ମନ୍ତ୍ରୀ ଅତନୁଙ୍କ ଗାଡ଼ି ଘେରିଲେ ମହିଳା, ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାଇକ୍‌ରେ ଗଲେ

Advertisment
ମନ୍ତ୍ରୀ ଅତନୁଙ୍କ ଗାଡ଼ି ଘେରିଲେ ମହିଳା, ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାଇକ୍‌ରେ ଗଲେ

ମହାକାଳପଡା : ନିଜ ଅଞ୍ଚଳରେ ଗୁରୁବାର ଦିନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ତନ୍ତିଆପାଳଠାରେ ସେତୁ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଶ୍ରୀ ନାୟକ ଯାଇଥିବା ବେଳେ ଜମ୍ବୁ ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ ଆଣି ମହିଳାମାନେ ମନ୍ତ୍ରୀଙ୍କ କାର୍‌କୁ ଅଟକାଇଛନ୍ତି। ପୁଲିସ ବିରୋଧରେ ନାରାବାଜି କରିଛନ୍ତି। ଏଭଳି ସ୍ଥିତିରେ ମନ୍ତ୍ରୀ ଶ୍ରୀ ନାୟକ କାର୍‌ରୁ ଓହ୍ଲାଇ ବାଇକ୍‌ରେ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଯିବାପାଇଁ ବାଧ୍ୟ ହୋଇଛନ୍ତି।

publive-image

ସୂଚନା ଅନୁସାରେ, ଗତ ୧୨ ତାରିଖ ରାତିରେ ଜମ୍ବୁ ଗ୍ରାମର ରାମକୃଷ୍ଣ ମଣ୍ତଳଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ବିଷ ପିଇ ରାମକୃଷ୍ଣ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଶ୍ବଶୁର ଓ ପତ୍ନୀ କହିଥିବା ବେଳେ ମୃତ ଯୁବକଙ୍କ ବାପା ଓ ଭାଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ ବୋଲି ଅଭିଯୋଗ ଆଣିଥିଲେ। ତେବେ, ରାମକୃଷ୍ଣଙ୍କ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ମଧ୍ୟ ଏହାକୁ ସତ୍କାର କରିବା ବଦଳରେ ତିନି ଦିନ ଧରି ଘର ଅଗଣାରେ ପକାଇ ରଖିଥିଲେ। ଏଥିସହ ଗ୍ରାମବାସୀ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ଜମ୍ବୁ ଫେରିଘାଟକୁ ବନ୍ଦ ରଖିଥିଲେ। ତୁରନ୍ତ ମୃତ ରାମକୃଷ୍ଣଙ୍କ ପତ୍ନୀ, ଶଳା ଓ ଶ୍ବଶୁରଙ୍କୁ ଗିରଫ କରିବାକୁ ଲୋକେ ଅଡ଼ି ବସିଥିଲେ। ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ମୁତାବକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଶବ ସତ୍କାର କରାଯାଇଥିଲା। କିନ୍ତୁ, ଏହାକୁ ନେଇ ମୃତ ରାମକୃଷ୍ଣଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଫଳରେ ଆଜି ଶ୍ରୀ ନାୟକଙ୍କ ଗସ୍ତ ସମୟରେ ଜମ୍ବୁ ସାମୁଦ୍ରିକ ଥାନା ପୁଲିସର ଉପସ୍ଥିତିକୁ ଦେଖି ଲୋକେ ସେମ‌ାନେ ନାରାବାଜି କରିବା ସହିତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe