India News Diary
ଭୁବନେଶ୍ବର : ଲଗାତାର ଦ୍ବିତୀୟ ଦିନ ପାଇଁ ବୁଧବାର ଦିନ ବିଧାନସଭାରେ ଖଣି ତାତି ଦେଖିବାକୁ ମିଳିଥିଲା। ଖଣି ଆଲୋଚନାକୁ ସରକାର କାହିଁକି ଡରୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ତିନି ବର୍ଷ ହେଲା ଖଣି ଆଲୋଚନା ପାଇଁ ସୁଯୋଗ ମିଳୁନି ବୋଲି ଆରୋପ ଲଗାଇଥିଲେ। ବୁଧବାର ଦିନ ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଗତକାଲି କଂଗ୍ରେସ ପକ୍ଷରୁ ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଆପଣ ତାହାକୁ ଅଗ୍ରାହ୍ୟ କରିଦେଲେ। ବିରୋଧୀ ଦଳକୁ ମୁଲତବୀ ପ୍ରସ୍ତାବର ଅଧିକାର ଦିଆଯାଇଛି। ହେଲେ ସେହି ଅଧିକାର କାହିଁକି ଆପଣ ଛଡ଼ାଇ ନେଉଛନ୍ତି? ଖଣି ମାଲିକଙ୍କ ଚାପରେ ରାଜ୍ୟ ସରକାର ଅଛନ୍ତି। ରାଜ୍ୟ ସରକାରଙ୍କ ଚାପରେ ବାଚସ୍ପତି ଅଛନ୍ତି। ସେଥିପାଇଁ ଏହି ପ୍ରସଙ୍ଗକୁ ବାଚସ୍ପତି ଏଡ଼ାଇ ଯାଉଛନ୍ତି। ଶାସକ ଦଳ ପକ୍ଷରୁ କୁହାଯାଉଛି ଯେ ଯେତେବେଳେ କିଛି ପ୍ରସଙ୍ଗ ନଥାଏ ବିରୋଧୀ ଖଣି ପ୍ରସଙ୍ଗ ଉଠାନ୍ତି। ଯଦି ସରକାରଙ୍କର ସଂପୃକ୍ତି ନାହିଁ, ତେବେ ଦମ୍ ଅଛନ୍ତି ତ ଆଲୋଚନାକୁ ଆସନ୍ତୁ। ରାଜ୍ୟରେ ପ୍ରତିଦିନ ଖଣି ଦୁର୍ନୀତି ଚାଲିଛି। ରାଜ୍ୟରେ ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦେଖାଇ କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନା କରିବାକୁ ଦିଆଯାଉନି। ଗତକାଲି କୁହାଗଲା ଯେ ଖଣି ମନ୍ତ୍ରୀଙ୍କର ବ୍ୟକ୍ତିଗତ ଅସୁବିଧା ଥିବାରୁ ସେ ଗୃହକୁ ଆସିପାରିବେ ନାହିଁ। ତାଙ୍କ ବଦଳରେ ଅନ୍ୟ ଜଣେ ମନ୍ତ୍ରୀ ଉତ୍ତର ଦେବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ବାଚସ୍ପତି ଆଦୌ ଆଲୋଚନାକୁ ଅନୁମତି ଦେଲେ ନାହିଁ। ରାଜ୍ୟରେ ୫୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ଖଣି ମାଲିକମାନଙ୍କର ଏତେ ପ୍ରଭାବ ଯେ ବିଗତ ତିନି ବର୍ଷ ହେବ ବିଧାନସଭାରେ ଖଣି ଦୁର୍ନୀତି ଆଲୋଚନା ହେଉ ନାହିଁ। ଖଣି ମାଫିଆମାନଙ୍କ ଚାପରେ ସରକାର ଅଛନ୍ତି। ସେମାନେ ନିର୍ବାଚନରେ ସରକାରୀ ଦଳକୁ ମୋଟା ଅଙ୍କର ଚାନ୍ଦା ଦେଉଛନ୍ତି ବୋଲି ଆରୋପ ଲଗାଇଥିଲେ।
Follow Us