆ ରଙ୍ଗର ଧାତୁ କଣିକା ମିଳିଥିବାରୁ ଏହା ସୁନା ହୋଇଥାଇପାରେ ବୋଲି ଅଞ୍ଚଳବାସୀ ଅନୁମାନ କରୁଛନ୍ତି। ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।

ସୂଚନା ଅନୁସାରେ, ଛଞ୍ଚାଣବାହାଲି ଗାଁରେ ରହୁଥିବା ମହମ୍ମଦ ଜାଭେଦ ଦେୱର ତାଙ୍କ ଜମିରେ ମାସେ ତଳେ ଏକ ନଳକୂପ ଖୋଳାଇଥିଲେ। ଗତ ୧୮ ତାରିଖ ଦିନ ସେ ପ୍ରଥମ କରି ଏଥିରେ ମଟର ପମ୍ପ ଲଗାଇଥିଲେ। ୨୧ ତାରିଖ ଦିନ ପମ୍ପ ସାହାଯ୍ୟରେ ସେ ପାଣି କାଢ଼ିଥିଲେ। ପ୍ରଥମେ ସଫା ପାଣି ବାହାରିବା ପରେ ମଇଲା ତଥା ହଳଦିଆ ପାଣି ବାହାରିଥିଲା। ପାଣିକୁ କପଡ଼ାରେ ଛାଣିବାରୁ ସେଥିରେ ହଳଦିଆ ରଙ୍ଗର ଧାତୁ କଣିକା ଥିବା ସେ ଦେଖିଥିଲେ।

ଏ ସମ୍ପର୍କରେ ପ୍ରଚାର ହେବାରୁ ଜାଭେଦ ଖପ୍ରାଖୋଲ ତହସିଲଦାରଙ୍କୁ ଅବଗତ କରାଇଥିଲେ। ଏହାକୁ ଗୁରୁତ୍ବର ସହ ନେଇ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ମିଶ୍ର ଓ ଥାନାଧିକାରୀ ରମାକାନ୍ତ ସାହୁ ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe