ଖଣି ମନ୍ତ୍ରୀଙ୍କ ଇଲାକାରେ ଖଣି ବନ୍ଦ

Advertisment
କଳାପଥରର କଳା କାରନାମା: ଭିଜିଲାନ୍ସ ରିପୋର୍ଟକୁ ନେଇ ପ୍ରଶାସନ ଅଡ଼ୁଆରେ

freedoniafocusreports.com

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଂଚାୟତର ଅସୁରବନ୍ଧ। ପ୍ରାୟ ୨୦୦ଏକର ଜମିରେ ଭରି ରହିଛି କ୍ରୋମାଇଟ। ଭୂ-ତତ୍ତ୍ୱ ବିଭାଗର ବାରମ୍ବାର ସର୍ଭେ ପରେ ଖଣି ଖନନ ପାଇଁ ପ୍ରାୟ ଦୁଇ ବର୍ଷ ତଳେ ମିଳିଥିଲା ସରକାରୀ ଅନୁମତି। ଖଣିର ଭୂମି ପୂଜନ ହେଲା। ନଡ଼ିଆ ଭାଙ୍ଗି ଖଣି ଖନନର ଶୁଭାରମ୍ଭ ହେଲା। କିନ୍ତୁ, ମାସ କେଇଟା ଖଣିରୁ କ୍ରୋମାଇଟ୍‌ ଉତ୍ତୋଳନ ହୋଇନାହିଁ, ଖଣି ବନ୍ଦ ପଡ଼ିଛି। ରାଜ୍ୟର ଖୋଦ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନିଜ ନିର୍ବାଚନମଣ୍ଡଳୀରେ ଖଣିର ଏ ପ୍ରକାର ସ୍ଥିତି କେବଳ ରାଜ୍ୟର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରୁନାହିଁ, ବରଂ ସ୍ଥାନୀୟ ନିଯୁକ୍ତି ଉପରେ ବି ଅଙ୍କୁଶ ଲଗାଇଛି।

ସୂଚନା ମୁତାବକ, ପ୍ରାୟ ୨୦୦ଏକର ପରିମିତ ଏହି ଜମିରେ କ୍ରୋମାଇଟ ଗଚ୍ଛିତ ରହିଥିବା ନେଇ ସରକାରଙ୍କ ଭୂ-ତତ୍ତ୍ୱ ବିଭାଗ ସ୍ପଷ୍ଟ କରିଥିଲା। ବାରମ୍ବାର ସର୍ଭେ ପରେ ଖଣି ଖନନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ରିୟଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଖଣି ଖନନ ଦାୟିତ୍ୱ ଦିଆଯାଇଛି। ୨୦୧୯ ମସିହାରେ ତାଳଚେର ଖଣି ଉପ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଖଣି ଖନନର ଶୁଭାରମ୍ଭ ହୋଇଥିଲା। ନଡ଼ିଆ ଭାଙ୍ଗି ଖଣି ଖୋଳା ଯାଇଥିଲା। ମାତ୍ର ତିନି ମାସ ଖଣି ଖନନ କରାଯାଇଛି। ଝାରସୁଗୁଡ଼ାର ଶ୍ୟାମ ମେଟାଲିକ୍‌ ନାମକ ସଂସ୍ଥାକୁ ଅଳ୍ପ କିଛି ଦିନ ପାଇଁ କ୍ରୋମାଇଟ୍‌ ବିକ୍ରି କରାଯାଇଛି। କିନ୍ତୁ, ତା’ ପରଠାରୁ ଖଣି ଖନନ ପୂରା ବନ୍ଦ ହୋଇରହିଛି। ଆସୁରବନ୍ଧ ଖଣି ଆଦୌ ଚାଲୁ ନାହିଁ। ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କେବଳ ଅସୁରବନ୍ଧ ନୁହେଁ, ଭୁବନ ବ୍ଲକ ମଠକରଗୋଳା ପଂଚାୟତ ଟାଙ୍ଗରପଡା ଗାଁରେ ମଧ୍ୟ କ୍ରୋମାଇଟ ଠାବ କରାଯାଇଛି। ଭୂ-ତତ୍ତ୍ୱ ବିଭାଗ ବାରମ୍ବାର ଏ ଇଲାକା ସର୍ଭେ କରି ଯାଇଛନ୍ତି। କିନ୍ତୁ ଏହି ଇଲାକାରୁ ଖଣି ଖନନ ପାଇଁ ସରକାରୀ ଅନୁମତି ଏଯାବତ ମିଳି ପାରିନାହିଁ। ଖଣି ମନ୍ତ୍ରୀଙ୍କ ଇଲାକାରେ ଏ ପ୍ରକାର ଶିଥୀଳ ସ୍ଥିତିକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଭୁବନ ଓ କାମାକ୍ଷାନଗର ଅଂଚଳରେ ଶିଳ୍ପ ସମ୍ଭାର ନାହିଁ। ବେକାରୀ ସମସ୍ୟା ବେଶ୍‌ ଅଧିକ। ନିଯୁକ୍ତି ପାଇବା ପାଇଁ ଲୋକେ ଚାହିଁ ବସିଥିବା ବେଳେ ଆରମ୍ଭରୁ ଏ ପ୍ରକାର ଖଣି ବନ୍ଦ ହେବା ଘଟଣାକୁ ଲୋକେ ବେଶ୍‌ ସମାଲୋଚନା କରିଛନ୍ତି।

ଏ ସମ୍ପର୍କରେ ଖଣିମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ପ୍ରତିକ୍ରିୟା ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ, ଯୋଗାଯୋଗ ହୋଇ ନ ପାରିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ।

ଅନ୍ୟପକ୍ଷରେ ଖଣି ବନ୍ଦ ପଛରେ ଖଣି ଇନ୍ସପେକ୍ଟର ଅକ୍ଷୟ ସାମଲ ବିଭିନ୍ନ କାରଣ ଦର୍ଶାଇଛନ୍ତି। କହିଛନ୍ତି, ଖଣିର ଜମି ଅଧିଗ୍ରହଣ ଜନିତ ତ୍ରୁଟି ରହିଛି। ଖଣିରୁ ଯେତିକି କ୍ରୋମାଇଟ୍‌ ବାହାରିବା କଥା ସେତିକି ବାହାରୁ ନାହିଁ। ଏହାଛଡା ଭୂତାଣୁ କୋଭିଡ ପାଇଁ ଲକ୍‌ଡାଉନ ବର୍ଷେ ହେଲା ଚାଲିଛି। ସେଥିପାଇଁ ମଧ୍ୟ କାମ ବିଳମ୍ବ ହୋଇଛି ବୋଲି ଶ୍ରୀ ସାମଲ ପ୍ରତିକ୍ରିୟାରେ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe